ଭୁବନେଶ୍ବର ୩।୧୦: ଭୁବନେଶ୍ୱର ରେଳ ଷ୍ଟେସନରେ ଜନ୍ମ ନେଲା ଶିଶୁ କନ୍ୟା ।ଟ୍ରେନ୍ ରେ ଆସିଲା ପ୍ରସବ ବେଦନା, ପ୍ଲାଟଫର୍ମରେ ଜନ୍ମ ନେଲା ଶିଶୁକନ୍ୟା । ସାହାଯ୍ୟର ହାତ ବଢାଇଲା ଆରପିଏଫ । ଭୁବନେଶ୍ୱର ରେଳ ଷ୍ଟେସନରେ ଘଟିଛି ଏଭଳି ଘଟଣା।

ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ହଠାତ୍ ପ୍ରସବ ବେଦନା ଆସିଥିଲା । ଟ୍ରେନ୍ ଟି ଭୁବନେଶ୍ୱର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ମହିଳାଙ୍କ ଅବସ୍ଥା ଦେଖି ସହାୟତାର ହାତ ବଢ଼ାଇଥିଲେ RPF ଅଧିକାରୀ ଓ ‘ମେରି ସହେଲୀ’ ଟିମ୍ । ତୁରନ୍ତ ପ୍ଲାଟଫର୍ମରେ ମହିଳାଙ୍କ ଚାରିପଟେ କପଡ଼ା ଦେଇ ଆବରଣ କରାଯାଇ ଗୋପନୀୟତା ରକ୍ଷା କରାଗଲା ।

Also Read:- ବିଶ୍ୱବିଦ୍ୟାଳୟ ନିଯୁକ୍ତି ନେଇ କୁଳାଧିପତିଙ୍କ ସମୀକ୍ଷା, ଶୀଘ୍ର ସାରିବ ପ୍ରକ୍ରିୟା

RPF ମହିଳା ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ପ୍ଲାଟଫର୍ମ ଉପରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା । ପରେ RPF ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇ ମା’ ଓ ନବଜାତ ଶିଶୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ସମୟୋଚିତ ସହାୟତା ପାଇଁ RPF ଓ ‘ମେରି ସହେଲୀ’ ଟିମ୍ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।