ନାଇରୋବି : ଧର୍ମ ନାଁରେ ଅନ୍ଧବିଶ୍ୱାସର ଚରମ ସୀମା । ଭଗବାନଙ୍କୁ ପାଇବା ପାଇଁ ଲୋକଙ୍କୁ ଉସୁକାଇ ଦେଇଥିଲେ ଅଜବ ପରାମର୍ଶ। ଆଉ ଏହି ଅଜବ ଧାର୍ମିକ ଉପଦେଶ ପାଲଟିଯାଇଥିଲା ଶତାଧିକ ଲୋକଙ୍କ ମୃତ୍ୟୁର କାରଣ। ଲୋକଙ୍କୁ ଖାଦ୍ୟ ତ୍ୟାଗ କରିବାକୁ ପରାମର୍ଶ ଦେବାପରେ ଏଥିରେ ୧୯୦ ଶିଶୁଙ୍କ ସମେତ ୧୯୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ କେନିଆର ଜଣେ ଧର୍ମଗୁରୁଙ୍କୁ ମିଳିଛି ୨୦୦ ବର୍ଷର ଜେଲ୍ ଦଣ୍ଡ। ଏହି ଐତିହାସିକ ରାୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। କେନିଆରେ ୧୯୧ ଜଣଙ୍କ ମୃତ୍ୟୁ ମାମଲାରେ ଜଣେ ଧାର୍ମିକ ଗୁରୁଙ୍କୁ ୨୦୦ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। କେନିଆର ଉପକୂଳବର୍ତ୍ତୀ ସହର ମୋମ୍ବାସାର ହାଇକୋର୍ଟ ଧର୍ମଗୁରୁ ପଲ୍ ମ୍ୟାକେଞ୍ଜିଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ୧୯୦ ଜଣ ଶିଶୁ ଓ ଜଣେ ବୟସ୍କଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କଠୋର ଦଣ୍ଡାଦେଶ ଦିଆଯାଇଛି । ଏହି ରାୟକୁ ଦେଶର ଏକ ଚର୍ଚ୍ଚିତ ଓ ଐତିହାସିକ ନ୍ୟାୟିକ ନିଷ୍ପତ୍ତି ଭାବେ ଦେଖାଯାଉଛି।

ମିଳିଥିବା ତଥ୍ୟ ଅନୁଯାଇ, ୨୦୨୩ ମସିହାରେ କେନିଆର ଶାକାହୋଲା ଜଙ୍ଗଲରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା। ପୋଲିସ ତଦନ୍ତ ବେଳେ ସେଠାରେ ଶତାଧିକ ମୃତଦେହ ମିଳିଥିଲା। ଖୋଳତାଡ଼ ପରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିଥିଲା। କେନିଆର ମାନବାଧିକାର ଆୟୋଗ ଅନୁସାରେ, ଜଙ୍ଗଲରୁ ମିଳିଥିବା ମୃତଦେହ ସଂଖ୍ୟା ୪୨୯ରେ ପହଞ୍ଚିଥିଲା। ଅଭିଯୋଗ ଅନୁସାରେ, ଧର୍ମଗୁରୁ ପଲ୍ ମାକେଞ୍ଜି ‘ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ ଚର୍ଚ୍ଚ’ର ଲିଡର ଥିଲେ। ସେ ନିଜ ଅନୁଗାମୀମାନଙ୍କୁ ଧାର୍ମିକ ବିଶ୍ୱାସର ଆଳ ଦେଖାଇ ଯୀଶୁ ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଉପବାସ କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ନିଜ ପିଲାମାନଙ୍କୁ ମଧ୍ୟ ଖାଦ୍ୟ ନଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କର ଏହି ଉପଦେଶ ଯୋଗୁଁ ୧୯୧ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା। ପଲ ମ୍ୟାକେଞ୍ଜି ଏବଂ ତାଙ୍କର ୨୮ ଜଣ ଅନୁଗାମୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଥିଲା । କିନ୍ତୁ କେବଳ ଜଣେ ବ୍ୟକ୍ତି ଦୋଷ ସ୍ୱୀକାର କରିଥିଲେ, ଯେତେବେଳେ ଅନ୍ୟମାନେ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଅକ୍ଟୋବର ୧୯ ତାରିଖରେ, କୋର୍ଟ ସମସ୍ତ ୨୯ ଅଭିଯୁକ୍ତଙ୍କୁ ୧୯୧ ଜଣଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଉ ଶେଷରେ କୋର୍ଟ ଶୁଣାଇଥିଲେ ଏକ ଐତିହାସିକ ରାୟ ।

କୋର୍ଟଙ୍କ ରାୟ ଅନୁସାରେ, ମାକେଞ୍ଜିଙ୍କୁ ଖାଦ୍ୟ ତ୍ୟାଗ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ୧୦୦ ବର୍ଷ ଏବଂ ପ୍ରତ୍ୟକ୍ଷ ହତ୍ୟା ମାମଲାରେ ଆଉ ୧୦୦ ବର୍ଷ ମିଶାଇ ମୋଟ୍ ୨୦୦ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି। ଏହି ମାମଲାରେ ମାକେଞ୍ଜିଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅନ୍ୟ ୨୮ ଜଣ ସହଯୋଗୀଙ୍କୁ ମଧ୍ୟ ଦଣ୍ଡାଦେଶ ଦିଆଯାଇଛି । ସେମାନଙ୍କୁ ୧୦ ବର୍ଷରୁ ୧୬୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ମାକେଞ୍ଜିଙ୍କ ସହଯୋଗୀ ସ୍ମାର୍ଟ ମୱାକାଲାମାଙ୍କୁ ୧୬୦ ବର୍ଷ ଜେଲ୍ ଦଣ୍ଡ ମିଳିଛି। ମାକେଞ୍ଜି ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ। ତାଙ୍କ ଓକିଲ ଏହି ରାୟ ବିରୋଧରେ ଅପିଲ୍ କରିବେ ବୋଲି କହିଛନ୍ତି।