ଭୁବନେଶ୍ବର ୬।୮: କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା । ପୂର୍ବରୁ ୨ ଲକ୍ଷ ଟଙ୍କାର ବୀମା ସୁବିଧା ଥିଲା । ପୂର୍ବ ସରକାର ଏହାକୁ ୫ ଲକ୍ଷକୁ ବଢ଼ାଇଥିଲେ । କିନ୍ତୁ ଏବେ ନୂଆ ସରକାର ଏହି ଯୋଜନାର ରୂପରେଖ ବଦଳାଇ ଏହାକୁ ଆୟୁଷ୍ମାନ ଭାରତ ଯୋଜନାରେ ବିଲୟ କରିବାକୁ ମସୁଧା କରିଛନ୍ତି । ଏହାକୁ ନେଇ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ବୈଠକ ବସିଥିଲା । ଯେଉଁଥିରେ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି । ଯଦି ସାମ୍ବାଦିକ ମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି, ସରକାର ଏହାର ତର୍ଜମା କରିବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ସାମ୍ବାଦିକ ମାନେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରାୟ ୮ ହଜାର ୭୧୭ କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି । ଏ ଯୋଜନାରେ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟବୀମା ଅବଧି ସରିଯାଉଛି । ଏହାର ନବୀକରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସତ, କିନ୍ତୁ ଆବେଦନ ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ନିର୍ଦ୍ଦିଷ୍ଟ ସରକାରୀ ୱେବସାଇଟ୍ ଅଛି । ପ୍ରତିଥର ୱେବସାଇଟ୍ରେ ଅନଲାଇନ ମୋଡ୍ରେ ସ୍ୱାସ୍ଥ୍ୟ ବୀମାର ନବୀକରଣ ହୁଏ । କିନ୍ତୁ ଏଥର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ ଜରିଆରେ ଅଫଲାଇନ୍ରେ ଫର୍ମ ସଂଗ୍ରହ କରାଯାଉଛି । ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରାସନ୍ କାର୍ଡ ତଥ୍ୟ ବି ମଗାଯାଉଛି । ପୁଣି ବାପା, ମା’ଙ୍କ ଆଧାର କାର୍ଡ ତଥ୍ୟ ସଂଗ୍ରହ ହେଉଛି । ଏହାର କୌଣସି କାରଣ ଦର୍ଶାଯାଇନି । ସେମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ କରାଯିବ କି ? ଏ ପ୍ରଶ୍ନ ପଚାରିଲେ ସଂପୃକ୍ତ ଡିଆଇପିଆରଓମାନେ ଚୁପ୍ ରହୁଛନ୍ତି । ‘ଆମେ ଜାଣିନୁ’, ‘କହି ପାରିବୁନି’, ‘ସରକାର ମାଗିଛନ୍ତି’ । ଏମିତି ଉତ୍ତର ଆସୁଛି ।

Also Read:- ବିବାହର ମାସେ ନପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖରେ ସ୍ୱାସ୍ଥ୍ୟ ବୀମାର ଅବଧି ସରୁଥିଲେ ବି ଏବେଯାଏ ବୀମା କମ୍ପାନୀ ଚୟନ କରିବାକୁ କୌଣସି ଟେଣ୍ଡର ବା ବିଡ୍ ଆହ୍ୱାନ ହୋଇନି । ସ୍ୱାସ୍ଥ୍ୟବୀମାର ଅବଧିକୁ ଆଉ ୨ ମାସ ବଢ଼ାଇ ଦିଆଯିବ । ତା ଭିତରେ କେଉଁ ସାମ୍ବାଦିକଙ୍କ ରାସନ କାର୍ଡ ଅଛି ଓ ପରିବାରର କେତେ ଜଣ ଏଥିରେ ସାମିଲ ଅଛନ୍ତି, ତାକୁ ଯାଞ୍ଚ ପାଇଁ ଓକାକ୍କୁ ଭିତିରି ନିର୍ଦ୍ଦେଶ ଦିଆଯାଇଛି । ପୂରା ତଥ୍ୟ ଆସିବା ପରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ମିଶାଇ ଦିଆଯିବ । ଏଥିରେ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯିବ । ସ୍ୱାସ୍ଥ୍ୟ ବୀମାର ପରିସର ବଢ଼ାଇ ସାମ୍ବାଦିକଙ୍କ ବାପା, ମା’ଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଗଲା ବୋଲି ଘୋଷଣା ହେବ ।

ସାମ୍ବାଦିକଙ୍କ ବୀମା ପାଇଁ ସରକାର ବୀମା କମ୍ପାନୀକୁ ବର୍ଷକୁ ପ୍ରାୟ ୭ରୁ ୮ କୋଟି ଟଙ୍କାର ପ୍ରିମିୟମ ଦେଉଥିଲେ । ସ୍ୱାସ୍ଥ୍ୟ ବୀମା ଅନେକ ସାମ୍ବାଦିକଙ୍କ ଜରୁରୀ ଚିକିତ୍ସା ପାଇଁ ସଞ୍ଜିବନୀ ପାଲଟୁଥିଲା । କିଏ ଦୁର୍ଘଟଣା ତ ଆଉ କିଏ ଜଟିଳ ରୋଗର ଶିକାର ହେଲେ ବୀମା ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ ହସ୍ପିଟାଲରେ ଉନ୍ନତ ଚିକିତ୍ସା ପାଉଥିଲେ । କିନ୍ତୁ ଏହାକୁ ବନ୍ଦ କରି ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ସରକାରଙ୍କ ମୁଣ୍ଡରେ ନୂଆ ବୁଦ୍ଧି ଜୁଟିଛି । ସ୍ୱାସ୍ଥ୍ୟ ବୀମା କାର୍ଡରେ କ୍ୟାସଲେସ୍ ଚିକିତ୍ସା ସୁବିଧା ସାଙ୍ଗକୁ କ୍ୟାବିନ୍, ଗୁରୁତର ରୋଗ ପାଇଁ ଅସୀମିତ ସ୍ଲାବ୍, ପର୍ଯ୍ୟାପ୍ତ ଚିକିତ୍ସା ବିକଳ୍ପ ମିଳୁଥିଲା । କିନ୍ତୁ ଆୟୁଷ୍ମାନ ଯୋଜନାରେ ସୀମିତ ଚିକିତ୍ସା ସୁବିଧା ମିଳିବ । ନିକଟରେ ସରକାର ବିଧାୟକଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କାର ବୀମା ସୁବିଧାକୁ ନବୀକରଣ କରିଛନ୍ତି । ପୁଣି ପୁରୀ ସେବାୟତଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ନବୀକରଣ ହୋଇଛି । କିନ୍ତୁ ସାମ୍ବାଦିକଙ୍କ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବଢ଼ାଇବାକୁ ଦୀର୍ଘ ଦିନକୁ ଦାବି ହେଉଛି । କିନ୍ତୁ ଏହା ପୂରଣ ହେଉନି । ଆୟୁଷ୍ମାନ ସହ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ମିଶାଇବା ଯୋଜନା ରଖିଥିଲେ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ । ତତ୍କାଳ ସ୍ୱାସ୍ଥ୍ୟ ବୀମା ଯୋଜନାର ନବୀକରଣ କରି ଏଥିରେ ବାପା, ମା’ଙ୍କୁ ସାମିଲ କରନ୍ତୁ ବୋଲି ସାମ୍ବାଦିକ ମାନେ ଦାବି ରଖିଛନ୍ତି ।