ମୁମ୍ବାଇ: ଗୋରେଗାଁଓର ଫିଲ୍ମ ସିଟିରେ ନିର୍ମିତ ଏକ ଅସ୍ଥାୟୀ ସୁଟିଂ ସେଟ୍‌ରେ ସୋମବାର ଅପରାହ୍ନରେ ଅଗନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି । ଏହି ସେଟଟି ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର 'ରାମାୟଣ' ପାଇଁ ବ୍ୟବହୃତ ହେଉଥିଲା । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ସାଇ ପଲ୍ଲବୀ ମୁଖ୍ୟ ଭୂମିକାରେ ଅଛନ୍ତି। ସୁଟିଂ ସେଟ୍‌ରୁ ପ୍ରବଳ କଳା ଧୂଆଁ ବାହାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ମୁମ୍ବାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା । ଏହି ଦୁର୍ଘଟଣାରେ କେହି ଆହାତ ହୋଇନଥିବା ସୂଚନା ମିଳିଛି ।

ବୃହନ୍ମୁମ୍ବାଇ ମହାନଗର ନିଗମ ଅନୁଯାୟୀ, ଅପରାହ୍ନ ୪:୦୨ ସମୟରେ ଫିଲ୍ମ ସିଟିସ୍ଥିତ ରିଲାଏନ୍ସ ମିଡିଆ ୱାର୍କସ ଏବଂ ପ୍ରାଇମ୍ ଫୋକସ୍ ଷ୍ଟୁଡିଓ ପଛପଟେ ନିଆଁ ଲାଗିଥିବା ଖବର ମିଳିଥିଲା। ଏକ ଅସ୍ଥାୟୀ କଠୋରୀ ମଧ୍ୟରେ ଥିବା ବୈଦ୍ୟୁତିକ ତାର, ବାଉଁଶ ନିର୍ମାଣ, ଏସି ୟୁନିଟ୍, ସାଉଣ୍ଡ ସିଷ୍ଟମ୍ ଏବଂ କ୍ୟାମେରା ସୁଟିଂ ସାମଗ୍ରୀଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ ଏବଂ ଆମ୍ବୁଲାନ୍ସ ସେବାର ତୁରନ୍ତ ପଦକ୍ଷେପ ଯୋଗୁଁ ଅପରାହ୍ନ ୪:୫୫ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁଁ ଆଖପାଖରେ ଚାଲିଥିବା କିଛି ଶୋ’ଗୁଡ଼ିକର ସୁଟିଂକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, ନିଆଁ 'ପତି ପତ୍ନୀ ଔର ପଙ୍ଗା ୨' ସେଟ୍‌ରୁ ଆରମ୍ଭ ହୋଇ ପାଖରେ ଥିବା ଅନ୍ୟ ସେଟ୍‌କୁ ବ୍ୟାପିଥିଲା। ପ୍ରଯୋଜକ ନାମିତ ମାଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ 'ରାମାୟଣ' ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ବୋଲି ସ୍ଥିର ହୋଇଛି ।