ନୂଆଦିଲ୍ଲୀ, ୧୪/୧୦ : ଏନଏମସି ହେଲ୍ଥକେୟାର ଗ୍ରୁପ୍ ଏବଂ ୟୁଏଇ ଏକ୍ସଚେଞ୍ଜର ପ୍ରତିଷ୍ଠାତା ବି. ଆର୍ ସେଟ୍ଟୀ ବ୍ୟାଙ୍କ୍ ଅଫ୍ ବରୋଦା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ସେ ୧୫ ଅରବ ଡଲାର ବା ୧.୪୪ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ମାଗିଛନ୍ତି ।

ସେଟ୍ଟୀଙ୍କ ଅଭିଯୋଗ ଅନୁସାରେ, ସରକାରୀ ବ୍ୟାଙ୍କ୍ ବିଓବି ଏବଂ ଏହାର କିଛି ଅଧିକାରୀ ଠକେଇରେ ସାମିଲ ଅଛନ୍ତି । ଅଧିକାରୀମାନେ ସେଟ୍ଟୀଙ୍କ କମ୍ପାନୀ ସହ ଜଡିତ ଏକ ଠକେଇ ମାମଲାରେ ସାହାଯ୍ୟ କରିଛନ୍ତି । ଏପରିକି ଫେକ୍ ଦସ୍ତଖତରେ ଲୋନ୍ ପ୍ରଦାନ କରିଛନ୍ତି । ସେ ନିଜେ ଅନେକ କାଗଜପତ୍ରରେ କେବେହେଲେ ଦସ୍ତଖତ କରି ନାହାଁନ୍ତି । ହେଲେ ତାଙ୍କର ଜାଲ୍ ଦସ୍ତଖତରେ ଲୋନ୍ ପ୍ରଦାନ କରାଯାଇଛି ।

Also Read :- Traffic checking drive: ପାର୍ବଣ ପୂର୍ବରୁ ସଜାଗ ସୋର ପୋଲିସ, ଅଟକାଇ ଯାଞ୍ଚ କଲା ବାଇକ୍‌ଠୁ କାର୍

କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ୨୦୧୯ ଯାଏଁ ବ୍ୟାଙ୍କ୍ ଅଫ୍ ବରୋଦା ଏନଏମସିର ମୁଖ୍ୟ ବ୍ୟାଙ୍କର ଥିଲା । ଏହି ସମୟରେ ଟ୍ରାଞ୍ଜାକସନ୍ ପ୍ରୋସେସ ସହ ସିଷ୍ଟମେଟିକ୍ ମ୍ୟାନେଜମେଣ୍ଟ୍ ରୂପରେ ଅନେକ ଫଣ୍ଡ୍ ହେରଫେର୍ କରାଯାଇଛି । ଫଳରେ ଏନଏମସି ଗ୍ରୁପର ବଭିନ୍ନ କମ୍ପାନୀରୁ ବେଆଇନ ଭାବେ ଟଙ୍କା ଉଠାଯାଇ ପୂର୍ବତନ ସିଇଓ ପ୍ରଶାନ୍ତ ମଙ୍ଗାତଙ୍କ ସେଲ୍ କମ୍ପାନୀକୁ ଟ୍ରାନ୍ସଫର୍ କରାଯାଇଛି ।

ଆହୁରି ଅଭିଯୋଗ

ବ୍ୟାଙ୍କ୍ ଉପରେ ଅଭିଯୋଗ ହୋଇଛି ଯେ, ୨୦୧୭ରୁ ୨୦୧୯ ମଧ୍ୟରେ ବି. ଆର୍ ସେଟ୍ଟୀଙ୍କ ଅଜାଣତରେ ତାଙ୍କ ନାଁରେ ନ୍ୟାଶନାଲ ବ୍ୟାଙ୍କ୍ ଅଫ୍ ଫୁଜେରାହରେ ଦୁଇଟି ଫେକ୍ ଆକାଉଣ୍ଟ ଖୋଲା ଯାଇଥିଲା । ଏହା ସାହାଯ୍ୟରେ କମ୍ପାନୀରୁ ବେଆଇନ ଟଙ୍କା ଉଠାଣ କରାଯାଇଥିଲା । କିପରି ପ୍ରମାଣକୁ ଲୁଚାଯାଇପାରିବ ଏବଂ ଡକ୍ୟୁମେଣ୍ଟରେ ଚଞ୍ଚକତା କରାଯିବ ସେନେଇ ମଧ୍ୟ ବ୍ୟାଙ୍କର କିଛି କର୍ମଚାରୀ ଯୋଜନା କରିଥିଲେ । ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟତୀତ କମ୍ପାନୀର ୨୫ ଜଣ ପୂର୍ବତନ କର୍ମଚାରୀଙ୍କ ବିରୋଧରେ ମଧ୍ୟ ସେଟ୍ଟୀ ମାମଲା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୦ରେ କମ୍ପାନୀରେ ଆର୍ଥିକ ସଙ୍କଟ ଆସିଥିଲା । ଠକେଇର ଖୁଲାସା ହୋଇଥିଲା । କିନ୍ତୁ ବ୍ୟାଙ୍କ୍ ନିଜ ଭୁଲ ଲୁଚାଇ ଓଲଟା ତାଙ୍କ ବିରୋଧରେ ସରକାରୀ ସଂସ୍ଥା ଜରିଆରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା । ଫଳରେ ତାଙ୍କ ସମ୍ମାନରେ ଆଞ୍ଚ ଆସିଛି । ଏଥିପାଇଁ ସେ ୧୫ ଅରବ ଡଲାରର କ୍ଷତିପୂରଣ ମାଗିଛନ୍ତି । ଏହାମଧ୍ୟରୁ ୫ ଅରବ ଡଲାର ବା ୪୮ ହଜାର କୋଟି ଟଙ୍କା କେବଳ ମାନହାନୀ ପାଇଁ ସେ ଦାବି କରିଛନ୍ତି ।