ନୂଆଦିଲ୍ଲୀ, ୧୪/୧୦ : ପାକିସ୍ତାନୀ ବ୍ୟାଟସମ୍ୟାନ୍ ସାହିବଜାଦା ଫରହାନ୍ ଶ୍ରୀଲଙ୍କା ବିପକ୍ଷ ଟି୨୦ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏପରିକି ସେ ଭାରତୀୟ ବିସ୍ଫୋରକ ଓପନର ଅଭିଷେକ ଶର୍ମାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହାସହ ବିରାଟ କୋହଲିଙ୍କ ଏକ ଖାସ୍ କୀର୍ତ୍ତିମାନ ସହ ସମକକ୍ଷ ହୋଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ୨-୧ରେ ସିରିଜ୍ ଜିତିଛି । ଏହି ସିରିଜରେ ଫରହାନ୍ ଦଳର ଅଧିନାୟକ ରହିଥିଲେ । ସେ ସିରିଜରେ ୨୩୮ ରନ୍ କରିଥିବା ବେଳେ ସମସ୍ତ ମ୍ୟାଚରେ ଅର୍ଧଶତକ ହାସଲ କରିଛନ୍ତି ।

ରାଓ୍ୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲାରେ ପାକିସ୍ତାନ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା । କିନ୍ତୁ ମଙ୍ଗଳବାର ଖେଳାଯାଇଥିବା ଶେଷ ମୁକାବିଲାକୁ ଶ୍ରୀଲଙ୍କା ଟିମ୍ ଜିତି ନେଇଛି । ଏହା ସତ୍ତ୍ୱେ ଫରହାନ୍ ଦମଦାର ପ୍ରଦର୍ଶନ କରିଥିଲେ ।

ଫରହାନ୍ ସିରିଜର ପ୍ରଥମ ମୁକାବିଲାରେ ୫୩ ବଲରୁ ୮୯ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚରେ ସେ ୭୩ ଏବଂ ତୃତୀୟ ମ୍ୟାଚରେ ୭୬ ରନ୍ କରିଥିଲେ । ଏପରି ଭାବେ ସେ ମୋଟ୍ ୨୩୮ ରନ୍ ସ୍କୋର କରିଥିଲେ । ଏହାସହ ସେ କୌଣସି ଶକ୍ତିଶାଳୀ ଟିମ ବିପକ୍ଷରେ ତିନି ଟିକିଆ ଟି୨୦ ସିରିଜରେ ସର୍ବାଧିକ ରନ୍ କରିଥିବା ବ୍ୟାଟର୍ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ ଅଭିଷେକ ଶର୍ମାଙ୍କ ନାଁରେ ଥିଲା । ଗତମାସରେ ଦିଲ୍ଲୀରେ ଅଭିଷେକ ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ଟି୨୦ ସିରିଜରେ ୨୨୯ ରନ୍ କରିଥିଲେ ।

Also Read :- Air India: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ୍ ! ଜୟପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ସେହିପରି ଫରଙାନ୍ ଦ୍ୱିପାକ୍ଷିକ ଟି୨୦ ସିରିଜର ତିନୋଟି ମ୍ୟାଚରେ ୫୦ କିମ୍ବା ଏହାଠୁ ଅଧିକ ରନ୍ କରିଥିବା ଅଷ୍ଟମ ବ୍ୟାଟର ହୋଇଛନ୍ତି । ଏପରି କାରନାମା କରିବାରେ ସେ ପାକିସ୍ତାନର ପ୍ରଥମ ବ୍ୟାଟର ପାଲଟିଛନ୍ତି । ଏହି ତାଲିକାରେ ଭାରତୀୟ ଖେଳାଳି ବିରାଟ କୋହଲି ମଧ୍ୟ ରହିଛନ୍ତି । କୋହଲି ୨୦୧୬ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି୨୦ ମ୍ୟାଚରେ ୫୦ରୁ ଅଧିକ ରନ୍ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଥିଲେ ।