ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଜାରି ବିବାଦ ଥମିବାର ନାଁ ନେଉନି। ବିଗତ ଦିନରେ ଏହାକୁ ନେଇ ଢେର ରାଜନୀତି ହୋଇଛି। ସରକାରଙ୍କ ବ୍ୟବସ୍ଥା ଏବଂ ଉଦ୍ଦେଶ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏବେ ପୁଣି ଥରେ ଇଥାନଲ ବିଶିଷ୍ଟ ପେଟ୍ରୋଲକୁ ନେଇ ରାଜନୀତି ସରଗରମ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପେଟ୍ରୋଲରେ ୨୦ ପ୍ରତିଶତରୁ ଅଧିକ ଇଥାନଲ ମିଶ୍ରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ରାହୁଲ ଅଭିଯୋଗ କରିଛନ୍ତି ଯେ, ଦେଶରେ ଲୋକଙ୍କୁ ମହଙ୍ଗା ପେଟ୍ରୋଲ ପାଇଁ ଟଙ୍କା ଗଣିବାକୁ ପଡ଼ୁଛି। ମାତ୍ର ସେମାନଙ୍କ ଗାଡ଼ିରେ ନିର୍ଦ୍ଧାରିତ ସୀମାରୁ ଅଧିକ ଇଥାନଲ ପକାଇ ଦିଆଯାଉଛି। ଏହାକୁ ଜନତାଙ୍କ ଗାଡ଼ିରୁ ପେଟ୍ରୋଲ ଚୋରିର ଆଖ୍ୟା ଦେଇ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ ମିଶାଉଥିବା କମ୍ପାନି ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ?

Also  Read: ଖୋଲା ମଞ୍ଚରେ ବିତର୍କ ପାଇଁ ପିଏମ ମୋଦୀଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ରାହୁଲ, ଶାହଙ୍କୁ କଲେ ଅପିଲ୍

ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପେଟ୍ରୋଲର ନମୂନା ପରୀକ୍ଷଣ କରାଗଲା। ରାଜ୍ୟର ୭ ଜିଲ୍ଲାରୁ ପେଟ୍ରୋଲର ସାମ୍ପଲ ନେଇ ମାନ୍ୟତା ପ୍ରାପ୍ତ ଲ୍ୟାବରେ ଯାଞ୍ଚ କରାଗଲା। ୧୪ ସାମ୍ପୁଲରୁ ୧୧ଟିରେ ଇଥାନଲର ମାତ୍ରା ୨୦ ପ୍ରତିଶତରୁ ଅଧିକ ଦେଖିବାକୁ ମିଳିଛି।

ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆନ ଅଏଲ କର୍ପୋରେସନ(IOCL)ର ଏକ ସାମ୍ପୁଲରେ ଇଥାନଲର ମାତ୍ରା ୩୧.୨ ପ୍ରତିଶତ ମିଳିଥିବା ବେଳେ ହିନ୍ଦୁସ୍ତାନ ପେଟ୍ରୋଲିୟମ(HPCL)ର ସାମ୍ପୁଲରେ ଏହା ୩୦.୫ ପ୍ରତିଶତ ଥିବା ଯାଞ୍ଚରୁ ଜଣା ପଡ଼ିଛି। ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ ବ୍ୟତୀତ ନାୟରା ଓ ସେଲ୍ ପରି କମ୍ପାନିର ପେଟ୍ରୋଲର ନମୂନାରେ ମଧ୍ୟ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ ମିଳିଛି। ହେଲେ କମ୍ପାନିର ନିଜ ଲ୍ୟାବର ରିପୋର୍ଟରେ ଇଥାନଲର ମାତ୍ରାକୁ ନେଇ କୌଣସି ଉଲ୍ଲେଖ କରାଯାଇ ନାହିଁ।

Also Read: ରାଙ୍କାଙ୍କୁ ପାକିସ୍ତାନରୁ ଫଣ୍ଡିଂ, ମୋତେ ଆମେରିକାରୁ; ସୌରଭଙ୍କୁ କେଉଁଠି ମିଳୁଛି ? ଉତ୍ତର ଦିଅ ସରକାର

ଗାଡ଼ିର ମାଇଲେଜ ଓ ଇଞ୍ଜିନ ଉପରେ ପଡ଼ିବ ପ୍ରଭାବ !

ରାହୁଲ ଗାନ୍ଧୀ କହିଛନ୍ତି, ଗ୍ରାହକଙ୍କୁ ପେଟ୍ରୋଲର ମୂଲ୍ୟ ଦେବାକୁ ପଡ଼ୁଛି। ମାତ୍ର ସେମାନଙ୍କ ଟାଙ୍କିରେ ଅଧିକ ମାତ୍ରାରେ ଇଥାନଲ ପକାଇ ଦିଆଯାଉଛି। ଅଧିକ ଇଥାନଲ କାରଣରୁ ଗାଡ଼ିର ମାଇଲେଜ୍ କମିପାରେ ଏବଂ ବାରମ୍ବାର ମେକାନିକ ନିକଟକୁ ଦୌଡ଼ିବାକୁ ପଡ଼ିପାରେ। ରାହୁଲ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଏହି ସୂଚନା ଦିଆଯାଉ ନାହିଁ ଯେ, ପେଟ୍ରୋଲରେ କେତେ ଇଥାନଲ ମିଳୁଛି। ତେଣୁ ଉପଭୋକ୍ତାଙ୍କ ନିକଟରେ ନିଜ ପସନ୍ଦର ଇନ୍ଧନ ଚୟନ କରିବାର ବିକଳ୍ପ ମିଳୁନି। ଲାଗୁଛି E 20, 420 ହୋଇ ଯାଇଛି।

ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି ଯେ, ଦେଶରେ ପେଟ୍ରୋଲରେ କେତେ ପରିମାଣର ଇଥାନଲ ମିଶା ଯାଉଛି। ୨୦ ପ୍ରତିଶତରୁ ଅଧିକ ଇଥାନଲ ମିଶାଉଥିବା କମ୍ପାନି ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ସରକାରଙ୍କ ଇଥାନଲ ନୀତିର ଲାଭାର୍ଥୀଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।