ନୂଆଦିଲ୍ଲୀ: ଦୀର୍ଘ ବର୍ଷର ସଂପର୍କରେ ଆସିବାର ଥିଲା ନୂଆ ମୋଡ଼ । ପ୍ରେମିକ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେବାର ଥିଲା । ଆଉ ଏଥିପାଇଁ ଦୁହେଁ ପାହଡ଼ ଜଙ୍ଗଲ ଘେରା ଏକ ସୁନ୍ଦର ଝରଣା ପାଖକୁ ଯାଇଥିଲେ । ସେହିଠାରେ ହିଁ, ବିବାହ କରି ସାତ ଜନ୍ମ ପାଇଁ ସାଥି ହେବାକୁ ହୋଇଥାନ୍ତା ଯୋଜନା । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଗଲା । କୌଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଶେଷରେ କନେଷ୍ଟବଳ ପ୍ରେମିକ, ପ୍ରେମିକାର ଗଳା ଚିପି ହତ୍ୟା କଲା ଏବଂ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇଗଲା ।

କର୍ଣ୍ଣାଟକର ପ୍ରସିଦ୍ଧ ଗୋକାକ ଝରଣାକୁ ଯିବା ହିଁ ଯୁବତୀଙ୍କ ପାଇଁ କାଳ ହେଲା। ୨୩ ବର୍ଷୀୟା ଯୁବତୀ ରକ୍ଷିତା ସାରିକାରଙ୍କୁ ତାଙ୍କ ପ୍ରେମିକ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।   ଅଭିଯୁକ୍ତ ପ୍ରେମିକ ୨୯ ବର୍ଷୀୟ ବସପ୍ପା ସତନ୍ନାଭର । ସେ ବେଲାଗାଭି ଜିଲ୍ଲାର ବାସିନ୍ଦା ଏବଂ ବିହାରରେ ସଶସ୍ତ୍ର ସୀମା ବଳର ୨୧ତମ ବାଟାଲିୟନରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ସୂଚନା ଅନୁଯାୟୀ, ଗତ ୪ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ବସପ୍ପା ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହି ବିଷୟକୁ ନେଇ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଓ ଯୁକ୍ତିତର୍କ ହେଉଥିଲା। 

ଗତ ଅକ୍ଟୋବର ୨୮ ରେ ବସପ୍ପା ବିବାହ ଏବଂ ଭବିଷ୍ୟତ ଯୋଜନା ବିଷୟରେ କଥା ହେବା ବାହାନାରେ ରକ୍ଷିତାଙ୍କୁ ଗୋକାକ ଜଳପ୍ରପାତକୁ ନେଇଯାଇଥିଲା। ସେଠାରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ବସପ୍ପା ରକ୍ଷିତାଙ୍କୁ ଆକ୍ରମଣ କରିବା ସହ ତାଙ୍କ କାନରେ ପ୍ରହାର କରିଥିଲା ଏବଂ ତଣ୍ଟି ଚିପି ହତ୍ୟା କରିଥିଲା।

ରକ୍ଷିତା ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ନଭେମ୍ବର ୧ ରେ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ନିଖୋଜ ମାମଲାର ତଦନ୍ତ କରି ବସପ୍ପାକୁ ସନ୍ଦେହରେ ଜେରା କରିବା ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା। ପୋଲିସ ବସପ୍ପାକୁ ଗିରଫ କରିଛି । ସେପଟେ ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ ।