ଭୁବନେଶ୍ୱର, ୦୭/୧୧: ରାଜ୍ୟରେ ଧୀରେ ଧୀରେ ବଦଳିବ ପାଣିପାଗର ମିଜାଜ। ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଶନିବାରଠାରୁ ଆକାଶ ନିର୍ମଳ ରହିବା ସହ ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ। ଫଳରେ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେବ।

ଚଳିତ ବର୍ଷ ଦୀପାବଳିରେ ମଧ୍ୟ ପାଗ ଅନୁକୂଳ ରହିବା ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁଯାୟୀ, ଦୀପାବଳିରେ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଉତ୍ସବ ସମୟରେ ପାଗ ଶୁଖିଲା ରହିବ। ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିବା ଆଶଙ୍କା ରହିଛି। ଏହା ସହ ପାଣିପାଗ ପରିସ୍ଥିତି ଅନୁକୂଳ ନ ରହିଲେ ବାୟୁର ଗୁଣବତ୍ତା ବା AQI ଅତ୍ୟଧିକ ଖରାପ ହୋଇପାରେ। ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ କମ୍ ବାଣ ଫୁଟାଇ ପ୍ରଦୂଷଣ ନିୟନ୍ତ୍ରଣରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଆଲୋକର ପର୍ବ ଦୀପାବଳିକୁ ଆଲୋକରେ ପାଳନ କରନ୍ତୁ, ଧୂଆଁରେ ନୁହେଁ ।

Also Read:-ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ: ଗୋଟିଏ ଦିନର ଦରମା ଦାନ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ଏପଟେ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ସିଷ୍ଟମ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ନଭେମ୍ବର ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବାର ଆକଳନ କରାଯାଉଛି।

ତେବେ ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ହୋଇନାହିଁ। ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ, ତାହା ଆଗାମୀ ପାଣିପାଗ ଆକଳନରୁ ସ୍ପଷ୍ଟ ହେବ। ତେବେ ଏବେ ପାଇଁ ରାଜ୍ୟରେ ଶୁଖିଲା ପାଗ ସହ ହାଲୁକା ଶୀତର ଅନୁଭୂତି ମିଳିବାକୁ ଯାଉଛି ।