ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓରେ ପୁଣି ଶୁଭିବ ଲାଇଟ- କ୍ୟାମେରା-  ଆକ୍ସନ। ହୋଇପାରିବ ବିଶ୍ବସ୍ତରୀୟ ଫିଲ୍ମ ନିର୍ମାଣ । କାରଣ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂତନ ଅଫିସିଆଲ୍ ପୋର୍ଟାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଛନ୍ତି ।

ଖଣ୍ଡଗିରି- ଭରତପୁର ଅଞ୍ଚଳରେ ପ୍ରାୟ ୨୬ ଏକର ପରିମିତ ଜମି ଉପରେ ଷ୍ଟୁଡିଓରେ ନବନିର୍ମାଣ ସମ୍ପନ୍ନ  ହୋଇଛି। ନବୀକୃତ କଳିଙ୍ଗ ଷ୍ଟୁଡିଓରେ ସିନେମା ନିର୍ମାଣକୁ ସହଜ ଓ  ସୁବିଧା କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଶୁଟିଂ ପାଇଁ କ୍ଲୋନ, ଟ୍ରଲି ଏବଂ ହାଇ- ଏଣ୍ଡ୍‌ କ୍ୟାମେରା ଭଳି ଅତ୍ୟାଧୁନିକ ଉପକରଣ ଏବଂ ଟେକ୍ନୋଲୋଜି ସୁବିଧା ରହିଛି । ଫଳରେ ଫିଲ୍ମ ନିର୍ମାତା ଅତ୍ୟାଧୁନିକ ସୁବିଧା ସହ ପ୍ରଯୋଜକ ଖର୍ଚ୍ଚ କମିବ ଓ ସୁବିଧା ମିଳିପାରିବ ଏବଂ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବନି ବୋଲି କହିଛନ୍ତି କଳାକାର ।

Also Read: ୮ ବର୍ଷ ପରେ କ୍ୟାମ୍ପସରେ ବାଜିଲା ନିର୍ବାଚନୀ ବିଗୁଲ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ

ଆହୁରି ମଧ୍ୟ କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମ୍‌ର ସେଟ୍ ପ୍ରସ୍ତୁତ କରାଯାଇଛି । ଅଲଟ୍ରା ମଡର୍ଣ୍ଣ ଷ୍ଟୁଡିଓ, ଏବଂ ଫିଲ୍ମ ଟେକ୍ ଜୋନ୍ କରାଯାଇଛି । ଭର୍ଚ୍ଚୁଆଲ୍ ପ୍ରଡକସନ ସହ, ଏଆଇ-କେନେରେଟେଡ୍ ଟେକ୍ନୋଲୋଜିର ବ୍ୟବହାର କରାଯିବ।  ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଶୁଟିଂର ସୁବିଧା ବଢ଼ିବା ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି।

ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ । ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ନୂତନ କଳିଙ୍ଗ ଷ୍ଟୁଡ଼ିଓ ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡ଼ିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଇକୋସିଷ୍ଟମ ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଲୋକାର୍ପଣ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାର ରୂପାନ୍ତରଣ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତବ୍ୟକ୍ତ କରିଛନ୍ତି। ପୁନଃବିକଶିତ କଳିଙ୍ଗ ଷ୍ଟୁଡିଓକୁ ଏକ ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏଠାରେ ଚଳଚ୍ଚିତ୍ରର ପ୍ରଡକ୍ସନ୍ ଠାରୁ ଆରମ୍ଭ କରି ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାର ସୁବିଧା ରହିଛି। ଚଳଚ୍ଚିତ୍ର ଶିଳ୍ପ କେବଳ କେବଳ ମନୋରଞ୍ଜନର କ୍ଷେତ୍ର ନୁହେଁ, ବରଂ ଏହା ଏକ ବିଶାଳ ଆର୍ଥିକ ଇକୋସିଷ୍ଟମ୍ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ କଳିଙ୍ଗ ଷ୍ଟୁଡ଼ିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।