ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର-୨’କୁ ନେଇ କ୍ରେଜ୍‌ କମ୍‌ ହେବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ଜେଲ୍‌ର ଫିଲ୍ମର ସିକ୍ବେଲ୍ । ଗୋଟିଏ ପଟେ ଫିଲ୍ମ ଧମାଲ୍‌ କରୁଥିବା ବେଳେ, ସୁପରଷ୍ଟାର ରଜନୀକାନ୍ତ ନିଜର ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି । ଦୀର୍ଘ ୪୦ ବର୍ଷ ହେଲା ସେ ଯାହା କରିନଥିଲେ, ଆଜି ସେମିତି କରି ପ୍ରଶଂସକଙ୍କ ହୃଦୟ ଜିଣିନେଇଛନ୍ତି ରଜନୀକାନ୍ତ । ପ୍ରଥମ ଥର ପାଇଁ ରଜନୀକାନ୍ତ ହଲ୍‌ରେ ପ୍ରଶଂସକଙ୍କ ଗହଣରେ ନିଜର ଏହି ଚଳଚ୍ଚିତ୍ର ଦେଖିଛନ୍ତି । 

ଶୁକ୍ରବାର ରଜନୀକାନ୍ତ ଚେନ୍ନାଇର ଭେଲାଚେରୀସ୍ଥିତ ଫିନିକ୍ସ ମଲ୍‌ର ପିଭିଆର ସିନେମା ହଲରେ ହଠାତ୍ ପହଞ୍ଚିଥିଲେ। ତାଙ୍କ ସହିତ ଚଳଚ୍ଚିତ୍ରର ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ମଧ୍ୟ ଉପସ୍ଥିତ ଥିଲେ। କୌଣସି ପ୍ରାଇଭେଟ୍ ସ୍କ୍ରିନିଂ ବଦଳରେ ସେ ସାଧାରଣ ହଲ୍ ଭିତରେ ବସି ଫ୍ୟାନ୍ସମାନଙ୍କ ସହ ସିନେମା ଦେଖିଛନ୍ତି। ଏହି ସମୟରେ ରଜନୀକାନ୍ତ ନୀଳ ରଙ୍ଗର ଟି-ସାର୍ଟ, ଟ୍ରାଉଜର ଏବଂ କ୍ୟାପ୍ ପିନ୍ଧିଥିଲେ। 

ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା 'ସନ୍ ଫିକ୍ଚର୍ସ' ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ, ରଜନୀକାନ୍ତଙ୍କ ଏହି ଗସ୍ତର ସୁନ୍ଦର ଭିଡିଓ ସେୟାର କରିଛି। ସେଥିରେ ଲେଖାଯାଇଛି, ‘୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସୁପରଷ୍ଟାର ରଜନୀକାନ୍ତ ନିଜ ପ୍ରଶଂସକଙ୍କ ସହ ବଡ଼ ପରଦାରେ ଜେଲ୍‌ର-୨ରେ କ୍ରେଜ୍‌ ଦେଖିବାକୁ ସାମିଲ ହୋଇଛନ୍ତି ।’ 

ବକ୍ସ ଅଫିସରେ ୬୦୦ କୋଟିରୁ ଅଧିକ ଆୟ
ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ୯ ଦିନ ପୂରଣ କରିସାରିଛି । ସାରା ବିଶ୍ୱରେ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଛି ଜେଲର-୨ ।  ରିପୋର୍ଟ ଅନୁଯାୟୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ‘ଲିଓ’ ପରେ ‘ଜେଲର୍ ୨’ ଦ୍ୱିତୀୟ ସର୍ବାଧିକ ଆୟକାରୀ ତାମିଲ ଫିଲ୍ମ ଭାବରେ ଇତିହାସ ରଚିଛି।

୨୦୨୩ ର ମେଗା ହିଟ୍ ଫିଲ୍ମ ‘ଜେଲର୍’ ର ସିକ୍ୱେଲ୍ ଜେଲର-୨ । ଏହି ଫିଲ୍ମରେ ରଜନୀକାନ୍ତ ପୁଣି ଥରେ ‘ମୁଥୁଭେଲ ପାଣ୍ଡିଆନ୍’ ଭୂମିକାରେ ଅଭିନୟ କରିଛନ୍ତି । ବଡ଼ ମୂର୍ତ୍ତି ଚୋରାଚାଲାଣକାରୀ ଗ୍ୟାଙ୍ଗର ମୁକାବିଲା କରୁଛନ୍ତି ରଜନୀକାନ୍ତ। ଏହି ସିନେମାରେ ଏସ୍. ଜେ. ସୂର୍ଯ୍ୟ, ବିଦ୍ୟା ବଲାନ, ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ବଡ଼ କଳାକାର ଅଭିନୟ କରିଛନ୍ତି ।  ମୋହନଲାଲ, ଶିବ ରାଜକୁମାର ଓ ହ୍ରିତିକ ରୋଶନ କ୍ୟାମିଓ ଭୂମିକାରେ ନଜର ଆସିଛନ୍ତି।  ତେବେ ୭୫ ବର୍ଷ ବୟସରେ ରଜନୀକାନ୍ତ ସୁପରହିଟ୍‌ ଫିଲ୍ମ ଭେଟି ଦେଇ ସବୁ ବର୍ଗର ଦର୍ଶକଙ୍କୁ ଚକିତ କରିଦେଇଛନ୍ତି ।