ଭୁବନେଶ୍ଵର: ଗଞ୍ଜାମର ବନ୍ୟା ସ୍ଥିତି ପାଇଁ ରାଜ୍ୟର ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ବନ୍ୟା ନିୟନ୍ତ୍ରଣରେ ସରକାରଙ୍କ ବିଫଳତା ନେଇ ବର୍ଷିଛନ୍ତି ସୁଜାତା। କହିଛନ୍ତି, ଏହା ସରକାରଙ୍କ ଅକ୍ଷମଣୀୟ ଅବହେଳା। ଏହା ମାନବକୃତ ଦୁର୍ଦ୍ଦଶା ।

‘ଏକ୍ସ’ରେ ସୁଜାତା ଲେଖିଛନ୍ତି, ଗତ ଅକ୍ଟୋବର ୨୩ ତାରିଖରୁ ହିଁ ବାତ୍ୟାକୁ ନେଇ ଆଗୁଆ ସତର୍କ ସୂଚନା ଜାରି ହୋଇଥିଲା। ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସୂଚନା ମିଳିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ଅକ୍ଟୋବର ୨୮ ତାରିଖରେ ଭଞ୍ଜନଗର, ସୋରଡ଼ା ଏବଂ ଧନେଇ ଜଳଭଣ୍ଡାର ପ୍ରାୟ ୮୦% ପୂର୍ଣ୍ଣ ଥିଲା। ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବା ପରେ ହିଁ ଜଳଭଣ୍ଡାରଗୁଡ଼ିକର ଗେଟ୍ ଖୋଲାଗଲା। ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ କୌଣସି ଆଗୁଆ ସତର୍କ ସୂଚନା ଦିଆଯାଇନଥିଲା। ତେଣୁ ଗଞ୍ଜାମବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ଆସିଲା। କେବେ ଦେଖୁନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେଲା।

ଏଥିରେ ବ୍ୟାପକ ଧନଜୀବନ ନଷ୍ଟ ହେଲା । ଦୁଃଖର କଥା, ସେହି ଭୁଲ୍ ନିଷ୍ପଭି ଲକ୍ଷଲକ୍ଷ ଲୋକଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ସହ ସେମାନଙ୍କର ବିପୁଳ କ୍ଷତି ଘଟାଇଲା। ଋଷିକୂଲ୍ୟା ନଦୀ ଅବବାହିକାରେ ଅନେକ ମଧ୍ୟମଧରଣର ଜଳଭଣ୍ଡାର ସହିତ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡାଇଭର୍ସନ୍ ୱିୟର ଏବଂ ଚେକ୍ ଡ୍ୟାମ୍ ରହିଛି।

also read- ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନା ପ୍ରାକୃତିକ? ବିଜେଡି-ବିଜେପି ମୁହାଁମୁହିଁ

ହେଲେ ସେଗୁଡ଼ିକରୁ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ ? ବନ୍ୟା କିମ୍ବା ବାତ୍ୟା ପରିସ୍ଥିତିର ମୁକାବିଲା ସମୟରେ ଜଳସମ୍ପଦ ବିଭାଗ ପାଇଁ ଏହା ଏକ ନିୟମିତ କାର୍ଯ୍ୟପଦ୍ଧତି। ଏପରି ଅକ୍ଷମଣୀୟ ଅବହେଳା ଓ ମାନବକୃତ ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶାର ଜବାବ ବିଜେପି ସରକାର ଦେବେ କି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।