ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଅନେକ ବିସ୍ମୟକର ଦୃଶ୍ୟ ଦେଖିବାକୁ ମିଳିଥାଏ। କ୍ରିକେଟ୍ ଫ୍ୟାନ୍ସ ମଧ୍ୟ ଏହା ଦେଖି ତାଜୁବ ହୋଇ ଯାଆନ୍ତି। କାନାଡ଼ା ସୁପର ୬୦ର ସେମି ଫାଇନାଲରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଅଲି ଖାନଙ୍କ ବାଉନ୍ସର ବ୍ୟାଟକୁ ନ ଛୁଇଁ ସି ବାଉଣ୍ଡରୀ ପାର ଚାଲି ଯାଇଛି। ଦେଖିବାକୁ ଗଲେ ପୂରା ଦୃଶ୍ୟ ଛକା ପରି ଥିଲା, ମାତ୍ର କ୍ରିକେଟର ନିୟମ ମୁତାବକ ବ୍ୟାଟିଂ କରୁଥିବା ଟିମକୁ ୬ ନୁହେଁ ବରଂ ୫ ରନ ମିଳିଛି।

ଟୋରୋଣ୍ଟ ସିକ୍ସର୍ସ ଓ ମିସିସାଗା ମାଷ୍ଟର୍ସ ମଧ୍ୟରେ ଭ୍ୟାଙ୍କୁଭରରେ ଏହି ମ୍ୟାଚ୍ ଖେଳା ଯାଇଛି। ଅଲି ଖାନ ବୋଲିଂ କରୁଥିବା ବେଳେ ସାମ୍ନାରେ ଥିଲେ ବ୍ୟାଟର କିରେନ ପୋଲାର୍ଡ। ଅଲି ଖାନ ଏକ ବାଉନ୍ସ ଫିଙ୍ଗିଥିଲେ ଯାହା କେବଳ ବ୍ୟାଟରଙ୍କୁ ନୁହେଁ ଓ୍ଵିକେଟ୍ କିପରଙ୍କୁ ଚକମା ଦେଇ ବଲ୍ ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲା। ବଲଟି ବାଉଣ୍ଡରୀ ପାର୍ ଯିବା ପରେ ପ୍ରଶ୍ନ ଉଠିଲା ଯେ, କଣ ଏହା ଛକା ନା ଓ୍ଵାଇଡ୍ ?

କାହିଁକି ମିଳିଲାନି ଛକା ?

କ୍ରିକେଟର ନିୟମ ଅନୁଯାୟୀ, ଛକା ତେବେ ବିବେଚନା କରାଯିବ, ଯେବେ ବଲ୍ ବ୍ୟାଟରଙ୍କ ବ୍ୟାଟରେ ବାଜି ବାଉଣ୍ଡରୀ ପାର କରିବ। ଆଉ ଏହି ଘଟଣାରେ ବଲ୍ ଏବଂ ବ୍ୟାଟ୍ ମଧ୍ୟରେ କୌଣସି ସଂପର୍କ ନ ଥିଲା। ଏଥିପାଇଁ ଏହାକୁ ଛକା ଦିଆଯାଇ ନ ଥିଲା। ବଲ୍ ଓ୍ଵାଇଡ୍ ଥିଲା ଏବଂ ବ୍ୟାଟରେ ନ ବାଜି ସିଧାସଳଖ ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲା। ଏଥିପାଇଁ ବ୍ୟାଟିଂ କରୁଥିବା ଦଳକୁ ଅମ୍ପାୟର ୫ ରନ ଦେଇଥିଲେ।

ସୋସିଆଲ୍ ମିଡିଆରେ ଭାଇରାଲ୍

ଏହି ବିରଳ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ବଲ୍ ସିଧା ବାଉଣ୍ଡରୀ ବାହାରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ପ୍ରଥମେ ଏହା କୌଣସି ଛକାଠୁ କମ ନଜର ଆସୁ ନ ଥିଲା। ମାତ୍ର ଚିତ୍ର ସ୍ପଷ୍ଟ ଥିଲା ଯେ, ବଲ୍ ଏବଂ ବ୍ୟାଟ୍ ମଧ୍ୟରେ କୌଣସି ସଂଯୋଗ ନ ଥିଲା। ଏଥିପାଇଁ ଅମ୍ପାୟର ଏହାକୁ ଛକା ଦେଇ ନ ଥିଲେ।

Also Read: ୨୧ରୁ ଜିତିଲେ ୧୪ ଗୋଲ୍ଡ ମେଡାଲ୍: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଝିଅଙ୍କ ଐତିହାସିକ ସଫଳତା

ଏହି ମୁକାବିଲା କାନାଡା ସୁପର ୬୦ର ପ୍ରଥମ ସେମି ଫାଇନାଲରେ ଖେଳା ଯାଇଥିଲା। ଟୋରୋଣ୍ଟ ସିକ୍ସର୍ସ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୩୦ ରନ କରିଥିଲା। ଜବାବରେ ମିସିସାଗା ମାଷ୍ଟର୍ସ ଟିମ ୭ ଓ୍ଵିକେଟ୍ ହରାଇ ୧୨୧ ରନ କରି ପାରିଥିଲା। ଟୋରୋଣ୍ଟ ମୁକାବିଲାକୁ ୯ ରନରେ ଜିତି ନେଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ କିରେନ ପୋଲାର୍ଡ ୧୬ ବଲରୁ ୪୦ ରନ କରିଥିବା ବେଳେ ଆଣ୍ଡ୍ରିଜ ଗୋସ୍ ୧୧ ବଲରୁ ୩୩ ରନର ବିସ୍ପୋରକ ଇନିଂସ ଖେଳିଥିଲେ।