ନୂଆଦିଲ୍ଲୀ ୦୭।୧୧; ଶୁକ୍ରବାର ସକାଳ । ତାଇଜ୍ ପ୍ରଦେଶର ଅଲ୍-ୱାଜିୟା ଅଞ୍ଚଳର ଅଲ୍-ହଦାରା ବଜାରରେ ଲାଗିଥିଲା ଲୋକଙ୍କ ଭିଡ଼ । ହେଲେ ହଠାତ୍ ଘଟିଲା ଭୟଙ୍କର ବିସ୍ଫୋରଣ । ଚାରିଆଡ଼େ ଖେଳିଗଲା ଆତଙ୍କ । ହୁଥି ବିଦ୍ରୋହୀଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାବି ଅନୁସାରେ, ଏହି ଆକ୍ରମଣରେ ଅତିକମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଆଠ ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ମଧ୍ୟ ରହିଛି ।

ହୁଥି ବିଦ୍ରୋହୀଙ୍କ ସାମରିକ ମୁଖପାତ୍ର ୟାହ୍ୟା ସାରିଙ୍କ ଅଭିଯୋଗ ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ ବଜାର ଉପରେ ତିନୋଟି ଏୟାରଷ୍ଟ୍ରାଇକ୍ ହୋଇଥିଲା । ଏଥିପାଇଁ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟକୁ ଦାୟୀ କରିଛନ୍ତି ସେ । ତେବେ ଏହି ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି ହୁଥି ମୁଖପାତ୍ର ।

ଅନ୍ୟପଟେ ତାଇଜ୍ ପ୍ରଦେଶର ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟ ବଜାରରେ ଆକ୍ରମଣ ହୋଇଥିବା ଏବଂ କିଛି ଲୋକ ମୃତାହତ ହୋଇଥିବା ସ୍ୱୀକାର କରିଛି । କିନ୍ତୁ ଏହା ଏୟାରଷ୍ଟ୍ରାଇକ୍ ନୁହେଁ ବୋଲି ସ୍ପଷ୍ଟ କରିଛି । ଏଥିପାଇଁ ହୁଥି ବିଦ୍ରୋହୀଙ୍କୁ ଦାୟୀ କରିଛି ସ୍ଥାନୀୟ ପ୍ରଶାସନ । ତେଣୁ ଆକ୍ରମଣର ପ୍ରକୃତ କାରଣ ଏବଂ ଦୋଷୀ କିଏ, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ ।

ୟେମେନରେ ଦୀର୍ଘ ବର୍ଷ ଧରି ଚାଲିଛି ସଂଘର୍ଷ । ଇରାନ ସମର୍ଥିତ ହୁଥି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ଥିତ ମେଣ୍ଟ ମଧ୍ୟରେ ରହିଛି ତୀବ୍ର ବିବାଦ । ଏହି ସଂଘର୍ଷରେ ସାଧାରଣ ନାଗରିକମାନେ ବାରମ୍ବାର ଶିକାର ହେଉଛନ୍ତି । ଏବେ ଜନଗହଳିପୂର୍ଣ୍ଣ ବଜାରରେ ଘଟିଥିବା ଏହି ଘଟଣା ପୁଣି ଥରେ ୟେମେନର ସୁରକ୍ଷା ପରିସ୍ଥିତି ଓ ସାଧାରଣ ଲୋକଙ୍କ ଜୀବନକୁ ନେଇ ଚିନ୍ତା ବଢ଼ାଇଛି ।