ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ପାଇଁ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଖୋଜା ଚାଲିଥିବା ବେଳେ ଫ୍ରାନ୍ସ ଓ ୟୁକେର ନାମିଦାମୀ କମ୍ପାନୀ ଭାରତକୁ ନାନା ଅଫର ଦେଉଛନ୍ତି। ଏହାରି ଭିତରେ ଭାରତର ପରମମିତ୍ର ଋଷିଆ ମଧ୍ୟ ଭାରତକୁ ଦେଇଛନ୍ତି ଏକ ବଡ଼ ଅଫର। ଗୁରୁବାର ଏକ ବିଶ୍ୱସ୍ତରୀୟ ଗଣମାଧ୍ୟମ ସହିତ ଆଲୋଚନା କଲା ବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୁଟିନ୍ କହିଛନ୍ତି ଯେ, ଋଷିଆ ଭାରତ ସହିତ ମିଶି 'ସୁଖୋଇ Su-57' ଷ୍ଟେଲଥ୍ ଯୁଦ୍ଧବିମାନ ଡେଭଲପ ଏବଂ ଉତ୍ପାଦନ କରିବାକୁ ପ୍ରସ୍ତୁତ ଅଛି। କେବଳ ସେତିକି ନୁହେଁ ଯୁଦ୍ଧ ବିମାନରେ ଆବଶ୍ୟକୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ (Critical Technologies) ମଧ୍ୟ ଭାରତକୁ ସହିତ ଶେୟାର କରିବାକୁ ପ୍ରସ୍ତାବ ଦେଇଛନ୍ତି ପୁଟିନ।

ଋଷର ପ୍ରସ୍ତାବ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ

ବର୍ତ୍ତମାନ ଭାରତୀୟ ବାୟୁସେନା ନିକଟରେ କୌଣସି ପଞ୍ଚମ ପିଢ଼ିର ଯୁଦ୍ଧବିମାନ ନାହିଁ। ଆଉ ବର୍ତ୍ତମାନର ଉତ୍ତେଜିତ ଭୂରାଜନୈତିକ ସମୟରେ ଏହାର ଆବଶ୍ୟକତା ବହୁତ ରହିଛି। ସେପଟେ ଭାରତର ପରମ ଶତ୍ରୁ ପାକିସ୍ତାନ ଚୀନର 'Shenyang J-35AE' ଷ୍ଟିଲଥ୍ ଯୁଦ୍ଧବିମାନ ହାସଲ କରିବାକୁ ପ୍ରସ୍ତୁତି ଚଳାଇଛି। ଯାହା ଏବେ ଭାରତୀୟ ପ୍ରତିରକ୍ଷା ମହଲରେ ଚିନ୍ତା ବଢ଼ାଇଛି। ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଭାରତର ନିଜସ୍ୱ 'Advanced Medium Combat Aircraft' (AMCA) ପ୍ରକଳ୍ପ ଏବେ ବି ବିକାଶଧୀନ ଅବସ୍ଥାରେ ରହିଛି। ୨୦୩୦ ମସିହା ମଧ୍ୟଭାଗ ପୂର୍ବରୁ ଏହି ବିମାନ ଉଡ଼ାଣ ଭରିବାର ସମ୍ଭାବନା କମ ଦେଖାଯାଉଛି। ଏପରି ସ୍ଥିତିରେ, ଋଷିଆର ଏହି ପ୍ରସ୍ତାବ ଭାରତ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ।

ପୂର୍ବରୁ ଫ୍ରାନ୍ସ କମ୍ପାନୀ ସାଫ୍ରାନ କମ୍ପାନୀ ଏବଂ ୟୁକେର ରୋଲ୍ସ ରୟସ କମ୍ପାନୀ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର ଏୟାରକ୍ରାଫ୍ଟ ଇଞ୍ଜିନ ବନାଇବାକୁ ଅଫର ଦେଇସାରିଛନ୍ତି। ତେଣୁ ଦୁଇ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଲାଗିଥିବା ବେଳେ ଏବେ ଋଷର ଅଫର ଏହାକୁ ଆଉ ଟିକେ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିଦେଇଛି।

କ’ଣ କହିଲେ ପୁଟିନ୍?

ପୁଟିନ୍ ସ୍ପଷ୍ଟ କରିଛନ୍ତି ଯେ ଋଷିଆ ଭାରତକୁ ଏହି ବିମାନ ଯୋଗାଇବା ଏବଂ ଏହାର ବିକାଶ ଜାରି ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେ କହିଛନ୍ତି " ଆମେ ଭାରତକୁ ଏହି ବିମାନ ଯୋଗାଇବାକୁ ପ୍ରସ୍ତୁତ, ଏହାକୁ ବିକଶିତ କରିବା ଜାରି ରଖିବୁ। ଆମର କୌଣସି ସମସ୍ୟା କିମ୍ବା ସୀମାବଦ୍ଧତା ନାହିଁ। ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ମଧ୍ୟ ସମାନ ଅଫର ରହିଛି ।" ପ୍ରତିରକ୍ଷା କ୍ଷେତ୍ରରରେ ସହଯୋଗ ପାଇଁ ଦୁଇ ଦେଶ ମଧ୍ୟରେ କୌଣସି ସୀମା ନାହିଁ ବୋଲି ସେ ପୁଟିନ କହିଛନ୍ତି।

ପୁଟିନଙ୍କର ଏଭଳି ମନ୍ତବ୍ୟକୁ ପଶ୍ଚିମ ଦେଶଗୁଡ଼ିକ ଉପରେ ଏକ ବ୍ୟଙ୍ଗ ବୋଲି ମଧ୍ୟ ବିବେଚନା କରାଯାଉଛି। ପଶ୍ଚିମ ଦେଶଗୁଡ଼ିକ ପୂର୍ବରୁ ଭାରତକୁ ସମ୍ବେଦନଶୀଳ ସଫ୍ଟୱେୟାର ଏବଂ ଟେକ୍ନୋଲୋଜି ଦେବା କ୍ଷେତ୍ରରେ କଟକଣା ଲଗାଇଥିଲେ। ହେଲେ ଋଷ ଏହି ଅଫର ଦେଇ ସେମାନଙ୍କୁ କଟାକ୍ଷା କରିବା ସହିତ ଭାରତକୁ ଆଉ ଟିକେ ଆପଣାଇବାକୁ ଚେଷ୍ଟା କରୁଛି।

ପୂର୍ବରୁ କାହିଁକି ମନା କରିଥିଲା ଭାରତ?

​​​​​​​ସୂଚନା ଥାଉକି, ୨୦୧୮ ମସିହାରେ ଋଷିଆ ସମାନ ପ୍ରକଳ୍ପ ପାଇଁ ଭାରତକୁ ଅଫର ଦେଇଥିଲା (ଯାହାକୁ ସେତେବେଳେ FGFA ପ୍ରକଳ୍ପ କୁହାଯାଉଥିଲା)। କିନ୍ତୁ ସେତେବେଳେ ଭାରତୀୟ ବାୟୁସେନା ଏହି ବିମାନର ଷ୍ଟିଲ୍ଥ କ୍ଷମତା ଏବଂ ଜ୍ଞାନକୌଶଳ ହସ୍ତାନ୍ତରକୁ ନେଇ ସନ୍ତୁଷ୍ଟ ନଥିବାରୁ ଏଥିରୁ ଓହରି ଯାଇଥିଲା। ତେବେ ଏଥର ପୁଟିନ୍ ସେହି ସମସ୍ୟାଗୁଡ଼ିକର ସମାଧାନ ହୋଇସାରିଥିବା ସଙ୍କେତ ଦେଇଛନ୍ତି।

ଏନେଇ ପୁଟିନ କହିଛନ୍ତି “ଗୋଟେ ସମୟରେ ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ଏହି ଟେକ୍ନୋଲୋଜିରେ ଏକାଠି କାମ କରିବାକୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ସେତେବେଳେ, ଆମର ଭାରତୀୟ ବନ୍ଧୁମାନେ କହିଥିଲେ, 'ଆମେ ନିଜେ ଏ ଦିଗରେ ଆଗକୁ ବଢ଼ିବୁ, ତାପରେ ଦେଖିବୁ । ବୋଧହୁଏ ଏବେ ଆମେ ଏଥିରେ ଯୋଗ ଦେଇପାରୁ।” ପୁଟିନ ଆହୁରି କହିଛନ୍ତି “ଏହି ବିମାନଟି ଆମର ମିଳିତ ପ୍ରକଳ୍ପ ହୋଇପାରେ। ଆମେ ଏହାକୁ ସ୍ୱାଧୀନ ଭାବରେ ନିର୍ମାଣ କରିଛୁ, କିନ୍ତୁ ଆମେ ଏହି କ୍ଷେତ୍ରରେ ଭାରତ ସହିତ କାମ କରିବାକୁ ପ୍ରସ୍ତୁତ।”

Also Read-ଭାରତ-ଋଷିଆ ମଧ୍ୟରେ ହେବାକୁ ଯାଉଛି ଐତିହାସିକ ଡିଲ, Boeing, AirBusକୁ ଲାଗିବ ଝଟକା

ସେତେବେଳେ ସିନା ନିର୍ଦ୍ଦିଷ୍ଟ ସମସ୍ୟା ଦେଖାଇ ଭାରତ ଋଷର ପ୍ରସ୍ତାବରୁ ଓହରିଯାଇଥିଲା। ହେଲେ ଏବେ ପୁଟିନ ନିଜେ ଏକ ଭଲ ଅଫର ଦେଇଥିବା ବେଳେ ଭାରତ ଏହାକୁ ଗ୍ରହଣ କରୁଛି ନା ନାହିଁ, ତାହା ଦେଖିବା ବାକି ରହିଲା। କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଆମେରିକାର F-35 ତୁଳନାରେ Su-57 ଭାରତୀୟ ଆବଶ୍ୟକତା ପାଇଁ ଅଧିକ ସୁବିଧାଜନକ ହୋଇପାରେ।