ନୂଆଦିଲ୍ଲୀ: ସମାପ୍ତ ହୋଇଛି ୨୦୨୬ ଏସୀୟ କ୍ରୀଡ଼ା। ଜାପାନ ମାଟିରେ ଅନୁଷ୍ଠିତ ଏହି ମହାକୁମ୍ଭରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ମୋଟ ୮୫ଟି ପଦକ ସହ ପଦକ ତାଲିକାରେ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତ ଜିତିଥିବା ମୋଟ ୮୫ଟି ପଦକ ଭିତରୁ ୨୧ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଏବଂ ୩୭ଟି ବ୍ରୋଞ୍ଜ ରହିଛି। ବିଶେଷ କରି ଏଥର ଏସୀୟ କ୍ରୀଡ଼ାରେ ଭାରତୀୟ ଝିଅମାନେ ଯାହା କରି ଦେଖାଇଛନ୍ତି, ତାହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି।

ଜାପାନରେ ଭାରତକୁ ସବୁଠାରୁ ଅଧିକ ସଫଳତା ଆଥଲେଟିକ୍ସରୁ ମିଳିଥିବା ବେଳେ ସର୍ବାଧିକ ସ୍ୱର୍ଣ୍ଣ ପଦକ ଆସିଛି ତୀରନ୍ଦାଜୀରୁ। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଭାରତ ଜିତିଥିବା ମୋଟ ୨୧ଟି ସ୍ୱର୍ଣ୍ଣ ପଦକରୁ ଏକାକୀ ୧୪ଟି ଗୋଲ୍ଡ ମେଡାଲ୍ କେବଳ ମହିଳା ଆଥଲେଟମାନେ ହିଁ ଦେଶକୁ ଭେଟି ଦେଇଛନ୍ତି।

Also Read: ଇତିହାସ ରଚିଲା ଭାରତୀୟ ହକି ଟିମ୍, ଏସୀୟ କ୍ରୀଡ଼ାରେ ଜିତିଲା ୫ମ ଗୋଲ୍ଡ, ଅଲିମ୍ପିକ୍ସ ପାଇଁ କ୍ଵାଲିଫାଏ

କ୍ରିକେଟ୍ ଓ କବାଡ଼ିରେ ଭାରତୀୟ ଝିଅଙ୍କ ଜୟଯାତ୍ରା

ଭାରତୀୟ ମହିଳା କବାଡ଼ି ଦଳ ଫାଇନାଲ୍ ମୁକାବିଲାରେ ଶକ୍ତିଶାଳୀ ଇରାନକୁ ୩୭-୩୪ ବ୍ୟବଧାନରେ ପରାସ୍ତ କରି ନିଜର ଟାଇଟଲ୍ ସୁରକ୍ଷିତ ରଖିଛନ୍ତି। ଅନ୍ୟପକ୍ଷରେ, ମହିଳା କ୍ରିକେଟ୍ ଦଳ ମଧ୍ୟ କମାଲ୍ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୧୪୭ ରନର ବିଶାଳ ବ୍ୟବଧାନରେ ମାତ୍ ଦେଇଛି। କେବଳ ଏତିକି ନୁହେଁ, ମାତ୍ର ୧୭ ବର୍ଷ ବୟସର ଯୁବ ତାରକା କୁମକୁମ ମୋହୋଦ ବିଶ୍ୱ ଚାମ୍ପିୟନ୍ ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀ ୟେଜିନ୍ ଓ’ଙ୍କୁ ହରାଇ ଏକ ଅଦ୍ଭୁତପୂର୍ବ ଇତିହାସ ରଚିଛନ୍ତି।

ନୀରୁ, ପ୍ରଣବୀ, ଲଭ୍ଲିନା ଏବଂ ପରବିନ୍ ଗୋଲ୍ଡ ଜିତିଲେ

ଟ୍ରାପ୍ ସୁଟିଂରେ ନୀରୁ ଢାଣ୍ଡା ଚମତ୍କାର ପ୍ରଦର୍ଶନ କରି ଦୁଇଟି ସ୍ୱର୍ଣ୍ଣ ପଦକ ସମେତ ଏସୀୟ କ୍ରୀଡ଼ାରେ ମୋଟ ୩ଟି ପଦକ ଜିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏପରିକି ସେ ଉଦଯାପନୀ ସମାରୋହରେ ଭାରତୀୟ ଦଳର ପତାକାଧାରୀ ମଧ୍ୟ ହୋଇଥିଲେ। ସେହିପରି ଗୋଲଫରେ ଭାରତ ୨୪ ବର୍ଷର ମରୁଡ଼ି ଅନ୍ତଃଘଟାଇ ସ୍ୱର୍ଣ୍ଣ ପଦକ ଜିତିଛି। ବିଶ୍ୱର ୬ ନମ୍ବର ଖେଳାଳି ଚୀନର ୟିନ୍ ରୁଓନିଂଙ୍କୁ ପରାସ୍ତ କରି ପ୍ରଣବୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ଗୋଲଫର୍ ହେବାର ଗୌରବ ଅର୍ଜନ କରିଛନ୍ତି। ବକ୍ସିଂ ରିଙ୍ଗରେ ମଧ୍ୟ ତାରକା ବକ୍ସର ଲଭଲିନା ବୋର୍ଗୋହେନ୍ ଏବଂ ପରବିନ୍ ହୁଡ୍ଡା ଦମଦାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

Also Read: କ୍ରିକେଟରେ ଟିମ୍ ଇଣ୍ଡିଆକୁ ସୁନା : ୧୯ ରନରେ ହାରିଲା ପାକିସ୍ତାନ

୪୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଲା ମହିଳା ହକି ଟିମ୍

ଭାରତୀୟ ମହିଳା ହକି ଦଳ ଶେଷଥର ପାଇଁ ୧୯୮୨ ମସିହାରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହାପରେ ୪୪ ବର୍ଷ ବିତିଯାଇଥିଲେ ହେଁ ଗୋଲ୍ଡ ମେଡାଲ୍ ଜିତିବାର ସ୍ୱପ୍ନ ଅଧୁରା ରହିଥିଲା। ଶେଷରେ ୨୦୨୬ ମସିହାରେ ଟିମ୍ ଇଣ୍ଡିଆ ଚୀନକୁ ୧-୦ ଗୋଲ୍ରେ ହରାଇ ଏହି ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇଛି ଏବଂ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି।

ମହିଳା ଆଥଲେଟଙ୍କର ମୋଟ ୪୭ ପଦକ

ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପୁରୁଷ ଖେଳାଳିମାନେ ୩୮ଟି ପଦକ ଜିତିଥିବା ବେଳେ, କେବଳ ମହିଳା ଆଥଲେଟମାନେ ସମୁଦାୟ ୪୭ଟି ପଦକ ଦେଶକୁ ଭେଟି ଦେଇଛନ୍ତି। ଏଥିମଧ୍ୟରୁ ୩୮ଟି ପଦକ କେବଳ ମହିଳା ପ୍ରତିଯୋଗିତାରୁ ଆସିଥିବା ବେଳେ ୯ଟି ପଦକ ମିକ୍ସଡ୍ (ମିଶ୍ରିତ) ଇଭେଣ୍ଟରୁ ଆସିଛି। ଏସୀୟ କ୍ରୀଡ଼ାର ମଞ୍ଚରେ ଭାରତୀୟ ନାରୀଶକ୍ତିର ଏହି ଜବରଦସ୍ତ ସଫଳତା ସମଗ୍ର ଦେଶକୁ ଗର୍ବିତ କରିଛି।