ମୁମ୍ଵାଇ ୦୪।୧୧; ବଲିଉଡ୍ ହେଉ କି ଦକ୍ଷିଣ ଭାରତୀୟ ସିନେମା, ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ପ୍ରକାଶ ରାଜ୍। ପ୍ରାୟ ୩୮ ବର୍ଷର ଅଭିନୟ ଜୀବନରେ ଅନେକ ସଫଳ ଚଳଚ୍ଚିତ୍ରର ଅଂଶ ହୋଇଛନ୍ତି ସେ। କିନ୍ତୁ ପରଦାରେ ଯେତିକି ଦମଦାର, ବାସ୍ତବ ଜୀବନରେ ମଧ୍ୟ ସେତିକି ନିର୍ଭୀକ। ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ଖୋଲାଖୋଲି ମତ ରଖିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

ହେଲେ ଏହି ସ୍ପଷ୍ଟବାଦିତା ତାଙ୍କ ପେଷାଗତ ଜୀବନରେ ଅନେକ ଚ୍ୟାଲେଞ୍ଜ ଆଣିଛି ବୋଲି କହିଛନ୍ତି ପତ୍ନୀ ପୋନୀ ବର୍ମା। ୨୦୧୭ ମସିହାରେ ବରିଷ୍ଠ ସାମ୍ବାଦିକା ତଥା ପ୍ରକାଶ ରାଜଙ୍କ ଘନିଷ୍ଠ ବନ୍ଧୁ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣା ତାଙ୍କୁ ଗଭୀର ଭାବେ ଦୋହଲାଇ ଦେଇଥିଲା। ଏହି ଘଟଣା ପରେ ସେ ଆହୁରି ଦୃଢ଼ ଭାବେ ନିଜର ମତ ରଖିବା ଆରମ୍ଭ କରିଥିଲେ।

ପରିବାର ଲୋକଙ୍କ ମନରେ ତାଙ୍କ ସୁରକ୍ଷାକୁ ନେଇ ଭୟ ରହିଥିଲେ ମଧ୍ୟ ନିଜ ବିଚାରଧାରାରୁ ଓହରି ନଥିଲେ ପ୍ରକାଶ। ତେବେ ତାଙ୍କର ଏହି ରାଜନୈତିକ ଆଭିମୁଖ୍ୟ ଓ ସରକାରୀ ନୀତିକୁ ନେଇ ଖୋଲା ସମାଲୋଚନାର ପ୍ରଭାବ କ୍ୟାରିୟର ଉପରେ ପଡ଼ିଥିବା କହିଛନ୍ତି ପୋନୀ। ଅନେକ ବଡ଼ ବଡ଼ ଫିଲ୍ମ ତାଙ୍କ ହାତରୁ ଚାଲିଯିବା ସହ ନାମୀଦାମୀ ବ୍ରାଣ୍ଡର ବିଜ୍ଞାପନରୁ ମଧ୍ୟ ତାଙ୍କୁ ବାଦ୍ ଦିଆଯାଇଥିବା ସେ ଦାବି କରିଛନ୍ତି। ତେବେ ସବୁ କ୍ଷତି ସତ୍ତ୍ୱେ ନିଜ ମତ ଓ ନୀତି ସହ ସାଲିସ୍ କରିନାହାନ୍ତି ପ୍ରକାଶ ରାଜ୍। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ତାଙ୍କ ସାହସ ଓ ନିର୍ଭୀକତାକୁ ନେଇ ମତ ରଖୁଛନ୍ତି ୟୁଜର୍ସ।