ଭୁବନେଶ୍ୱର ୦୭।୧୧ : ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ପାଳନ ହେବନି ଦୀପାବଳି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ବ୍ୟାପକ କ୍ଷୟକ୍ଷତି। ବିପର୍ଯ୍ୟୟର ଏଭଳି ସ୍ଥିତିରେ ଉତ୍ସବ ପାଳନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏପରିକି ଦୀପାବଳିରେ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକଙ୍କୁ ଉପହାର କିମ୍ବା ଫୁଲତୋଡ଼ା ନ ଆଣିବାକୁ ଅନୁରୋଧ କରାଯାଇଛି। ଏହାସହ ବିପନ୍ନଙ୍କ ସହାୟତାରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ।

ବନ୍ୟା ବିପନ୍ନଙ୍କ ମୁହଁରେ ହସ ଫୁଟିନି, ଆଉ ଏପଟେ ଉତ୍ସବ ପାଳନର ପ୍ରଶ୍ନ ଉଠୁନି। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ହୋଇଛି।

Also Read:-ଆଗାମୀ ୫ ଦିନ ଶୁଖିଲା ରହିବ ଓଡ଼ିଶା ପାଗ, ଧୀରେ ଧୀରେ ଖସିବ ପାରଦ ; ଦୀପାବଳିରେ ବର୍ଷା ଆଶଙ୍କା ନାହିଁ

ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୁଭେଚ୍ଛୁ ଓ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କେହି ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବାକୁ କୁହାଯାଇଛି।କେବଳ ଉତ୍ସବ ପାଳନରୁ ଦୂରେଇ ରହିବା ନୁହେଁ, ବରଂ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହେବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଅନୁଭବ କରି ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଜଳିବନି ଉତ୍ସବର ଆଲୋକ। ବରଂ ବିପନ୍ନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ଦୁଃଖରେ ସାମିଲ ହେବା ହିଁ ହେବ ଏଥର ଦୀପାବଳିର ବାର୍ତ୍ତା।