ନୂଆଦିଲ୍ଲୀ : ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍)ଙ୍କ କାର୍ଯ୍ୟକାଳ ୩୦ ମେ ୨୦୨୬ରେ ଶେଷ ହେବ। ତେବେ ତା ପୂର୍ବରୁ ନୂଆ ସିଡିଏସ୍ ଚୟନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜନୀତିରେ କୌଣସି ପଦକୁ ନେଇ ଯେପରି ଏକାଧିକ ନାମ ସାମିଲ ହୋଇଯାଏ, ସିଡିଏସ ପଦବୀ ଲାଗି ଅନେକ ଜେନେରାଲ ଓ ଆଡମିରାଲଙ୍କ ନାମ ଏବେ ରେସ୍ ରେ ସାମିଲ ହୋଇ ସାରିଲାଣି। ଏଣୁ ଏବେ ପ୍ରଶ୍ନ ଉଠୁଛି ସିଡିଏସ୍ ପୋଷ୍ଟ ସେନାର ନା ଏଥିରେ ବି ରାଜନୀତି ପଶି ସାରିଲାଣି? ଏମିତି ଦେଖିଲେ ସିଡିଏସ୍ ସେନା ପୋଷାକରେ ରହି ସେନାର ସବୁ ନିଷ୍ପତ୍ତିରେ ସଚିବ ଭାବେ ମୋହର ଲଗାନ୍ତି। ଅର୍ଥାତ ଏହି ପଦକୁ ମିଲେଟ୍ରି ଓ ରାଜନୈତିକ ଉଭୟ ମନେ କରାଯାଉଛି।

ଗତ ଦୁଇଥର ସିଡିଏସ୍ ଙ୍କୁ ଆର୍ମିରୁ ଚୟନ କରାଯାଇଛି। ଏଥର ତୃତୀୟ ସଡିଏସ ବାୟୁସେନା ଅଥବା ନୌସେନାରୁ ବଛାଯିବେ ନା ପୁଣି ଆର୍ମି ହାତକୁ ଏହି ପଦବୀ ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମାମଲାରେ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଖଣ୍ଡାରେଙ୍କ କହିବା କଥା ହେଉଛି ଭାରତର ସୀମା ସୁରକ୍ଷା ଉପରେ ସର୍ବଦା ବିପଦ ରହୁଛି। ଏହା ଛଡା ଏଲଓସି ଏବଂ ଏଲଏସିରେ ସେନାକୁ ଶତ୍ରୁ ଦେଶଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। ଏଥିରେ ଆର୍ମିରୁ ସିଡିଏସ ବଛା ଯିବାର ମୁଖ୍ୟ କାରଣ ହେଉଛି ଭାରତର ୩ ସେନାରୁ ସ୍ଥଳ ସେନା ସବୁଠୁ ବଡ଼ ଓ ସ୍ଥଳ ଯୁଦ୍ଧରେ ସବୁଠୁ ଅଧିକ ଅନୁଭବ ରଖେ। ଏଣୁ ଏଥର ସିଡିଏସ୍ ପଦବୀ ଲାଗି ଅନେକ ନାମ ସାମ୍ନାକୁ ଆସିବାରେ ଲାଗିଲାଣି।

ରିଟାୟାର୍ଡ ଲେଫ୍ଟନାଣ୍ଟ ଜେନେରାଲଙ୍କ ଠାରୁ ଆରମ୍ଭ କରି ଅବସର ନେବାକୁ ଥିବା ନୌସେନା ମୁଖ୍ୟ ଦିନେଶ କେ. ତ୍ରିପାଠୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଏ ସବୁ ମଧ୍ୟରେ ଏହା ବି କୁହାଯାଉଛି ବର୍ତ୍ତମାନର ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ପୁଣି ଥରେ ସମ୍ପ୍ରସାରଣ କରାଯାଇ ପାରେ। କାରଣ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୦୨୫ରେ ସିଡିଏସଙ୍କ କାର୍ଯ୍ୟକାଳକୁ ୩୦ ମେ ୨୦୨୬ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ଏଥିରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୨୦୨୬ରେ ଅବସର ଗ୍ରହଣ କରୁଛନ୍ତି। ଏଣୁ ତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଭାରତର ସିଡିଏସଙ୍କ ଚୟନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି କରିଥାନ୍ତି। ଏଥି ପାଇଁ କମିଟି ଡିଫେନ୍ସ ମିନିଷ୍ଟ୍ରିକୁ ନାମ ପ୍ରସ୍ତାବ କରେ। ତେବେ ସିଡିଏସ୍ ପଦବୀ ନେଇ ବରିଷ୍ଠତାକୁ ସେପରି ଗୁରୁତ୍ୱ ଦିଆଯାଏନି। ତେବେ ଏଥି ପାଇଁ ତିନିସେନା ସମ୍ପର୍କରେ କିଏ ଟିକନିକ୍ ଜାଣନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। କାରଣ ସିଡିଏସ୍ ହିଁ ବର୍ତ୍ତମାନ ଓ ଭବିଷ୍ୟତର ଯୁଦ୍ଧ ପାଇଁ ନା କେବଳ ରଣନୀତି ପ୍ରସ୍ତୁତ କରନ୍ତି ବରଂ ସରକାରଙ୍କ ସହ ମିଶି ଡିଫେନ୍ସ ର ନୂଆ ପ୍ଲାନିଂ ମଧ୍ୟ କରନ୍ତି।