ନୂଆଦିଲ୍ଲୀ : ଗୁଡ୍ ଫ୍ରାଇଡେ। ଇଶାଇ ଧର୍ମରେ ଏହାକୁ ଏକ ବିଶେଷ ଓ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ବିବେଚନା କରାଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଶେଷ କରି ଏହି ପର୍ବକୁ ପାଳନ କରିଥାନ୍ତି । ଗୁଡ୍ ଫ୍ରାଇଡେ ନାଁ ଶୁଣିଲେ ଲାଗେ ଏହା ବୋଧ ହୁଏ ଭଲ ବା କେଉଁ ଉତ୍ସବର ଦିନ । କିନ୍ତୁ ପ୍ରକୃତରେ ଗୁଡ୍ ଫ୍ରାଇଡେ ହେଉଛି ଏକ ଶୋକ ଦିବସ । ଅର୍ଥାତ ଏହି ଦିନ ପ୍ରଭୁ ଯିଶୁଙ୍କ ମୃତ୍ୟୁକୁ ମନେ ପକାଇ ଶୋକ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ସେଥିପାଇଁ ଏହାକୁ ଗୁଡ୍ ଫ୍ରାଇଡେ କୁହାଯାଏ ସତ କିନ୍ତୁ Happy Good Friday କେବେ ହେଲେ କୁହାଯାଏନି। ତେବେ ଗୁଡ୍ ଫ୍ରାଇଡେର କୌଣସି ନିର୍ଦ୍ଧିଷ୍ଟ ତାରିଖ ନଥାଏ । ଚଳିତ ବର୍ଷ ଏପ୍ରିଲ ୩ ତାରିଖକୁ Good Friday ପାଳନ କରାଯାଉଛି।

କିପରି ପାଳନ ହୁଏ ?

କୁହାଯାଏ ଯେତେବେଳେ ୟିହୁଦି ଶାସକମାନେ ଯୀଶୁଖ୍ରୀଷ୍ଟଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ହିଁ ଥିଲା । ଯୀଶୁଖ୍ରୀଷ୍ଟ ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେଗୁଡ୍ ଫ୍ରାଇଡେଭାବେ ପାଳନ କରିଥାନ୍ତି । ଏହି ଦିନକୁ ଇସାଇ ଧର୍ମର ଲୋକେ ବଳିଦାନର ଦିବସ ଭାବେ ବିବେଚନା କରି ପାଳନ କରିଥାନ୍ତି ।

​​​​​​​ଗୁଡ୍ ଫ୍ରାଇଡେର ଇତିହାସ :

ପରମ୍ପରା ଅନୁଯାୟୀ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ବେଥଲେହମରେ ଜନ୍ମଗ୍ରହଣ କରିଥିଲେ। ସମାଜରେ ଦୁଷ୍ଟତାକୁ ଦୂର କରିବା ପାଇଁ ସେ ଲୋକମାନଙ୍କୁ ଧାର୍ମିକ ପଥ ଅନୁସରଣ କରିବାକୁ ବାଟ ଦେଖାଉଥିଲେ । ଏହି କାମରେ ସେ ନିଜକୁ ଉତ୍ସର୍ଗ କରି ଦେଇଥିଲେ।ମାନବ ଜାତିର କଲ୍ୟାଣ ପାଇଁ ଭାଇଚାର, ଏକତା ଓ ଶାନ୍ତି ବାର୍ତ୍ତା ଦେଉଥିଲେ । ଫଳରେ ଲୋକମାନେ ତାଙ୍କୁ ପରମପିତା ପରମେଶ୍ୱର ବୋଲି ମାନିବାକୁ ଆରମ୍ଭ କଲେ । ଏହି କାରଣରୁ ଯୀଶୁଖ୍ରୀଷ୍ଟଙ୍କ ବିରୋଧରେ କିଛି ଧର୍ମଗୁରୁମାନେ ଯିହୁଦିଙ୍କ କାନରେ କୁମନ୍ତ୍ରଣା କରିବା ଆରମ୍ଭ କଲେ । ଦିନେ ତାଙ୍କ ବିରୋଧରେ ରାଜଦ୍ରୋହର ଅଭିଯୋଗ ଆଣି ତାଙ୍କୁ କୁଶବିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହାତ ଗୋଡ଼ରେ କଣ୍ଟା ଫୁଟାଇ ମୃତ୍ୟୁ ଦଣ୍ଡ ଦିଆଯାଇତିଲା। ସେତେବେଳେ ବି ଯୀଶୁ ଖ୍ରୀଷ୍ଟ ମାନବଜାତିର କଲ୍ୟାଣ ଓ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଯେଉଁମାନେ ତାଙ୍କୁ ଏମିତି ଦଣ୍ଡ ଦେଉଛନ୍ତି ତାଙ୍କୁକ୍ଷମା କରିଦେବାକୁ ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।

ଇସାଇ ଧର୍ମର ପବିତ୍ର ବାଇବେଲରେ ଯିଶୁଙ୍କୁ ଶୁଳିରେ ଚଢ଼ାଯିବାର ପୁରା ଘଟଣାକ୍ରମ ବିସ୍ତୃତ ରୂପେ ବର୍ଣ୍ଣନା କରାଯାଇଛି । ପ୍ରଭୁ ଯୀଶୁଙ୍କୁ ଯେତେବେଳେ ମୃତ୍ୟୁ ଦଣ୍ଡ ଦିଆଗଲା କୁହାଯାଏ କି, ଶେଷ ତିନି ଘଣ୍ଟା ବେଳକୁ ଚାରିଆଡ଼ ଅନ୍ଧକାର ମୟ ହୋଇଯାଇଥିଲା । ଚାରିଆଡ଼ ଥରିବାକୁ ଲାଗିଥିଲା । କବର ଦିଆଯାଇଥିବା କଫିନ୍ ଗୁଡ଼ିକର ଢ଼ାଙ୍କୁଣି ଭାଙ୍ଗି ଆପେ ଖୋଲିବାକୁ ଲାଗିଥିଲା। ଦିନରେ ବି ପରିବେସ ଅନ୍ଧକାର ହୋଇଯାଇଥିଲା । ସେଥିପାଇଁ ଗୁଡ୍ ଫ୍ରାଇଡେରେ ସମସ୍ତ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଏ। ଏହି ଦିନ ଖ୍ରୀଷ୍ଟିଆନମାନେ ଉପବାସ କରନ୍ତି। ଭାରତରେ ଗୁଡ୍ ଫ୍ରାଇଡେ ଦିନ ସାଧାରଣତଃ ଛୁଟି ଘୋଷଣା କରାଯାଇଥାଏ ।

ଗୁଡ୍ ଫ୍ରାଇଡେର ମହତ୍ତ୍ୱ :

ଗୁଡ୍ ଫ୍ରାଇଡେ ଆମକୁ ମନେ ପକାଇ ଦିଏ ଯେ ପ୍ରେମ, ତ୍ୟାଗ ଏବଂ କ୍ଷମା ଜୀବନର ସର୍ବୋତ୍ତମ ମୂଲ୍ୟବୋଧ। ଏହି ଦିନ ଆମକୁ ମାନବତାର ସେବା କରିବାକୁ ଏବଂ ମଙ୍ଗଳର ପଥରେ ଚାଲିବାକୁ ପ୍ରେରଣା ଦିଏ।

Also Read-