ଭୁବନେଶ୍ଵର: ଦେଶର ବ୍ୟବସାୟ ଜଗତରେ ଧୀରୁଭାଇ ଅମ୍ବାନି ଏକ ପରିଚିତ ନାମ। ନିଜର ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟୋଗୀ ମନୋଭାବ ବଳରେ ସେ କେବଳ ଏକ ବଡ଼ ଶିଳ୍ପ ସାମ୍ରାଜ୍ୟ ଗଢ଼ି ନ ଥିଲେ ବରଂ ଦେଶର ସାଧାରଣ ଲୋକଙ୍କୁ ପୁଞ୍ଜି ବଜାର ସହ ଯୋଡ଼ିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୦ ଦଶକରେ ଦେଶର ଅଧିକାଂଶ ମଧ୍ୟବିତ୍ତ ପରିବାର ନିଜର ସଞ୍ଚୟକୁ ସୁନା, ଜମି କିମ୍ବା ବ୍ୟାଙ୍କ ଜମାରେ ବିନିଯୋଗ କରୁଥିଲେ। ସେତେବେଳେ ଶେୟାର ବଜାରକୁ ଧନୀ ବ୍ୟବସାୟୀଙ୍କ କ୍ଷେତ୍ର ବୋଲି ବିଚାର କରାଯାଉଥିଲା। ମାତ୍ର ଏହି ଧାରଣାକୁ ଭୂଲ ପ୍ରମାଣିତ କରି ନୂଆ ଧାରା ସୃଷ୍ଟି କଲେ ଧୀରୁଭାଇ । ସେ ସାଧାରଣ ଲୋକଙ୍କୁ ପୁଞ୍ଜି ବଜାର ସହ ଯୋଡ଼ିବାର ଟ୍ରେଣ୍ଡ୍ ଆଣିଲେ।

ସେତେବେଳେ ଧୀରୁଭାଇ ଏକ ନୂଆ ପ୍ରଶ୍ନ ଉଠାଇଥିଲେ ଯେ, ଯଦି ସାଧାରଣ ଲୋକମାନେ ବଡ଼ କମ୍ପାନିର ଉତ୍ପାଦ କିଣୁଛନ୍ତି, ତେବେ ସେମାନେ ସେହି କମ୍ପାନିର ଅଂଶୀଦାର କାହିଁକି ହୋଇପାରିବେ ନାହିଁ ? ୧୯୭୭ରେ ରିଲାଏନ୍ସ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିଜ ପବ୍ଲିକ ଇସ୍ୟୁ ଜାରି କରିବା ସହ ଏହି ଚିନ୍ତାଧାରାକୁ ବାସ୍ତବ ରୂପ ଦେଲା। ଏହି ଇସ୍ୟୁ ପ୍ରାୟ ୭ ଗୁଣ ଅଧିକ ସବସ୍କ୍ରାଇବ୍ ହୋଇଥିଲା। ଫଳରେ ସାଧାରଣ ନିବେଶକ ଏକ ଶିଳ୍ପ ପ୍ରତିଷ୍ଠାନର ଅଂଶୀଦାର ହେବାର ସୁଯୋଗ ପାଇଲେ।

୧୯୩୨ରେ ଗୁଜରାଟର ଚୋରୱାଡ଼ର ଏକ ସାଧାରଣ ପରିବାରରେ ଧୀରୁ ଭାଇଙ୍କ ଜନ୍ମ ହୋଇଥିଲା। ଯୁବାବସ୍ଥାରେ ନିଯୁକ୍ତି ସନ୍ଧାନରେ ସେ ୟେମେନର ଏଡେନ ଯାଇଥିଲେ। ସେଠାରେ କାମ କରିବା ସମୟରେ ସେ ଅନ୍ତର୍ଜାତୀୟ ବାଣିଜ୍ୟ, ବ୍ୟବସାୟର ବିଭିନ୍ନ ଦିଗ ସମ୍ପର୍କରେ ଅଭିଜ୍ଞତା ହାସଲ କରିଥିଲେ।

Also Read: ଟ୍ରାଇ ନେଟୱର୍କ ପରୀକ୍ଷଣରେ ଜିଓ ନେଟୱର୍କରେ ରେକର୍ଡ, ସର୍ବାଧିକ ୨୩୯ ଏମବିପିଏସରୁ ଅଧିକ ଡାଉନଲୋଡ୍ ସ୍ପିଡ୍ ସହ ଶୀର୍ଷରେ

ପରେ ମୁମ୍ବାଇ ଫେରି ଆସି ଛୋଟ ବ୍ୟବସାୟ ଆରମ୍ଭ କଲେ। ମସଲା ଓ ସୂତା ବ୍ୟବସାୟରୁ ଆଗକୁ ବଢ଼ି ୧୯୬୬ରେ ଗୁଜରାଟର ନାରୋଦାଠାରେ ଏକ ବୟନ ଶିଳ୍ପ କାରଖାନା ସ୍ଥାପନା କଲେ। ଏଠାରୁ ଜନ୍ମ ନେଇଥିଲା ଭିମଲ୍ ବ୍ରାଣ୍ଡ୍ ଯାହା ପରବର୍ତ୍ତୀ ସମୟରେ ଦେଶର ଘରେ ଘରେ ପରିଚିତ ହୋଇଥିଲା। ଧୀରୁ ଭାଇଙ୍କ ସଫଳତା ଗୁଜରାଟର ଉଦ୍ୟୋଗୀ ପରମ୍ପରା ଓ ଆତ୍ମଗୌରବକୁ ନୂଆ ପରିଚୟ ଦେଇଥିଲା। ଏହି କାରଣରୁ ସେ ଔଦ୍ୟୋଗିକ ଗୁଜରାଟର ନାଥ ଭାବେ ପରିଚିତ।

ତାଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି, ସାଧାରଣ ଲୋକଙ୍କୁ ଦେଶର ଆର୍ଥକ ବିକାଶର ଦର୍ଶକ ନୁହେଁ, ବରଂ ଅଂଶୀଦାର ହେବା ସ୍ବପ୍ନ ଦେଖାଇବା। ଏହା ସହିତ ଧୀରୁଭାଇଙ୍କ ବ୍ୟବସାୟିକ ଦର୍ଶନର ଆଉ ଏକ ପ୍ରମୁଖ ଦିଗ ହେଲା ବଡ଼ ସ୍ବପ୍ନ ଦେଖିବା ଏବଂ ତାକୁ ସାକାର କରିବାକୁ ନିରନ୍ତର ପ୍ରୟାସ କରିବା। ତାଙ୍କ ଉଦ୍ୟମ ଯୋଗୁ ରିଲାଏନ୍ସ ବୟନ ଶିଳ୍ପରୁ ଆରମ୍ଭକରି ପେଟ୍ରୋକେମିକାଲ୍ସ, ଶକ୍ତି ଓ ଅନ୍ୟ ପ୍ରମୁଖ କ୍ଷେତ୍ରକୁ ବିସ୍ତାରିତ ହୋଇଛି।

ତାଙ୍କର ବିଶ୍ଵାସ ଥିଲା ଯେ, ବ୍ୟବସାୟର ସଫଳତା କେବଳ ପୁଞ୍ଜି କିମ୍ବା ସମ୍ବଳ ଉପରେ ନିର୍ଭର କରେନି, ଏହା ଦୂରଦୃଷ୍ଟି, ସାହସ ଓ ନୂଆ ସୁଯୋଗକୁ ଚିହ୍ନିବାର କ୍ଷମତା ଓ ଲୋକଙ୍କ ବିଶ୍ଵାସ ଉପରେ ନିର୍ଭର କରେ। ୨୦୦୨ରେ ତାଙ୍କର ପରଲୋକ ହେବା ପରେ ମଧ୍ୟ ତାଙ୍କ ଦ୍ଵାରା ସ୍ଥାପିତ ରିଲାଏନ୍ସ ଗ୍ରୁପ ଭାରତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନକାରୀ ପାଲଟିଛି। ଧୀରୁ ଭାଇଙ୍କ ଜୀବନଯାତ୍ରା ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା।