ମୁମ୍ବାଇ: ବଲିଉଡ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଆହୁରି ବିଶ୍ରାମର ଆବଶ୍ୟକତା ରହିଛି। କାରଣ ସେ ଏବେବି ଠିକ୍ ହେବା ପ୍ରକ୍ରିୟାରେ ଅଛନ୍ତି। ଅଭିନେତା ତାଙ୍କ ବ୍ଲଗ ଓ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନସ୍ ଙ୍କୁ ନିୟମିତ ଅପଡେଟ୍ ଦେଇଥାନ୍ତି। ସେ ପୂର୍ବରୁ କହିଥିଲେ ଡାକ୍ତର ତାଙ୍କୁ କିଛି ସମୟ ଲାଗି ଅନଲାଇନ ଗତିବିଦ୍ଧିରୁ ବ୍ରେକ ନେବାକୁ ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ ଅମିତାଭ ଶୁକ୍ରବାର ତାଙ୍କ ‘ଟମ୍ବଲର’ ବ୍ଲଗ୍ ରେ ତାଙ୍କ ରିକୋଭରୀ ଓ ଶରୀରକୁ ଅଧିକ ବିଶ୍ରାମ ଦେବାର ଆବଶ୍ୟକତା ସମ୍ପର୍କରେ ଲେଖିଥିଲେ। ସେ କହିଥିଲେ ‘ଅଧିକ ଆରାମର ଆବଶ୍ୟକତା ରହିଛି’। ସେହି ଅନୁସାରେ ମୁଁ ମୋତେ ଆଡଜଷ୍ଟ କରୁଛି। ମାନବ ଶରୀର ଓ ଏହାର ଅଦଭୂତ ପ୍ରକୃତି ଉପରେ ବିଚାର କରୁଛି। ଏହା ପୂର୍ବରୁ ଅଭିନେତା ତାଙ୍କ ପ୍ରଶଂସକଙ୍କୁ କ୍ଷମା ଯାଚନା କରିଥିଲେ। କାରଣ ସେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ ପାରୁନଥିଲେ। ଚିକିତ୍ସକଙ୍କ ପରାମର୍ଶ ପରେ କିଛି ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରୁ ଦୂରେଇ ରହୁଥିଲେ। ଅମିତାଭ ବଚ୍ଚନ କହିଥିଲେ ଯେ ନିଜର ରିକଭରୀ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଲେଖିବା ଓ ଅନଲାଇନ କଥାବାର୍ତ୍ତାରୁ ବ୍ରେକ ନେଇଛନ୍ତି।

ତେବେ ଦଶହରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ବିଛଣାରେ ଆରାମ କରିବାକୁ କଡ଼ା କଡ଼ି ପରାମର୍ଶ ଦିଆଯାଇଥିବା କଥା କହିଥିଲେ। ଏଥିରେ ସେ ଲେଖିଥିଲେ ‘ସର୍ବ ପ୍ରଥମେ ସମସ୍ତଙ୍କୁ ଦଶହରାର ଅନେକ ଅନେକ ଶୁଭେଚ୍ଛା, ଖୁସି ଓ ପ୍ରାର୍ଥନା ପ୍ରେରଣ କରୁଛି। ମୋତେ ପୁରାପୁରି ବିଶ୍ରାମ ଓ ରିକଭରୀ ପାଇଁ ପରାମର୍ଶ ଦିଆଯାଇଛି, ଏଣୁ କୌଣସି ଆଲୋଚନାରେ ସାମିଲ ହୋଇ ପାରିବି ନାହିଁ। ଦୟାକରି ମୋତେ କ୍ଷମା କରନ୍ତୁ ଓ ଏହାକୁ ମୋର ପ୍ରତିକ୍ରିୟା ଭାବନ୍ତୁ। ଆଶା କରୁଛି ଆମେ ଖୁବ୍ ଶୀଘ୍ର ପୁଣି ଯୋଡି ହେବା’।

ଅମିତାଭଙ୍କ ଏହି ସ୍ୱାସ୍ଥ୍ୟ ଅପଡେଟ୍ ଏପରି ସମୟରେ ଆସିଛି ଯେତେବେଳେ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳାକୁ ଇ-ମେଲରେ ବୋମା ଧମକ ଦିଆଯାଇଛି। ଏହି ଇ-ମେଲ ଶୁକ୍ରବାର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଏକ ସ୍କୁଲକୁ ମିଳିଥିଲା। ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏହା ସ୍ପଷ୍ଟ ହୋଇ ପାରିନି ଯେ ଏହି ଧମକ ଅଭିନେତାଙ୍କ ‘ଜଲସା’ ଅଥବା ‘ପ୍ରତୀକ୍ଷା’ ବଙ୍ଗଳା ଲାଗି ଥିଲା।