ଜଗତସିଂହପୁର: ବହୁଚର୍ଚ୍ଚିତ କଟକ ପୂର୍ତ୍ତ ବିଭାଗର ଯୁବ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ସେଠୀଙ୍କର ସନ୍ଦେହଜନକ ମୃତ୍ୟୁ ମାମଲାରେ ଆସିଛି ଟ୍ବିଷ୍ଟ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ନୂଆ ମୋଡ଼ ନେଇଛି। ପ୍ରାଥମିକ ସୂଚନା ଅନୁସାରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଗଭୀର ସନ୍ଦେହ ସୃଷ୍ଟି କରିଛି।

ପ୍ରକୃତରେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ରଶ୍ମିରଞ୍ଜନଙ୍କ ପାକସ୍ଥଳୀ ଭିତରୁ ପ୍ରାୟ ୨୫୦ ମିଲିଲିଟର ହଳଦିଆ ରଙ୍ଗର ତରଳ ପଦାର୍ଥ ମିଳିଛି। ଏମିତିରେ ପ୍ରଶ୍ନ ଉଠିଛି ଯଦି ମୃତ୍ୟୁର କାରଣ କେବଳ ଶ୍ଵାସରୁଦ୍ଧ ତେବେ ଏହି ସନ୍ଦେହଜନକ ତରଳ ପଦାର୍ଥ ପ୍ରକୃତରେ କଣ ? ତାହା ତାଙ୍କ ଶରୀରକୁ କିପରି ଆସିଲା, ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read: ରାୟଗଡ଼ା ରିବଲକୋଣା ହଷ୍ଟେଲ ରାଗିଂ ଘଟଣାରେ ଆକ୍ସନ : ୭ ଛାତ୍ର ବହିଷ୍କୃତ, ପ୍ରଧାନଶିକ୍ଷକଙ୍କୁ ନୋଟିସ୍

ସୂଚନାଥାଉକି, ଗତ ଜୁଲାଇ ୧୬ ତାରିଖ ରାତିରେ ପତ୍ନୀଙ୍କ ଜନ୍ମଦିନ ପାଳନ ପାଇଁ ବାଲେଶ୍ଵର ସ୍ଥିତ ଭଡ଼ା ଘରକୁ ଆସିଥିବା ବେଳେ ରଶ୍ମିରଞ୍ଜନଙ୍କ ମୃତଦେହ ମିଳିଥିଲା। କିନ୍ତୁ ତାଙ୍କ ପତ୍ନୀ ଏହାକୁ ଆତ୍ମହତ୍ୟା ବୋଲି ଦାବି କରୁଥିଲେ। ହେଲେ ରଶ୍ମିଙ୍କ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ଦୁଇଟି ଭିନ୍ନ ରଙ୍ଗର କାଳି ବ୍ୟବହାର ହୋଇଥିବା ତଥ୍ୟ ପୋଲିସ ହାତରେ ଲାଗିବା ପରେ ସସପେନ୍ସ ଆହୁରି ବୃଦ୍ଧି ପାଇଛି। ତେବେ ଏହି ହଳଦିଆ ତରଳ ପଦାର୍ଥ କୌଣସି ବିଷାକ୍ତ ଦ୍ରବ୍ୟ କି ନୁହେଁ ତାହା ଫରେନ୍ସିକ ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ। ଏମିତିରେ ପ୍ରଶ୍ନ ଉଠିଛି ରଶ୍ମିରଞ୍ଜନଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ ରହସ୍ୟ ଉପରୁ କେବେ ପରଦା ଉଠାଇବ ପୋଲିସ ?