ମୁମ୍ବାଇ: ବଲିଉଡର ‘ବାଦଶାହ’ ଶାହରୁଖ ଖାନ କେବଳ ସିନେମା ଜଗତରେ ନୁହେଁ ବରଂ ବ୍ୟବସାୟ ଦୁନିଆରେ ମଧ୍ୟ ସଫଳ । ନିକଟରେ ଜଣେ ଲୋକପ୍ରିୟ ମାର୍କେଟ ଆନାଲିଷ୍ଟ ଜେଏସ ଖେପର, ଏକ ସାକ୍ଷାତକାରରେ ବଲିଉଡର ସୁପରଷ୍ଟାରମାନଙ୍କ ସମ୍ପତ୍ତିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କ ଆକଳନ ଅନୁଯାୟୀ, ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧୨,୦୦୦ରୁ ୧୨,୫୦୦ କୋଟି ଟଙ୍କା, ଯାହା ସଲମାନ ଖାନ ଏବଂ ଆମିର ଖାନଙ୍କ ତୁଳନାରେ ପ୍ରାୟ ୪ ଗୁଣ ଅଧିକ।

ମାର୍କେଟ ଆନାଲିଷ୍ଟଙ୍କ କହିବା ଅନୁଯାୟୀ, ସଲମାନ ଖାନଙ୍କର ପ୍ରାୟ ୩,୦୦୦ରୁ ୩,୨୦୦ କୋଟି ଟଙ୍କା ରହିଛି । ସେହିଭଳି ଅକ୍ଷୟ କୁମାରଙ୍କ ପ୍ରାୟ ୨,୭୦୦ ରୁ ୨,୮୦୦ କୋଟି ଟଙ୍କା ଏବଂ ଆମିର ଖାନ୍‌ଙ୍କ ପାଖରେ ପ୍ରାୟ ୧,୯୦୦ରୁ ୨,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଶାହରୁଖଙ୍କ ରୋଜଗାରର ମୁଖ୍ୟ ଉତ୍ସ:

ଶାହରୁଖଙ୍କର ଏହି ବିଶାଳ ସମ୍ପତ୍ତି କେବଳ ସିନେମାରୁ ଆସିନାହିଁ ବରଂ ଏଥିରେ ତାଙ୍କର ବିଭିନ୍ନ ବ୍ୟବସାୟିକ ବିନିଯୋଗ ମଧ୍ୟ ରହିଛି । ଆଇପିଏଲ୍ ଟିମ୍ 'କୋଲକାତା ନାଇଟ୍ ରାଇଡର୍ସ', ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସ ଓ ଭିଏଫଏକ୍ସ ଷ୍ଟୁଡିଓ, ମୁମ୍ବାଇର ଆଇକନିକ ବାସଭବନ ‘ମନ୍ନତ’, ଏବଂ ଲଣ୍ଡନ ଓ ଦୁବାଇରେ ଥିବା ବହୁ ମୂଲ୍ୟବାନ ସମ୍ପତ୍ତି ତାଙ୍କୁ ସବୁଠାରୁ ଧନୀ ଅଭିନେତା ଭାବେ ଗଢ଼ି ତୋଳିଛି।

‘ଅକ୍ଷୟ ଟି-୨୦ ହେଲେ ଆମିର ଟେଷ୍ଟ ପ୍ଲେୟାର’

କ୍ରିକେଟର ଉଦାହରଣ ଦେଇ ଖେପର କହିଛନ୍ତି ଯେ, ଆମିର ଖାନ ହେଉଛନ୍ତି ଜଣେ 'ଟେଷ୍ଟ ପ୍ଲେୟାର' ଯାହାଙ୍କ ପାଖରେ କ୍ଲାସ ଅଛି ଏବଂ ସେ ସବୁବେଳେ ମିଷ୍ଟର ପରଫେକ୍ଟସନିଷ୍ଟ। ଅନ୍ୟପଟେ ଅକ୍ଷୟ କୁମାର ହେଉଛନ୍ତି 'ଟି-୨୦ ପ୍ଲେୟାର' ଯିଏ ବହୁତ ଶୀଘ୍ର ଏବଂ ବର୍ଷକୁ ଅନେକ ଚଳଚ୍ଚିତ୍ରରେ କାମ କରି ସଫଳତା ପାଆନ୍ତି। ସେହିପରି ସଲମାନ ଖାନଙ୍କୁ ସେ ଜଣେ ‘ୱାନ-ଡେ’ କ୍ରିକେଟର ସହ ତୁଳନା କରିଛନ୍ତି।

Also Read: ଭାଇରାଲ ବୟାନକୁ ନେଇ ସଞ୍ଜୟ ଦତ୍ତଙ୍କ ବଡ଼ ବୟାନ ; 'କାହା ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା’​​​​​​​

ରିଅଲ ଇଷ୍ଟେଟର ସୁଲତାନ ସଲମାନ:

ରିଅଲ ଇଷ୍ଟେଟ୍ ବଜାରରେ ସଲମାନ ଖାନଙ୍କର ଦେଖିବାକୁ ମିଳେ ‘ମିଦାସ ଟଚ୍’ (ଯାହାକୁ ଛୁଇଁବେ ସୁନା ପାଲଟିଯିବ)। ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟ, କାର୍ଟର ରୋଡ୍, ବର୍ଲି ଏବଂ ପନଭେଲରେ ଥିବା ୧୫୦ ଏକରର ବିଶାଳ ଫାର୍ମହାଉସ ସଲମାନଙ୍କ ସମ୍ପତ୍ତିର କିଛି ମୁଖ୍ୟ ଅଂଶ। ରିଅଲ ଇଷ୍ଟେଟ୍ ମାଧ୍ୟମରେ ସଲମାନ ପ୍ରଚୁର ମାତ୍ରାରେ ଅର୍ଥ ରୋଜଗାର କରନ୍ତି ବୋଲି ଆନାଲିଷ୍ଟ ପ୍ରକାଶ କରିଛନ୍ତି।