ଭୁବନେଶ୍ୱର ୦୩।୧୧ : ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରି ବିଜେଡି ସରକାରଙ୍କୁ ଘେରିବା ପରେ ଦଳକୁ କଡ଼ା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିପର୍ଯ୍ୟୟ ସମୟରେ ରାଜନୈତିକ ସମାଲୋଚନା ଅପେକ୍ଷା ସହଯୋଗର ହାତ ବଢ଼ାଇବା ଅଧିକ ଜରୁରୀ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡି ଏବଂ ନବୀନ ବାବୁଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ରହିଛି। ତେଣୁ ଏଭଳି ସମୟରେ ଉଭୟ ପକ୍ଷ ଅଧିକ ଦାୟିତ୍ୱବାନ ଆଚରଣ ପ୍ରଦର୍ଶନ କରିବା ଉଚିତ ଥିଲା। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ଏକାଠି ହୋଇ ସଠିକ୍ ଦିଗରେ ଆଗକୁ ବଢ଼ିବା ଆବଶ୍ୟକ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯଦି କୌଣସି ରାଜନୈତିକ ଦଳ ନିଜକୁ ଦାୟିତ୍ୱବାନ ବୋଲି ମନେ କରୁଛି, ତେବେ ଏଭଳି ସଙ୍କଟ ସମୟରେ ସମାଲୋଚନା କରିବା ପରିବର୍ତ୍ତେ ସରକାରଙ୍କୁ ସହଯୋଗ କରିବା ଅଧିକ ଶ୍ରେୟସ୍କର ହୋଇଥାନ୍ତା।

Also Read:-ଅବତରଣ ବେଳେ ଧକ୍କା ହେଲେ ଦୁଇ ହେଲିକପ୍ଟର, ଜଣେ ମୃତ

ବିରୋଧୀ ଦଳକୁ ଟାର୍ଗେଟ କରି ପୃଥ୍ୱୀରାଜ କହିଛନ୍ତି, ବର୍ତ୍ତମାନ ବିରୋଧୀ ଦଳରେ ରାଜନୈତିକ ଅସ୍ତିତ୍ୱକୁ ନେଇ ସଙ୍କଟ ଦେଖାଦେଇଛି। ଦଳ ଭିତରେ ବିଦ୍ରୋହ ସୃଷ୍ଟି ହେଉଥିବାରୁ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅନ୍ୟ ଦଳର ନେତାଙ୍କୁ ଗାଳିଗୁଲଜ, ପ୍ୟାରୋଡି, ମିମିକ୍ରି ଏବଂ ଏଆଇ ଦ୍ୱାରା ପ୍ରସ୍ତୁତ ଫଟୋ ପ୍ରଚାର କରାଯାଉଛି। ଏସବୁ କାର୍ଯ୍ୟ ମାଧ୍ୟମରେ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ତ ରାଜନୈତିକ ଦଳ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଅତୀତରେ ବିଜେପି ବିରୋଧୀ ଦଳରେ ଥିବା ସମୟରେ କେବଳ ସରକାରଙ୍କୁ ସମାଲୋଚନା କରିନଥିଲା, ବରଂ ସରକାର ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ ସହଯୋଗ କରିଥିଲା ବୋଲି ସେ ନିଜ ମତ ରଖିଛନ୍ତି।