ନୂଆଦିଲ୍ଲୀ: ଇରାନ ସହ ଯୁଦ୍ଧ ସମାପ୍ତ ଲାଗି ଆମେରିକା କୂଟନୈତିକ ଆଲୋଚନା  ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି । ଏହାରି ମଧ୍ୟରେ, ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଏକାଠି କରିବାକୁ ଆମେରିକା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଥିପାଇଁ ଟ୍ରମ୍ପ ପ୍ରଶାସନ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଇରାନର ପରମାଣୁ କାର୍ଯ୍ୟକ୍ରମ, ଠିକଣା ଏବଂ ଏହା ସହ ଜଡ଼ିତ ବୈଜ୍ଞାନିକଙ୍କ ସୂଚନା ଲାଗି ଆମେରିକା ୨୦ ମିଲିୟନ ଡଲାର ବା ପ୍ରାୟ ୧୮୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।  ଏପରିକି ଯେଉଁ ବ୍ୟକ୍ତି ଏହି ସୂଚନା ଦେବେ, ତାଙ୍କୁ ଅନ୍ୟତ୍ର ରହିବା ପାଇଁ ମଧ୍ୟ ବ୍ୟବସ୍ଥା ଯୋଗାଇଦେବେ ଆମେରିକା ସରକାର ।

ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ ଏକ୍ସରେ ଏହି ପୁରସ୍କାର ବିଷୟରେ ସୂଚନା ଦେଇଛି। ଆମେରିକା ବିଦେଶ ବିଭାଗର 'ରିୱାର୍ଡସ୍ ଫର୍ ଜଷ୍ଟିସ୍' ପ୍ରୋଗ୍ରାମ ଜରିଆରେ ଇରାନର ପରମାଣୁ ଗତିବିଧି, ସେଠାକାର ବୈଜ୍ଞାନିକ ଏବଂ ପରମାଣୁ ଉପକରଣର ଯାତାୟାତ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଆମେରିକା ନାଗରିକଙ୍କ ଜୀବନ ଓ ଜାତୀୟ ସୁରକ୍ଷା ପାଇଁ ସୂଚନାଦାତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ୧୯୮୪ ମସିହାରୁ ଆରମ୍ଭ ହୋଇଛି ଏହି ସରକାରୀ ପ୍ରୋଗ୍ରାମ ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ଏବେ ଏହି ଯୁଦ୍ଧ ଓ ସଂଘର୍ଷର ବିରାମ ପାଇଁ ଆଲୋଚନା କରିବାକୁ ଅତ୍ୟନ୍ତ ବ୍ୟାକୁଳ । ଫ୍ଲୋରିଡାରେ ଟ୍ରମ୍ପ କହିଛନ୍ତି, ଆମେରିକୀୟ ସେନାର ସାମରିକ ଆକ୍ରମଣ ଇରାନର ସେନା ଓ ଅର୍ଥବ୍ୟବସ୍ଥାକୁ ଭାଙ୍ଗି ଦେଇଛି । ଇସ୍ରାଏଲ ସମେତ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟକୁ ଇରାନର ସମ୍ଭାବ୍ୟ ପରମାଣୁ ଆକ୍ରମଣର ବିପଦରୁ ରକ୍ଷା କରିଛି।   ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକା ପ୍ରାୟତଃ ଧ୍ୱଂସ କରିସାରିଛି।

ମଧ୍ୟ-ଇରାନରେ ଥିବା 'ପିକ୍‌ଆକ୍ସ ମାଉଣ୍ଟେନ୍' ସମେତ ଆଉ ଗୋଟିଏ କିମ୍ବା ଦୁଇଟି ଗୁପ୍ତ ଠିକଣା ଉପରେ କାର୍ଯ୍ୟାନୁଷ୍ଠାନ ବାକି ଅଛି ବୋଲି ଟ୍ରମ୍ପ କହିଛନ୍ତି । ଏହା ଇରାନର ଗୁପ୍ତ ପରମାଣୁ କେନ୍ଦ୍ର ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସଙ୍କଟର ସମାଧାନ ଚାହୁଁଥିବା ବେଳେ ମଧ୍ୟସ୍ଥିମାନେ ମଧ୍ୟ କୂଟନୈତିକ ଉଦ୍ୟମ ଜାରି ରଖିଛନ୍ତି।  ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠ ପାଇଁ ଉଦ୍ୟମ, ଅନ୍ୟପଟେ ଇରାନର ସମ୍ଭାବ୍ୟ ପରମାଣୁ କାର୍ଯ୍ୟକ୍ରମର ତଥ୍ୟ ଯୋଗାଡ଼ କରୁଛନ୍ତି ଆମେରିକା ସରକାର । ଏଭଳି ସ୍ଥିତିରେ ଶାନ୍ତି ଆଲୋଚନା ହୋଇପାରିବ ନା, ଇରାନ୍‌ ଆମେରିକାକୁ ପଦକ୍ଷେପକୁ ବିରୋଧ କରି ଏଥିରୁ ଦୂରେଇ ରହିବ, ତା ଉପରେ ସମଗ୍ର ବିଶ୍ବର ନଜର ରହିବ ।