ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏବଂ ଆମେରିକା ଲଗାତାର ଆକ୍ରମଣ ଜାରି ରଖିଥିବା ବେଳେ, ଇରାନର ପାଲଟା ଜବାବ ଚିନ୍ତା ବଢ଼ାଇଛି। ଏହାରି ମଧ୍ୟରେ ଆମେରିକାର ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଥିବା ୪୮ ଅଲ୍ଟିମେଟମରୁ ଓହରିଛନ୍ତି। ଏହି ଅଲ୍ଟିମେଟମ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବାକୁ ଦିଆଯାଇଥିଲା।

ସୂଚନା ଅନୁସାରେ, ନିକଟରେ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ ଯଦି ‘୪୮ ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନଖୋଲିବ, ତା’ହେଲେ ଆମେରିକା ତା’ର ଶକ୍ତିର ବ୍ୟବହାର କରି ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବ। ହେଲେ ୪୮ ଘଣ୍ଟା ପୂରା ହେବା ପୂର୍ବରୁ ଟ୍ରମ୍ପ ସେହ ଅଲ୍ଟିମେଟମ ଉପରେ ବ୍ରେକ ଲଗାଇଛନ୍ତି। ଆଉ ପାଞ୍ଚ ଦିନ ପାଇଁ ଯୁଦ୍ଧ ସ୍ଥଗିତ ରଖିଛନ୍ତି। ଟ୍ରମ୍ପ କହିଛନ୍ତି ସେ ବର୍ତ୍ତମାନ ପାଞ୍ଚ ଦିନ ପାଇଁ ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ଅର୍ଥାତ ଆମେରିକା, ବର୍ତ୍ତମାନ ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଜନାକୁ ୫ ଦିନ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

କ’ଣ ଚେତାବନୀ ଦେଇଥିଲା ଇରାନ ?

ବଡ଼ କଥା ହେଲା ଆମେରିକା ରାଷ୍ଟ୍ରପତିଙ୍କ, ଇରାନ ଠିକଣା ଉପରେ ଆକ୍ରମଣ ସ୍ଥଗିତ ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଇରାନ ମଧ୍ୟ ବଡ଼ ଚେତାବନୀ ଦେଇଛି ଯେ, ଯଦି ତା’ର ଉପକୂଳବର୍ତ୍ତୀ ଅଞ୍ଚଳ କିମ୍ବା ଦ୍ବୀପ ଉପରେ ଆକ୍ରମଣ ହୁଏ ତେବେ ସେ ସମଗ୍ର ପାରସ୍ୟ ଉପସାଗରରେ ବାରୁଦ ସୁଡ଼ଙ୍ଗ ବିଛାଇ ସମୁଦ୍ର ମାର୍ଗ ବନ୍ଦ କରିଦେବ।

Also Read: Middle East War: ଖାଲି ହୋଇଯିବ ଆମେରିକାର ରାଜକୋଷ, ପାଣିରେ ପଡ଼ିଲାଣି ୮୦୦ ମିଲିୟନ ଡଲାର, ଏବେ କଣ କରିବେ ଟ୍ରମ୍ପ

ନରମ ଆଭିମୁଖ୍ୟ ନା’ ରଣନୈତିକ ବିରାମ ?

ପ୍ରକୃତରେ ହର୍ମୁଜ ପ୍ରଣାଳୀ ଦୁନିଆର ସବୁଠୁ ଗୁରୁତ୍ବପୂର୍ଣ୍ଣ ତେଲ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ। ଏଠାରୁ ବିଶ୍ବ ତେଲ ଯୋଗାଣ ବଡ଼ ଅଂଶ ଯାଇଥାଏ। ଏବେ ନୂଆ ଘଟଣାକ୍ରମରେ ଟ୍ରମ୍ପ ପ୍ରଶାସନ ସୈନା କାର୍ଯ୍ୟାନୁଷ୍ଠାନକୁ ବର୍ତ୍ତମାନ ସ୍ଥଗିତ ରଖି ଇରାନକୁ ଅତିରିକ୍ତ ସମୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

କୁହାଯାଉଛି ଏହି ପଦକ୍ଷେପ କୂଟନୈତିକ ଆଲୋଚନା ପାଇଁ ଅବସର ଦେବା, ବିଶ୍ବ ତେଲ ବଜାରକୁ ସ୍ଥିର ରଖିବା ଏବଂ ସମ୍ଭାବିତ ବଡ଼ ଯୁଦ୍ଧକୁ ଏଡ଼ାଇବା ଉଦ୍ଦେଶ୍ୟରେ ଉଠାଯାଇଛି। କାରଣ ଇରାନ ମଧ୍ୟ ସ୍ପଷ୍ଟ କରିଛି ଯେ, ଯଦି ତା’ ଉପରେ ଆକ୍ରମଣ ହେବ ତେବେ କେବଳ ସେ ହର୍ମୁଜକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବ ତାହା ନୁହେଁ ବରଂ ସେହି ଅଞ୍ଚଳର ପାଓ୍ବାର ପ୍ଲାଣ୍ଟକୁ ମଧ୍ୟ ଟାର୍ଗେଟ କରିପାରେ। ଯଦି ଏଭଳି ହେଉଛି ତେବେ ଏହାଦ୍ବାରା ବୈଶ୍ବିକ ଶକ୍ତି ସଙ୍କଟ ଆହୁରି ଗମ୍ଭୀର ହୋଇପାରେ।

କାରଣ ତେଲ ଦାମ୍ ପୂର୍ବରୁ ହିଁ ୧୦୦ ଡଲାର ପ୍ରତି ବ୍ୟାରେଲ ଟପିସାରିଛି। ଆଉ ଆଗକୁ ଆହୁରି ବଢ଼ିପାରେ । ଦୁନିଆରେ ଶେୟାର ବଜାର ଆହୁରି ହ୍ରାସ ହୋଇପାରେ। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଅସ୍ଥାୟୀ ଆଶ୍ବସ୍ତି ଦେବା ଭଳି ଅନୁଭବ ହେଉଛି। କିନ୍ତୁ ସ୍ଥିତି ଏବେବି ଖୁବ୍ ସମ୍ବେଦନଶୀଳ ରହିଛି । ଆଗାମୀ ୫ ଦିନ ନିର୍ଦ୍ଧାରିତ କରିବ ଯେ, ଏହି ସଙ୍କଟ କୂଟନୀତି ଦ୍ବାରା ସମାଧାନ ହେବା ନା’ ବଡ଼ ସୈନ୍ୟ ବିବାଦରେ ବଦଳିବ।

Also Read: ସମୁଦ୍ର ତଳେ ବିପଦ...ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ବିଛାଇଚି ମୃତ୍ୟୁର ଜାଲ, ଆମେରିକା ବି ମାନିଲାଣି ହାର୍

ଆରମ୍ଭ ହେଲା ଆଲୋଚନା: ଟ୍ରମ୍ପ

ସେପଟେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ରୋକିବା ପାଇଁ ଆଲୋଚନା ଆରମ୍ଭ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଟ୍ରମ୍ପ ନିଜ ଟ୍ରୁଥ ସୋସିଆଲ ଆକାଉଣ୍ଟରେ କହିଛନ୍ତି ଇରାନ ଏବଂ ଆମେରିକୀୟ ଅଧିକାରୀମାନେ ଗତ ଦୁଇ ଦିନ ଧରି ଏକ ଶାନ୍ତି ଚୁକ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାରଣରୁ, ୱାଶିଂଟନ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର କୌଣସି ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବ ନାହିଁ। ଆମେ ଏହି ସପ୍ତାହ ଶେଷ ସୁଦ୍ଧା ଏକ ଚୁକ୍ତିରେ ପହଞ୍ଚିବା ନେଇ ଆଶା ରହିଛି। ସେପର୍ଯ୍ୟନ୍ତ, ଆମେ ଇରାନର ବିଦ୍ୟୁତ୍ କେନ୍ଦ୍ର କିମ୍ବା ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ଆଲୋଚନାର ଫଳାଫଳ ଉପରେ ନିର୍ଭର କରିବ। ଯଦି ଆଲୋଚନା ସଫଳ ନହୁଏ, ତେବେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରେ। ସେପଟେ ଇରାନର ସରକାରୀ ଗଣମାଧ୍ୟମ କହିଛି ଟ୍ରମ୍ପ୍ ପଛକୁ ହଟିଛନ୍ତି।