ନୂଆଦିଲ୍ଲୀ ୦୩।୧୧; କଣ ବଲିଉଡକୁ ଟାର୍ଗେଟ୍ କରୁଛି କି ବିଷ୍ଣୋଇ ଗ୍ୟାଙ୍ଗ ? ଜଣକ ପରେ ଜଣେ ଅଭିନେତାଙ୍କୁ ଜୀବନରୁ ମାରି ଦେବାକୁ ଦେଉଛି ଧମକ। ଲୁଚାଛପା ନୁହେଁ ବରଂ ସିଧାସଳଖ ଧମକ ଦେଉଛି ଏହି ଗ୍ୟାଙ୍ଗ । ଟାଇଗରଙ୍କୁ ଆଟାକ୍ ପରେ ଏବେ ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଛି ହତ୍ୟା ଧମକ । କେବଳ ଏତିକି ନୁହେଁ ଏହା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ଦାବି କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଅଭିନେତାଙ୍କୁ ୫ କୋଟି ଟଙ୍କା ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ତୁଷାର ତୁରନ୍ତ ମୁମ୍ବାଇ ପୁଲିସକୁ ଜଣାଇଥିଲେ । ଏହାପରେ ମାମଲାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

ପୁଲିସ ସୂଚନା ଅନୁସାରେ, ଫୋନ୍ କରିଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲେ । ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟ ବୋଲି ଦାବି କରିବା ସହ ୫ କୋଟି ଟଙ୍କା ମାଗିଥିଲେ । ଏହି ଅଭିଯୋଗ ପରେ ମାମଲାକୁ ଆଣ୍ଟି ଏକ୍ସଟର୍ସନ ସେଲ୍ ଓ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚର ଟେକନିକାଲ୍ ଟିମ୍ ଧମକପୂର୍ଣ୍ଣ ଫୋନ୍ର ଅଡିଓ ରେକର୍ଡିଂ ଯାଞ୍ଚ କରିଥିଲା । ଏହାକୁ ହ୍ୟାରି ବକ୍ସରଙ୍କ ଉପଲବ୍ଧ ଅଫିସିଆଲ୍ ଭଏସ୍ ସାମ୍ପଲ୍ ସହ ମେଳ କରାଯାଇଥିଲା । ହେଲେ ଉଭୟ ସ୍ୱର ମଧ୍ୟରେ କୌଣସି ସମାନତା ମିଳିନଥିବା ପୁଲିସ ସୂଚନାରୁ ଜଣାପଡ଼ିଛି ।

ଏହାପରେ ଫୋନ୍ କରିଥିବା ବ୍ୟକ୍ତି ହ୍ୟାରି ବକ୍ସରଙ୍କ ନାଁ ବ୍ୟବହାର କରି ଅଭିନେତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏହା ଏକ ଫେକ୍ କଲ୍ କି ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି, ସେନେଇ ତଦନ୍ତ ଚାଲିଛି । ଏବେ ଧମକପୂର୍ଣ୍ଣ ଫୋନ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ଓ ଫୋନ୍ର ଉତ୍ସ ଖୋଜୁଛି ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ । ବିଷ୍ଣୋଇ ଗ୍ୟାଙ୍ଗର ନାଁ ବ୍ୟବହାର କରି ଅଭିନେତାଙ୍କୁ ଭୟଭୀତ କରିବା ପଛରେ କାହାର ହାତ ରହିଛି, ତାହାର ଖୋଳତାଡ଼ ଚାଲିଛି ।

ପୁଲିସ ସୂଚନା ଅନୁସାରେ, ପ୍ରାୟ ଏକ ସପ୍ତାହ ତଳେ ତୁଷାର କପୁର ଏନେଇ ଅଭିଯୋଗ କରିଥିଲେ । ହେଲେ ଏଯାଏଁ ଏହି ଘଟଣାରେ କୌଣସି ଏଫ୍ଆଇଆର୍ ରୁଜୁ ହୋଇନାହିଁ । ଅନ୍ୟପଟେ, କିଛି ସପ୍ତାହ ପୂର୍ବରୁ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ନେଇ ମୁମ୍ବାଇରେ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣା ପଛରେ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ ବ୍ୟକ୍ତିଙ୍କ ନାଁ ଆସିଥିଲା । ଏବେ ତୁଷାର କପୁରଙ୍କୁ ଧମକ ଘଟଣାକୁ ନେଇ ବଲିଉଡ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।