ବେଜିଂ: କୃତ୍ରିମ ବୁଦ୍ଧିମତ୍ତା ଏବେ ଚଳଚ୍ଚିତ୍ର ନିର୍ମାଣ ଜଗତରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଏହି କ୍ଷେତ୍ରରେ ଚୀନ୍ ଏକ ବଡ଼ ପଦକ୍ଷେପ ନେଇଛି। ସମ୍ପୂର୍ଣ୍ଣ AI ଦ୍ୱାରା ନିର୍ମିତ ଚୀନ୍ର ପ୍ରଥମ ଫିଚର ଫିଲ୍ମ ‘Sanxingdui: Future Past’ ଅକ୍ଟୋବର ୨୩, ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିଛି। ତେବେ ନୂଆ ପ୍ରଯୁକ୍ତିର ଏହି ପରୀକ୍ଷଣକୁ ନେଇ ଯେଉଁ ଉତ୍ସାହ ଆଶା କରାଯାଉଥିଲା, ଟିକେଟ୍ ବିକ୍ରିରେ ତାହା ପ୍ରତିଫଳିତ ହୋଇନାହିଁ। ଫଳରେ ଚଳଚ୍ଚିତ୍ରଟିର ବ୍ୟବସାୟିକ ସଫଳତାକୁ ନେଇ ପ୍ରଶ୍ନ ଉଠିଛି।

ଏହି ବିଜ୍ଞାନଭିତ୍ତିକ ରୋମାଞ୍ଚକର ଚଳଚ୍ଚିତ୍ର ପାଇଁ ମୁକ୍ତିଲାଭ କରିବା ଦିନ ୧୦,୦୦୦ରୁ ଅଧିକ ଶୋ’ ଧାର୍ଯ୍ୟ କରାଯାଇଥିଲା। ଚୀନ୍ର ଟିକେଟ୍ ବୁକିଂ ପ୍ଲାଟଫର୍ମ ମାଓୟାନ୍ର ତଥ୍ୟ ଅନୁସାରେ, ମୁକ୍ତି ପୂର୍ବରୁ ଟିକେଟ୍ ବିକ୍ରିରୁ ଆୟ ବହୁତ କମ୍ ରହିଥିଲା। ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଅଗ୍ରିମ ଟିକେଟ୍ ବିକ୍ରିରୁ ପ୍ରାୟ ୬୫,୦୦୦ ୟୁଆନ୍ ଆୟ ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୯,୭୦୦ ଆମେରିକୀୟ ଡଲାର। କିନ୍ତୁ ଏହା ଚଳଚ୍ଚିତ୍ରର ନିର୍ମାଣ ଖର୍ଚ୍ଚ ତୁଳନାରେ ଅତ୍ୟନ୍ତ କମ୍।

ଏହି ଫିଲ୍ମ ନିର୍ମାଣ ପାଇଁ ପ୍ରାୟ ୧୦୦ ଜଣିଆ ଗୋଟିଏ ଟିମ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ କାମ କରିଥିଲେ। ନିର୍ମାତା ବୋନା ଫିଲ୍ମ ଗ୍ରୁପ୍ ଅନୁସାରେ, ଚଳଚ୍ଚିତ୍ରଟିର ନିର୍ମାଣ ଖର୍ଚ୍ଚ ୧ କୋଟି ୟୁଆନ୍ରୁ ଅଧିକ, ଅର୍ଥାତ୍ ପ୍ରାୟ ୧୫ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି । ଏହି ଚଳଚ୍ଚିତ୍ରରେ କଳାକାରଙ୍କ ଚେହେରା, ସ୍ୱର ଓ ପୃଷ୍ଠଭୂମି ସମେତ ଅନେକ ଦୃଶ୍ୟାତ୍ମକ ଉପାଦାନ AI ଦ୍ୱାରା ସୃଷ୍ଟି କରାଯାଇଥିବା ବେଳେ । ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପ୍ରଭାବିତ ମାନବ ସମାଜକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି।

ତେବେ ସବୁଠାରୁ ବଡ ପ୍ରଶ୍ନ ଏତେ ଟଙ୍କା ଖର୍ଚ କରି ନିର୍ମାଣ କରାଯାଇଥିବା ସିନେମା କାହିଁକି ଦର୍ଶକଙ୍କୁ ଆକର୍ଷିତ କରିପାରିଲାନି ? ଫିଲ୍ମର ପ୍ରାରମ୍ଭିକ ପ୍ରତିକ୍ରିୟାରୁ ଜାଣିବାକୁ ମିଳେ କେବଳ ନୂଆ ପ୍ରଯୁକ୍ତିର ବ୍ୟବହାର ଦର୍ଶକଙ୍କୁ ସିନେମା ହଲ୍କୁ ଟାଣି ଆଣିବା ପାଇଁ ଯଥେଷ୍ଟ ନୁହେଁ । ରିଲିଜ ପୂର୍ବରୁ ଫିଲ୍ମର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିଥିବା ଆଇରିସ୍ ୟାଙ୍ଗ୍ ଏହାର ଗୁଣବତ୍ତାକୁ ନେଇ ସନ୍ତୁଷ୍ଟ ନଥିବା କଥା କହିଛନ୍ତି। ତାଙ୍କ ମତରେ, AI ଦ୍ୱାରା ନିର୍ମିତ ଫିଲ୍ମ ଯଦି ‘ଅବତାର ’ ଭଳି ଚଳଚ୍ଚିତ୍ରର ସିନେମାଟିକ୍ ଅନୁଭୂତି ଦେଇପାରେ, ତେବେ ସେ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଆଗ୍ରହୀ ହେବେ।ସେହିପରି, ସ୍ୱାଧୀନ AI ନିର୍ଦ୍ଦେଶକ ଝାଙ୍ଗ୍ ଜୁନ୍ଙ୍କ ମତରେ, କେବଳ AI ବ୍ୟବହାର କରାଯାଇଛି ବୋଲି ଦର୍ଶକ ଟିକେଟ୍ କିଣିବେ, ଏହା ଭାବିବା ଠିକ୍ ନୁହେଁ। ଚଳଚ୍ଚିତ୍ରର କାହାଣୀ, ଦୃଶ୍ୟର ଗୁଣବତ୍ତା ଓ ଦର୍ଶକଙ୍କ ଅନୁଭୂତି ହିଁ ଶେଷରେ ଗୁରୁତ୍ୱ ରଖିବ।

ଚୀନ୍ରେ AI ଦ୍ୱାରା ନିର୍ମିତ ଭିଡିଓ ଓ କ୍ଷୁଦ୍ର ଧାରାବାହିକର ଲୋକପ୍ରିୟତା ବଢ଼ୁଛି। ରିପୋର୍ଟ ଅନୁସାରେ, ଚୀନ୍ର ଟିକ୍ଟକ୍ ସଦୃଶ ଡିଜିଟାଲ୍ ପ୍ଲାଟଫର୍ମ ଡୋଉଇନ୍ରେ ସେପ୍ଟେମ୍ବର ମାସରେ AI ଦ୍ୱାରା ନିର୍ମିତ କ୍ଷୁଦ୍ର ଧାରାବାହିକଗୁଡ଼ିକ ୨୦୦ ବିଲିୟନ୍ରୁ ଅଧିକ ଥର ଦେଖାଯାଇଥିଲା। ଏହା ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ AIର ବଢ଼ୁଥିବା ପ୍ରଭାବକୁ ଦର୍ଶାଉଛି। କିନ୍ତୁ ଅନଲାଇନ୍ରେ ମାଗଣାରେ ଭିଡିଓ ଦେଖିବା ଓ ସିନେମା ହଲ୍ରେ ଟଙ୍କା ଦେଇ ଫିଲ୍ମ ଦେଖିବା ଦୁଇଟି ଭିନ୍ନ ଅନୁଭୂତି।

AI ଚଳଚ୍ଚିତ୍ର ନିର୍ମାଣରେ ନୂଆ ସମ୍ଭାବନା ସୃଷ୍ଟି କରୁଥିବାବେଳେ ଏହାକୁ ନେଇ ଚଳଚ୍ଚିତ୍ର ଶିଳ୍ପରେ ଚିନ୍ତା ମଧ୍ୟ ବଢ଼ୁଛି। ଅଭିନେତା, ଭଏସ୍ ଆର୍ଟିଷ୍ଟ, ଆନିମେଟର୍ ଓ ଅନ୍ୟାନ୍ୟ ଟେକ୍ନିସିଆନ୍ଙ୍କ କାମ ଉପରେ AIର ପ୍ରଭାବ କ’ଣ ହେବ, ତାହା ନେଇ ହଲିଉଡ୍ରେ ମଧ୍ୟ ଆଲୋଚନା ଚାଲିଛି।

also read- ରାମାୟଣରେ ରାମ ବନାମ ରାବଣ! ରଣବୀର କପୁର ଓ ୟଶଙ୍କ ମଧ୍ୟରେ ହେବ ମହାମୁକାବିଲା

ଅନ୍ୟପଟେ ଚୀନ୍ର ଏହି ଫିଲ୍ମ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସମ୍ମୁଖୀନ ହୋଇଛି । ଏହା AI ଆଧାରିତ ଚଳଚ୍ଚିତ୍ର ନିର୍ମାଣର ବୈଷୟିକ ସମ୍ଭାବନାକୁ ଦେଖାଇବା ସହିତ ଆଉ ଏକ ପ୍ରଶ୍ନ ଉଠାଇଛି ଯେ ପ୍ରଯୁକ୍ତି କ୍ଷେତ୍ରରେ ଯେତେ ନିଖୁଣ ଥିଲେ ମଧ୍ୟ ଦର୍ଶକଙ୍କ ମନ ଜିତିବା ପାଇଁ କାହାଣୀ ଓ ଗୁଣବତ୍ତା କେତେ ଜରୁରୀ? ଚୀନ୍ର ପ୍ରଥମ ସମ୍ପୂର୍ଣ୍ଣ AI ନିର୍ମିତ ଫିଚର ଫିଲ୍ମ ‘Sanxingdui: Future Past’ ଚଳଚ୍ଚିତ୍ର ଶିଳ୍ପରେ ଏକ ନୂଆ ପରୀକ୍ଷଣ। ହେଲେ ଏହାର ପ୍ରାରମ୍ଭିକ ଟିକେଟ୍ ବିକ୍ରି ଦର୍ଶାଉଛି ଯେ ନୂଆ ପ୍ରଯୁକ୍ତି ସହିତ ଦର୍ଶକଙ୍କ ଆସ୍ଥା ଜିତିବା ମଧ୍ୟ ସେତିକି ଜରୁରୀ।