ଲକ୍ଷ୍ନୌ: ବାବ୍ରି ମସଜିଦ ଭଙ୍ଗାଯିବାଠୁ ନେଇ ରାମ ମନ୍ଦିର ନିର୍ମାଣ, ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ରାଜନୀତି ଖୁବ୍ ହୋଇଛି। ସପା ରାମ ବିରୋଧୀ ବୋଲି ଅଭିଯୋଗ କରି ଆସିଛି ବିଜେପି। ତେବେ  ଖୁବ୍ ଶୀଘ୍ର ରାମନଗରୀ ଅଯୋଧ୍ୟା ଯିବେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେଠାରେ ସେ ପତ୍ନି ଡିମ୍ପଲ ଯାଦବ ଓ ନିଜ ପିଲାଙ୍କ ସହ ରାମଲଲାଙ୍କ ଦର୍ଶନ କରିବେ। ଡିସେମ୍ବର ୧୨ରେ ଅଖିଳେଶ ଅଯୋଧ୍ୟା ପହଞ୍ଚିବେ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ପବନ ପାଣ୍ଡେ। ଅଖିଳେଶଙ୍କ ଅଯୋଧ୍ୟା ଗସ୍ତକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି। ଏହା ଉପରେ ବିଜେପିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ଗତ ଦିନରେ ଅଯୋଧ୍ୟା ଗସ୍ତ ସମୟରେ ରାମ ମନ୍ଦିର ଯିବା ପାଇଁ ତାରିଖ ସ୍ଥିର କରିବାକୁ ପବନ ପାଣ୍ଡେଙ୍କୁ ଦାୟିତ୍ଵ ଦେଇଥିଲେ ଅଖିଳେଶ ଯାଦବ। ଆଜି ଛୋଟ ଦୀପାବଳି  ଉପଲକ୍ଷେ ତାରିଖ ଘୋଷଣା କରିଛନ୍ତି ପବନ ପାଣ୍ଡେ। ସେ କହିଛନ୍ତି, ଡିସେମ୍ବର ୧୨ରେ ଶନିବାର ହନୁମାନଗଢି ଓ ରାମଲଲାଙ୍କ ଦର୍ଶନ କରିବେ ଅଖିଳେଶ। ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ନେବେ ଏବଂ ପ୍ରସାଦ ସେବନ କରିବେ। ଅଖିଳେଶଙ୍କ ଅଯୋଧ୍ୟା ଗସ୍ତକୁ ନେଇ ସମସ୍ତ ସପା ନେତା ଓ କର୍ମୀ ଉତ୍ସୁକ ହୋଇ ଉଠିଛନ୍ତି। ଅଯୋଧ୍ୟାରେ ତାଙ୍କର ଭବ୍ୟ ସ୍ଵାଗତ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

Also Read: E20 ନା ଏହା 420, ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍, କହିଲେ- କମ୍ପାନି ଉପରେ କେବେ ଆକ୍ସନ ନେବେ ମୋଦୀ

ବିଜେପିର ପ୍ରତିକ୍ରିୟା

ଅଖିଳେଶ ଶୀଘ୍ର ରାମଲଲାଙ୍କ ଦର୍ଶନ କରିବା ଖବର ଆସିବା ମାତ୍ରେ ବିଜେପିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିଜେପି ନେତା ରାକେଶ ତ୍ରିପାଠୀଙ୍କ କହିବା କଥା, ବହୁତ ବିଳମ୍ବ କରି ଦେଲେ ହଜୁର ଆସିବାରେ...। ଯିଏ ରାମଭକ୍ତଙ୍କ ଉପରେ ଗୁଳି ଚଳାଇବାକୁ ଉପଲବ୍ଧି ଦର୍ଶାନ୍ତି ଏବଂ ବାବ୍ରି ତାମିର କରାଇବାର ପଣ କରନ୍ତି, ସେମାନେ ଏବେ ଅଯୋଧ୍ୟା ଆସୁଛନ୍ତି। ଯଦି ଶୁଭ ମନରେ ଯିବେ ତେବେ ଯାତ୍ରା ସଫଳ ହେବ।

ବିଜେପି ନେତା କହିଛନ୍ତି, ଯଦି ଅଖିଳେଶ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ଦିର ଯାଉଛନ୍ତି, ତେବେ ଏଥିରେ ତାଙ୍କୁ କୌଣସି ଲାଭ ମିଳିବ ନାହିଁ। ଭାଗବାନ ରାମ ତାଙ୍କ ପାପ ପାଇଁ କ୍ଷମା କରିବେ ନାହିଁ। କାରଣ ଭଗବାନ ରାମଙ୍କୁ ନେଇ ରାଜନୀତି କରିବା ଅଶୋଭନୀୟ।