ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଅର୍ଣ୍ଣବ ପରେ ସୃଷ୍ଟି ହୋଇଛି ବିପର୍ଯ୍ୟୟ ପରିସ୍ଥିତି। ରାଜ୍ୟ ସରକାର ଯେତେ ପ୍ରସ୍ତୁତି ଏବଂ ମୁକାବିଲା ନେଇ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ  ରହିଛି। ସରକାରୀ ପ୍ରତିନିଧି ସହ ବିରୋଧୀ ଦଳର ପ୍ରତିନିଧି ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି। ଏହି କ୍ରମରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ପ୍ରଦେଶ କଂଗ୍ରେସ କମିଟି (PCC) । କଂଗ୍ରେସର ଏକ ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସରକାରୀ ସହାୟତା ଓ ପରିଚାଳନାଗତ ତ୍ରୁଟିକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସତ୍ୟବ୍ରତ ନାୟକ ଓ ଉଷା ବେହେରାଙ୍କୁ ନେଇ ଗଠିତ PCCର ଏକ ପ୍ରତିନିଧି ଟିମ୍ ସ୍ଥିତି ସମୀକ୍ଷା ପାଇଁ ବନ୍ୟାଞ୍ଚଳ ଗସ୍ତ କରିଥିଲେ। ଅଞ୍ଚଳର ବାସ୍ତବ ସ୍ଥିତି ଦେଖିବା ପରେ ସେମାନେ କହିଛନ୍ତି ଯେ, ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଚିନ୍ତାଜନକ। ଅଧିକାଂଶ ସ୍ଥାନରେ ନା ପିଇବା ପାଣି ମିଳୁଛି, ନା ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ଚିକିତ୍ସା ସେବା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

Also Read: ବାତ୍ୟା ଆସୁଥିବା ଜାଣି ବି କାହିଁକି ହେଲାନି ଆଗୁଆ ପ୍ରସ୍ତୁତି? ଗଞ୍ଜାମ ବନ୍ୟାକୁ ନେଇ ସୁଜାତାଙ୍କ ପ୍ରଶ୍ନ

ବାସ୍ତବ ସ୍ଥିତିଠାରୁ ଦୂରରେ ସରକାର

କଂଗ୍ରେସ ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ଆଦୌ ପ୍ରସ୍ତୁତ ନଥିଲେ। ସରକାରୀ ସ୍ତରରେ ସ୍ଥିତିକୁ ହାଲକା ଭାବେ ନିଆଯାଇଛି। ସଠିକ୍ କ୍ଷୟକ୍ଷତି ଆକଳନ ନକରି ତରବରିଆ ଭାବେ କେବଳ ୫୦ କେଜି ଚାଉଳ ଯୋଗାଇଦେବାର ଘୋଷଣା କରାଯାଇଛି। ମାତ୍ର ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ଏବଂ ରାନ୍ଧିବା ପାଇଁ ସୁବିଧା ନଥିବା ବେଳେ କେବଳ ଚାଉଳ ଦେଇ ସରକାର ନିଜ କର୍ତ୍ତବ୍ୟ ଶେଷ କରିଦେଇଛନ୍ତି। ଫଳରେ ବନ୍ୟାଞ୍ଚଳର ସ୍ଥିତି ୨୫ ବର୍ଷ ତଳର ବିପର୍ଯ୍ୟୟକୁ ମନେ ପକାଇ ଦେଉଛି।

ଆକାଶମାର୍ଗରୁ ଆକଳନରେ ମିଳିବନି ଆଶ୍ୱାସନା

ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଅଞ୍ଚଳ ଦେଖି ପ୍ରଶଂସା ସାଉଣ୍ଟିବାକୁ ଚେଷ୍ଟା କରୁଛନ୍ତି ବୋଲି PCC ଟିମ୍ କହିଛି। ଗ୍ରାଉଣ୍ଡ ଜିରୋରେ ବାସ୍ତବରେ କୌଣସି ପ୍ରକାର ସରକାରୀ ରିଲିଫ୍ କିମ୍ବା ସହାୟତା ପହଞ୍ଚିପାରି ନାହିଁ। ଯଦି ସରକାର ଆଗୁଆ ସଜାଗ ରହିଥାନ୍ତେ, ତେବେ ଜିରୋ କ୍ୟାଜୁଆଲଟି ସହ ଲୋକଙ୍କୁ ଏହି ଦୁର୍ଦ୍ଦଶାରୁ ରକ୍ଷା କରାଯାଇପାରିଥାନ୍ତା।