Virat Kohli: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଏହି ହାଇଭୋଲ୍ଟେଜ୍ ସିରିଜ୍ ପାଇଁ ଗତ ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ୍ ଇଣ୍ଡିଆର ଘୋଷଣା କରିଛି। ଏହି ଦଳରେ ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କୁ ସାମିଲ କରାଯାଇଥିଲେ ସୁଦ୍ଧା, ସେ ସିରିଜ୍ ଖେଳିବେ କି ନାହିଁ ତାହା କେବଳ ତାଙ୍କ ଫିଟ୍ନେସ୍ ରିପୋର୍ଟ ଉପରେ ହିଁ ନିର୍ଭର କରିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଏହି ସମୟରେ ବିରାଟ କୋହଲି ନିଜର ଫିଟ୍ନେସ୍ ଟେଷ୍ଟ ଦେବା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

ଏୟାରପୋର୍ଟ ଭିଡିଓ ଭାଇରାଲ୍

ବେଙ୍ଗାଲୁରୁ ଏୟାରପୋର୍ଟରେ ବିରାଟ କୋହଲି ପହଞ୍ଚିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ସେ ଏକ ବ୍ଲାକ୍ ଶର୍ଟ ପିନ୍ଧି ହାତରେ ବ୍ୟାଗ୍ ଧରି ଯାଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବିରାଟ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର 'ସେଣ୍ଟର ଅଫ୍ ଏକ୍ସଲେନ୍ସ' (ପୂର୍ବର NCA) ରେ ନିଜର ଅନ୍ତିମ ଫିଟ୍ନେସ୍ ଟେଷ୍ଟ ଦେବେ। କୁହାଯାଉଛି ଯେ, ସେ ଲଣ୍ଡନରେ ଥିବା ବେଳେ ପ୍ରାଥମିକ ଫିଟନେସ୍ ଯାଞ୍ଚ ଶେଷ କରିଥିଲେ ମଧ୍ୟ ଦଳରେ ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ବେଙ୍ଗାଲୁରୁରେ ଏହି ଟେଷ୍ଟ୍ ପାସ୍ କରିବାକୁ ପଡ଼ିବ।

 

IPL ୨୦୨୬ରେ ଲାଗିଥିଲା ଆଘାତ

ଚଳିତ ଆଇପିଏଲ୍ (IPL 2026) ସମୟରେ ବିରାଟ କୋହଲି ହାମଷ୍ଟ୍ରିଙ୍ଗ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବ୍ୟାଟିଂ କରିବା ସମୟରେ ସେ ବେଶ୍ କଷ୍ଟ ଅନୁଭବ କରୁଥିବା କ୍ୟାମେରାରେ କଏଦ ହୋଇଥିଲା।

ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ

ଏହି ଆଘାତ କାରଣରୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବିରାଟ କୋହଲିଙ୍କୁ ବାଦ୍ ପଡ଼ିବାକୁ ହୋଇଥିଲା। ଦଳରେ ଥାଇ ମଧ୍ୟ ସେ ଅସୁସ୍ଥତା ଯୋଗୁଁ ଗୋଟିଏ ହେଲେ ମ୍ୟାଚ୍ ଖେଳିପାରିନଥିଲେ।

ଇଂଲଣ୍ଡ ମାଟିରେ ବିରାଟ କୋହଲିଙ୍କ ରେକର୍ଡ ସର୍ବଦା ଚମତ୍କାର ରହିଆସିଛି, ତେଣୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରନ୍ତୁ ଏବଂ ଜବରଦସ୍ତ ବ୍ୟାଟିଂ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ଚଳିତ ବର୍ଷ ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏବେ ସମସ୍ତଙ୍କ ନଜର ବେଙ୍ଗାଲୁରୁରୁ ଆସିବାକୁ ଥିବା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ଅଟକି ରହିଛି।