ଭୁବନେଶ୍ଵର: ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା ଜୋର । ଆସନ୍ତାକାଲି ନୂଆ ଡିଜିପି ଚୟନ ନେଇ ଦିଲ୍ଲୀରେ ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଥିବାରୁ ନୂଆ ଡିଜିପି କିଏ ହେବେ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । କାରଣ କିଏ ଡିଜି ହେବେ ସେମାନଙ୍କର ୩ ଜିଣିଆ ସମ୍ଭାବ୍ୟ ନାଁ ରାଜ୍ୟ ସରକାରଙ୍କୁ ଦେବ ୟୁପିଏସସି । ଏଥିରୁ ଜଣଙ୍କୁ ଡିଜିପି ନିଯୋଜିତ କରିବେ ରାଜ୍ୟ ସରକାର । ତେବେ  ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍‌ର ସୁଧାଂଶୁ ଷଡ଼ଙ୍ଗୀ, ଏବଂ ୧୯୯୩ ବ୍ୟାଚର ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ଭିତରୁ କିଏ ଜଣେ ପରବର୍ତ୍ତୀ ଡିଜିପି ହୋଇ ପାରନ୍ତି ବୋଲି ପୋଲିସ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି ? କାହା ମୁଣ୍ଡରେ ବନ୍ଧାଯିବ ଡିଜିପି ସିରପା । ପୁଲିସ ଓ ରାଜନୈତିକ ମହଲରେ ଏହି ଚର୍ଚ୍ଚା  ଜୋର୍ ଧରିଥିବାବେଳେ କିଏ ସରକାରଙ୍କ ଗୁଡ୍ ବୁକ୍‌ରେ ଅଛନ୍ତି ଏବଂ ସରକାର କାହାକୁ ଭରସା କରିବେ ତାକୁ ନେଇ ଚାଲିଛି ଛକାପଞ୍ଛା । ଅଗଷ୍ଟ ୧୫ ପରଦିନ ଡିଜିପି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ୧୦ ତାରିଖ ସୁଦ୍ଧା ନୂଆ ନାଁ ଘୋଷଣା ହେବ। ସେଥିପାଇଁ  କାଲି ଦିଲ୍ଲୀରେ ବସିବ ୟୁପିଏସସି ଚୟନ କମିଟି ବୈଠକ । ୟୁପିଏସସି ଅଧ୍ୟକ୍ଷଙ୍କ ଅଧକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଗୃହ ବିଭାଗ ସଚିବ, କେନ୍ଦ୍ର ସରକାରଙ୍କ ଦ୍ବାରା ମନୋନୀତ ଅନ୍ୟ ରାଜ୍ୟ କ୍ୟାଡରର ଜଣେ କେନ୍ଦ୍ରୀୟ ପୋଲିସ ସଂଗଠନର ମୁଖ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ରହିବେ। ଡିଜି ପଦ ପାଇଁ ୧୧ ଜଣ ଅଧିକାରୀଙ୍କ ନାଁ ପଠାଯାଇଛି । 

Also Read: ଆୟୁଷ୍ମାନରେ ମିଶିବ କି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ? ପ୍ରକ୍ରିୟା ଆରମ୍ଭ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ସରକାର କରିବେ ତର୍ଜମା

ଏହି କମିଟି ବରିଷ୍ଠ  ଆଇପିଏସ ଅଧିକାରୀ ମାନଙ୍କ ମଧ୍ୟରୁ ୩ ଜଣଙ୍କ ତାଲିକା ପ୍ରସ୍ତୁତ କରିବେ । ସେହି ତାଲିକାରୁ ରାଜ୍ୟ ସରକାର ଜଣଙ୍କୁ ନୂଆ ଡିଜି ଭାବରେ ନିଯୁକ୍ତି କରିବେ । ନିୟମ ଅନୁଯାଇ ଏହି ଅଧିକାରୀଙ୍କର ଚାକିରି ଅତି କମରେ ୩୦ବର୍ଷ ହୋଇଥିବ ଏବଂ ଚାକିରି ସମୟର ରେକର୍ଡ ସ୍ବଚ୍ଛ ରହିଥିବ । ଏହା ସହ ୩ ଟି କ୍ରାଇଟେରିଆ - ସର୍ଭିସ ରେକର୍ଡ, ସିନ୍ସିୟରିଟି,ଏବଂ ସିସିଆର ଦେଖି କିଏ ଡିଜି ହେବେ ତା ଉପରେ ମୋହର ବାଜିବ ।

ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ଆଗରେ ରହିଛି। ତାଙ୍କ ପଛକୁ ରହିଛନ୍ତି ୧୯୯୩ ବ୍ୟାଚର ସୁଶାନ୍ତ ନାଥ ଓ ଆର୍ ପି କୋଚେ। କ୍ଷମତା କରିଡରରେ ଏହି ତିନି ଜଣଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରେସରେ ଆଗରେ ରହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ । ସେ ଏବେ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ କଟକ-ଭୁବନେଶ୍ୱରର ପୁଲିସ କମିସନର୍ ଭାବେ ଆଇନଶୃଙ୍ଖଳା ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ସେ ମାଲକାନଗିରି ଜିଲ୍ଲାର ଏସପି ଓ ଦକ୍ଷିଣ-ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ବି ଦାୟିତ୍ବ ତୁଲାଇଛନ୍ତି । ତେଣୁ ତାଙ୍କର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରିଥିବାର ଅନୁଭବ ରହିଛି । ସେଥିପାଇଁ ତାଙ୍କୁ ୨୦୦୮ରେ ଆଇ.ଜି ଅପରେସନ ଦାୟିତ୍ବରେ ରଖାଯାଇଥିଲା । ପୋଲିସ ବିଭାଗରେ ତାଙ୍କର ସେବା ପାଇଁ ପୋଲିସ ପଦକ, ରାଷ୍ଟ୍ରପତି ପୋଲିସ ମେଡାଲ ଭଳି ପଦକ ବି ପାଇଛନ୍ତି ସୁଧାଂଶୁ ଷଡଙ୍ଗୀ।

Also Read: କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ସେଠୀ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ସନ୍ଦେହ ବଢ଼ାଇଲା ପୋଷ୍ଟ ମର୍ଟମ ରିପୋର୍ଟ

ସେହିଭଳି ଆର ପି କୋଚେ ଏବେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ପୂର୍ବରୁ ଅନେକ ପଦପଦବୀରେ ରହିସେ ନିଜ ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ । ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ନାଁ ମଧ୍ୟ ଡିଜି ଦୌଡରେ ଅଛନ୍ତି । ସେ ଜେଲ ଡିଜି ଭାବେ ଜେଲ୍‌ରେ ସଂସ୍କାର ଦିଗରେ ଅନେକ କାମ କରିଛନ୍ତି। ତା ପୂର୍ବରୁ ସେ ବିଏସଏଫ୍ ଆଇଜି ଭାବେ ଦକ୍ଷତାର ସହ ନିଜ ଦାୟିତ୍ବ ତୁଲାଇଥିଲେ । ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନୂଆ ଡିଜିପିଙ୍କ ଉପରେ ଗୁରୁ ଦାୟିତ୍ବ ରହିବ। ଏବେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଭିନ୍ନ ଅଭିଯୋଗ ଉଠୁଥିବାରୁ ତାକୁ ନିୟନ୍ତ୍ରଣ କରିବା ବି ନୂଆ ଡିଜିପିଙ୍କ  ପାଇଂ ଚ୍ୟାଲେଞ୍ଜ ରହିବ ।