ମୁମ୍ଵାଇ ୦୪।୧୧; "ବେବି ଡଲ୍ ମୈଁ ସୋନେ ଦି" ଭଳି ହିଟ୍ ଗୀତ ପାଇଁ ଜଣାଶୁଣା ବଲିଉଡ୍ ଗାୟିକା କନିକା କପୁର। ଏବେ ଚାରି ବର୍ଷ ବିବାହରେ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଗାୟିକା ଏହି ଆଶ୍ଚର୍ଯ୍ୟଜନକ ଖବରକୁ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କ ସହ ସେୟାର କରି ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି। କନିକା ତାଙ୍କ ସ୍ୱାମୀଙ୍କଠାରୁ କାହିଁକି ଅଲଗା ହେଲେ ସେ ବିଷୟରେ କିଛି କହି ନାହାନ୍ତି । 

କନିକା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି, "ପ୍ରିୟ ବନ୍ଧୁ ଏବଂ ପରିବାର, ବହୁତ ଚିନ୍ତା କରିବା ପରେ, ମୁଁ ଏବଂ ମୋ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଏକାଠି ବିତାଇଥିବା ସମୟ ପାଇଁ ମୁଁ କୃତଜ୍ଞ। ଭବିଷ୍ୟତ ପାଇଁ ମୁଁ ତାଙ୍କୁ ଶୁଭକାମନା ଜଣାଉଛି। ଆମର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ମୁଁ ଆପଣଙ୍କର ଦୟା ଏବଂ ପ୍ରାର୍ଥନା ଚାହୁଁଛି। ଲବ୍, କନିକା। ଏହି ପୋଷ୍ଟରେ କନିକା କପୁର ଚାରି ବର୍ଷ ବିବାହ ପରେ ସ୍ୱାମୀ ଗୌତମଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି କିନ୍ତୁ ସେ ଛାଡପତ୍ର ବିଷୟରେ କିଛି କହି ନାହାନ୍ତ। ଗାୟିକା କନିକା କପୁର ମଧ୍ୟ ସେମାନଙ୍କ ଅଲଗା ହେବାର କାରଣ ପ୍ରକାଶ କରି ନଥିଲେ।

୨୦୨୨ ମସିହାରେ କରିଥିଲେ ବିବାହ

କନିକା କପୁର ପୂର୍ବରୁ ଗୌତମ ହାତିରମଣିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ, କହିଥିଲେ ଯେ ସେମାନେ ପରସ୍ପରକୁ ୧୫ ବର୍ଷ ଧରି ଜାଣନ୍ତି ଏବଂ ବହୁତ ଘନିଷ୍ଠ ବନ୍ଧୁ। ଗାୟିକା ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ସେ ନିଜେ ଗୌତମଙ୍କୁ ଦୁଇଥର ବିବାହ କରିବାକୁ କହିଥିଲେ। କନିକା ତାଙ୍କୁ ପ୍ରଥମ ଥର ୨୦୧୪ରେ ଏବଂ ତା'ପରେ ପୁଣି ୨୦୨୦ରେ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ, ଅଗଷ୍ଟ ୨୦୨୧ରେ, ଗୌତମ ତାଙ୍କୁ ବ୍ୟକ୍ତିଗତ ଭାବରେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ୨୦ ମଇ ୨୦୨୨ରେ, ଦୁହେଁ ପରିବାର ଉପସ୍ଥିତିରେ ଲଣ୍ଡନରେ ବିବାହ କରିଥିଲେ।

କନିକା କପୁରଙ୍କ ଦ୍ୱିତୀୟ ବିବାହ

ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କ ପାଇଁ, ଏହା କନିକା କପୁରଙ୍କ ଦ୍ୱିତୀୟ ବିବାହ। ସେ ପୂର୍ବରୁ ୧୯୯୮ ମସିହାରେ ବ୍ୟବସାୟୀ ରାଜ ଚଣ୍ଡୋକଙ୍କୁ ବିବାହ କରିଥିଲେ, ଯେତେବେଳେ ସେ ମାତ୍ର ୧୮ ବର୍ଷ ବୟସରେ ଥିଲେ। ରାଜ ଚଣ୍ଡୋକଙ୍କଠାରୁ ତାଙ୍କର ତିନୋଟି ସନ୍ତାନ ଅଛନ୍ତି: ଝିଅ ଅନୟା ଏବଂ ସମାଇରା, ଏବଂ ପୁଅ ଯୁବରାଜ। ରାଜଙ୍କୁ ବିବାହ କରିବା ପରେ, କନିକା କପୁର ଲଣ୍ଡନକୁ ଚାଲିଯାଇଥିଲେ। କିନ୍ତୁ, ସେ ୨୦୧୨ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ, ଏହା ପରେ ସେ ଭାରତ ଫେରି ଆସିଥିଲେ ଏବଂ ସେଠାରେ ଏକ ସିଙ୍ଗିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ।