Good Friday 2026: ଈଶାଇ ଧର୍ମରେ Good Friday ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଚଳିତ ଥର ୩ ଏପ୍ରିଲ୍, ୨୦୨୬ରେ ଏହା ପାଳିତ ହେଉଛି। ଖ୍ରୀଷ୍ଟିଆନ କ୍ୟାଲେଣ୍ଡରରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନଗୁଡ଼ିକ ମଧ୍ୟରୁ ଗୋଟିଏ। ଯୀଶୁ ଖ୍ରୀଷ୍ଟଙ୍କ 'କୁଶବିଦ୍ଧ'କୁ ମନେ ପକାଇ ଏହା ପାଳନ କରାଯାଏ। ଯାହାକୁ ମାନବ ଜାତି ପାଇଁ ସେ ଦେଇଥିବା ସର୍ବୋତ୍ତମ ବଳିଦାନର ପ୍ରତୀକ ଭାବେ ବିବେଚନା କରାଯାଏ। ତେବେ ଏହି ଦିନକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସେ।  ଦୁଃଖ ଏବଂ ବଳିଦାନ ସହିତ ଜଡିତ ଦିନକୁ କାହିଁକି  ‘Good' ବା "ଭଲ" କୁହାଯାଏ? ଆସନ୍ତୁ ବୁଝିବା।

ଏହି ଦିନ କ'ଣ ଘଟିଥିଲା?

ପରମ୍ପରା ଅନୁଯାୟୀ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମାଜରେ ଦୁଷ୍ଟତାକୁ ଦୂର କରି ଲୋକମାନଙ୍କୁ ଧାର୍ମିକ ପଥ ଅନୁସରଣ କରିବାକୁ ବାଟ ଦେଖାଉଥିଲେ । ଏହି କାମରେ ସେ ନିଜକୁ ଉତ୍ସର୍ଗ କରି ଦେଇଥିଲେ। ମାନବ ଜାତିର କଲ୍ୟାଣ ଯୀଶୁ ଖ୍ରୀଷ୍ଟ ତ୍ୟାଗ ଓ ବଳିଦାନର ବାର୍ତ୍ତା ଦେଇଥିଲେ। ଫଳରେ ଲୋକମାନେ ତାଙ୍କୁ ପରମପିତା ପରମେଶ୍ୱର ବୋଲି ମାନିବାକୁ ଆରମ୍ଭ କଲେ । ଏହି କାରଣରୁ ଯୀଶୁ ଖ୍ରୀଷ୍ଟଙ୍କ ବିରୋଧରେ କିଛି ଧର୍ମଗୁରୁମାନେ ଈହୁଦିଙ୍କ କାନରେ କୁମନ୍ତ୍ରଣା ଭରିଥିଲେ । ଦିନେ ତାଙ୍କ ବିରୋଧରେ ରାଜଦ୍ରୋହର ଅଭିଯୋଗ ଆଣି ତାଙ୍କୁ କୁଶବିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହାତ ଗୋଡ଼ରେ କଣ୍ଟା ଫୁଟାଇ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। କିନ୍ତୁ ସେତେବେଳେ ବି ଯୀଶୁ ଖ୍ରୀଷ୍ଟ ମାନବଜାତିର କଲ୍ୟାଣ ଓ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଆଉ ଯେଉଁମାନେ ତାଙ୍କୁ ଏମିତି ଦଣ୍ଡ ଦେଉଛନ୍ତି ତାଙ୍କୁ କ୍ଷମା କରିଦେବାକୁ ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।

ଏହାର ନାଁ କାହିଁକି ଗୁଡ୍ ଫ୍ରାଇଡେ ?

ପ୍ରଭୁ ଯୀଶୁ ଅପାର ଦୁଃଖ କଷ୍ଟ ସହି ଶେଷରେ ମୃତ୍ୟୁବରଣ କରିଥିଲେ। ଖ୍ରୀଷ୍ଟିଆନ ଧର୍ମରେ, ଏହାକୁ ମାନବତା ପାଇଁ ସର୍ବୋତ୍ତମ ବଳିଦାନ ଭାବରେ ବିବେଚନା କରାଯାଏ। ଏତେ ଦୁଃଖଦାୟକ ଦିନକୁ ‘Good' ବା "ଭଲ" କହିବାର ଅର୍ଥ ଏହି ଦିନ ପବିତ୍ରତା ଏବଂ ମହାନତାକୁ ସୂଚିତ କରେ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁସାରେ, ଯୀଶୁଖ୍ରୀଷ୍ଟ ମାନବ ସମାଜ ପାଇଁ ଜୀବନ ଦେଇଥିଲେ। ଯାହା ଦ୍ୱାରା ମାନବତାର ମୁକ୍ତି ପାଇଁ ପଥ ପ୍ରଶସ୍ତ ହୋଇଥିଲା। ଏହି କାରଣରୁ ଏହି ଦିନଟିକୁ ଶୁଭ ଶୁକ୍ରବାର କୁହାଯାଏ। ଏହା ବାଦ୍ ଖ୍ରୀଷ୍ଟିଆନମାନେ ଏହି ଦିନକୁ "ଗୁଡ୍" ଭାବରେ ମାନନ୍ତି କାରଣ ଖ୍ରୀଷ୍ଟଙ୍କ ବଳିଦାନକୁ ପ୍ରେମ ଏବଂ ମୁକ୍ତିର ସର୍ବୋତ୍ତମ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ତେଣୁ Good Friday'କୁ ଶୋକ ଏବଂ ପ୍ରାର୍ଥନାର ଦିନ ଭାବରେ ପାଳନ କରାଯାଏ। ଏହି ଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଶାନ୍ତିପୂର୍ଣ୍ଣ ଭାବରେ ପ୍ରାର୍ଥନା କରିବା ଏବଂ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ଚର୍ଚ୍ଚ ଯାଆନ୍ତି।

• "ଭଲ" ଶବ୍ଦଟି ଯୀଶୁଙ୍କ ମୃତ୍ୟୁରୁ ସୃଷ୍ଟି । ଯାହା ତାଙ୍କ ବଳିଦାନ, ମୁକ୍ତି ଏବଂ ପୁନରୁତ୍ଥାନର ପ୍ରତିଶ୍ରୁତି ପ୍ରଦାନ କରେ।

• ଗୁଡ୍ ଫ୍ରାଇଡେକୁ "ଈଶ୍ବରଙ୍କ ଶୁକ୍ରବାର" କିମ୍ବା "ପବିତ୍ର ଶୁକ୍ରବାର" ଭାବରେ ମଧ୍ୟ ଉଲ୍ଲେଖ କରାଯାଏ। ଯାହା ଏହି ଦିନର ପବିତ୍ରତାକୁ ପ୍ରତିଫଳିତ କରେ। ଏହି ନାଁ ଖ୍ରୀଷ୍ଟଙ୍କ କାର୍ଯ୍ୟର ପବିତ୍ରତା ଏବଂ ବିଶାଳତାକୁ ଉଲ୍ଲେଖ କରେ।

Also Read- https://www.prameyanews7.com/what-is-the-reason-behind-good-friday