ନୂଆଦିଲ୍ଲୀ, ୧୪/୧୦ : ଭାରତ ଓ ୱେଷ୍ଟ୍ ଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା। ପ୍ରଥମ ୩ଟି ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବ୍ୟାଟରଙ୍କ ରାଜୁତି ଜାରି ରହିବ ଓ ବୋଲରଙ୍କୁ ନିର୍ମମ ପ୍ରହାରର ସାମ୍ନା କରିବାକୁ ହେବ। ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି।

ୱେଷ୍ଟ ଇଣ୍ଡିଜ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ଆଉ ତ୍ରୁଟି ନ କରି ସିରିଜ କବଜା କରିବାକୁ ପ୍ରୟାସ କରିବ। ଇନ୍ଦୋରରେ (ତୃତୀୟ ଟି-ଟ୍ୱେଣ୍ଟି) ଭାରତ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲେ ହେଁ ୱେଷ୍ଟ ଇଣ୍ଡିଜକୁ ଅଟକାଇବା ବଡ଼ ସଫଳତା ରହିଥିଲା। ଭାରତୀୟ ପିଚରେ ଦ୍ୱିତୀୟରେ ବୋଲିଂ କରି ବିପକ୍ଷ ଦଳକୁ ଅଟକାଇବା ସହଜ କଥା ନୁହେଁ। ତଥାପି ଏହି ବିଜୟ ମନୋବଳ ବୃଦ୍ଧି କରିବା ପାଇଁ ଯଥେଷ୍ଟ ନୁହେଁ । ବୋଲିଂରେ ଉନ୍ନତି ଆଣିବା ନିହାତି ଜରୁରି। ଆଜି ଭାରତ ଏଥିପ୍ରତି ଗରୁତ୍ବ ଦେବ।

Also Read :- ରୋହିତ ପୁଣି ହେବେ ଅଧିନାୟକ ! ଖୁବ୍ ଶୀଘ୍ର ଘୋଷଣା କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ବୁଧବାର ଅଭିଷେକ ଶର୍ମା ଓ ରଷ୍ଟନ ଚେଜଙ୍କ ମଧ୍ୟରେ ଏକ ଲଢ଼େଇ ହେବା ଆଶା କରାଯାଉଛି। ଚେଜଙ୍କ ବିପକ୍ଷରେ ଅଭିଷେକ ୧୩ଟି ବଲର ସାମ୍ନା କରି ୨୫ ରନ ସଂଗ୍ରହ କରିଛନ୍ତି ଓ ୨ ଥର ଆଉଟ୍ ହୋଇଛନ୍ତି। ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ରୋମାରିଓ ସେଫର୍ଡ ରାଞ୍ଚିରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ଆହତ ହୋଇଥିବାରୁ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ମ୍ୟାଚ ଖେଳି ନଥିଲେ।

ଚତୁର୍ଥ ମ୍ୟାଚରେ ଟସ୍ ପୂର୍ବରୁ ସେ ଫିଟନେସ୍ ପରୀକ୍ଷା ଦେବେ। ତାଙ୍କ ଉପସ୍ଥିତି ଦଳର ଶକ୍ତି ଦ୍ବିଗୁଣା କରିବ। ଇନ୍ଦୋରରେ ଭାରତ ୩ଜଣ ପେସ୍ ବୋଲରଙ୍କୁ ନେଇ ଖେଳିଥିଲା ଓ ମ୍ୟାଚ ଜିତିଥିଲା। ଏହି ରଣନୀତିକୁ ଦଳ ଦୋହରାଇବା ଏକ ପ୍ରକାର ନିଶ୍ଚିତ। ଯାହା ଫଳରେ କୁଲଦୀପ ଯାଦବ ଏକାଦଶକୁ ଫେରି ପାରିବେ ନାହିଁ। ଅକ୍ଷର ପଟେଲ ଓ ନମନ ଧିର ସ୍ପିନ୍ ବିଭାଗ ସମ୍ଭାଳିବେ।

ଉପଲ୍ ଷ୍ଟାଡ଼ିୟମ୍ର ପିଚ୍ ବିଶାଳ ସ୍କୋର ପାଇଁ ପରିଚିତ। ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ଦଳର ଏହା ଘରୋଇ ଗ୍ରାଉଣ୍ଡ । ଗତ କିଛି ସିଜନ ଧରି ସନରାଇଜର୍ସ ଏହି ଗ୍ରାଉଣ୍ଡରେ ନିୟମିତ ଭାବେ ବିଶାଳ ସ୍କୋର ସଂଗ୍ରହ କରି ଆସୁଛି। ଆଜି ମଧ୍ୟ ବଡ଼ ସ୍କୋର ହେବ। ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ।