ତେହେରାନ,୨୩ /୦୩:ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ସରୁନି ଯୁଦ୍ଧ । ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କାଉଣ୍ଟର ଜବାବ ଦେଉଛି । ତେବେ ଏହି ଯୁଦ୍ଧ କେବଳ ଏୟାର ଷ୍ଟ୍ରାଇକ୍ କିମ୍ବା ମିସାଇଲ୍ ଆକ୍ରମଣରେ ସୀମିତ ରହିନାହିଁ । ଷ୍ଟ୍ରେଟ୍ ଅଫ୍ ହର୍ମୋଜର ପାଣି ତଳେ ଆଉ ଏକ ନୂଆ ବିପଦ ମୁଣ୍ଡ ଟେକିଛି । ଯାହାକୁ ସହଜରେ ଟ୍ରାକ୍ କରିବା ଏବଂ ନିଷ୍କ୍ରିୟ କରିବା ସହଜ କଥା ନୁହେଁ ।

ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏ-୧୦ଆଟାକ୍ ଏୟାରକ୍ରାଫ୍ଟ୍ ଏବଂ ଆପାଚି ଏୟାରକ୍ରାଫ୍ଟ୍ ମୁତୟନ କରିଛି । ଏହାଦ୍ୱାରା ଇରାନର ସ୍ପିଡ୍ ବୋଟ୍ ଏବଂ ଅଣ୍ଡରଗ୍ରାଉଣ୍ଡ୍ ଅସ୍ତ୍ରଶସ୍ତ୍ରକୁ ଅକାମୀ କରାଯାଇପାରିବ । ଫଳରେ ଇରାନ ଷ୍ଟ୍ରେଟରେ ଯେଉଁ ଦବଦବା ଦେଖାଉଛି ତାହାକୁ ପ୍ରତିରୋଧ କରିହେବ । ଏହାସହ ଜାହାଜଗୁଡିକ ସୁରକ୍ଷିତ ଭାବେ ଚଳପ୍ରଚଳ କରପାରିବ ।

ତେବେ ସବୁଠୁ ବଡ ବିପଦ ହେଉଛି ପାଣି ଭିତରେ ଥିବା ସବମେରିନ୍ । ଯାହାକୁ ଟ୍ରାକ୍ କରିବା ସହଜ ନୁହେଁ । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ପର୍ସିଆନ୍ ଗଲଫ୍ ଏବଂ ଗଲଫ୍ ଅଫ୍ ଓମାନ ମଧ୍ୟରେ ରହିଛି । ଯେଉଁଠି ବିଶ୍ୱର୨୦ପ୍ରତିଶତ ଏନର୍ଜି କରାବାର ହୋଇଥାଏ ।

ଇରାନର କ୍ଷୁଦ୍ର ସବମେରିନ୍

ରିପୋର୍ଟ ଅନୁସାରେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ଘାଦିର୍ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଏହା ପାରମ୍ପରିକ ବୁଡାଜାହାଜଠୁ ଖୁବ୍ ଛୋଟ । ଏହାର ଲମ୍ବ୨୯ମିଟର ହୋଇଥିବା ବେଲେ ଓଜନ ମାତ୍ର ୧୨୦ଟନ୍ । ଏହା ସମୁଦ୍ର ତଳେ୩୦ମିଟର ଯାଏଁ ଯାଇପାରିବ । ଏପରି ୧୦ ବୁଡାଜାହାଜକୁ ତେହେରାନ ମୁତୟନ କରିଛି । ଯାହା ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ବିଭିନ୍ନ ଜାହାଜ ପାଇଁ ପ୍ରକୃତ ବିପଦ । ଏହାର ମୁକାବିଲା ପାଇଁ ଆମେରିକା ମଧ୍ୟ ଓହିଓ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଯାହାର ଓଜନ ୧୮୭୫୦ ଟନ୍ ହୋଇଥିବା ବେଳେ ଲମ୍ବ ୧୭୦ମିଟର ।

ସବୁଠାରୁ ବଡ କଥା ହେଉଛି ଯେ, ଏହି ସବୁ ସବମେରିନ୍ ସମୁଦ୍ର ମଧ୍ୟରେ ବୋମା ଲଗାଇବାରେ ପାରଙ୍ଗମ । ଯାହା ଜାହାଜର ଚଳପ୍ରଚଳକୁ ଗୁରୁତର ପ୍ରଭାବିତ କରିବ । ଏସବୁ ବୁଡାଜାହାଜ ଦ୍ୱାରା ବିଛାଯାଇଥିବା ନାଭାଲ୍ ମାଇନ୍ସ୍ କୁ ଟ୍ରାକ୍ କରିବା କଷ୍ଟକର ।

ଇରାନ ଇଲାକାରେ ଅନେକ ବୁଡାଜାହାଜ

ଘାଦିର୍ କ୍ଲାସ୍ ସହ ଇରାନ ଫତେହ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଏତତ୍ ବ୍ୟତୀତ ଋଷିଆରେ ନିର୍ମିତ କିଲୋ କ୍ଲାସ୍ ସବମେରିନ୍, ନହାଙ୍ଗ୍ ମିଡ୍ ନାଇଟ୍ ସବମେରିନ୍ ମଧ୍ୟ ପାଣି ଭିତରେ ରହିଛି । ଆହୁରି ମଧ୍ୟ ଘାବାସି ଏବଂ ଅଲ୍ ସାବେହତ୍ ସ୍ୱିମର୍ ଡେଲିଭରି ଭେଇକିଲ୍ ମଧ୍ୟ ଇରାନ ପାଣିକୁ ଛାଡିଛି । ଏସବୁକୁ ଇରାନର ସ୍ପିଡ୍ ବୋଟ୍ ସହାୟତା ପ୍ରଦାନ କରୁଛି ।

ବିପଦରେ ଜାହାଜ

ଇରାନ ସମୁଦ୍ର ତଳେ ବିଛାଇଥିବା ମାଇନ୍ସ ହର୍ମୋଜ୍ ଦେଇ ଚଳପ୍ରଚଳ କରୁଥିବା ଜାହାଜ ପାଇଁ ବିପଦ ଭାବେ ଉଭା ହୋଇଛନ୍ତି । ମାଇନ୍ସ୍ ଅନେକ ବଡ ଜାଡାଜକୁ ଟାର୍ଗେଟ୍ କରିପାରିବ । ଏପରିକି ଧ୍ୱଂସ କରିପାରିବାର କ୍ଷମତା ରଖୁଛି । ଆମେରିକା ଏହା ଉପରେ ନଜର ରଖିଥିଲେ ବି ସବୁ ନାଭାଲ୍ ମାଇନ୍ସକୁ ଟ୍ରାକ୍ କରି ଡିଫ୍ୟୁଜ୍ କରିବା ସହଜ କଥା ନୁହେଁ । ଏଥିପାଇଁ ୟୁଏସ ବ୍ରିଟେନ୍ ଏବଂ ଜାପାନର ସାହାଯ୍ୟ ଲୋଡୁଛି ।

ଆଡଭାନ୍ସଡ୍ ମିସାଇଲ୍ ସିଷ୍ଟମ୍

ଖାଲି ପାଣି ନୁହେଁ ଇରାନ ଭୂମିରେ ଅନେକ ଦୂରଗାମୀ ମିସାଇଲ୍ ସିଷ୍ଟମ୍ ମୁତୟନ କରିଛି । ଯାହା୧୦୦୦କିମି ଦୂରରେ ଲକ୍ଷ୍ୟ ଭେଦ କରିପାରିବ । ଆଣ୍ଟି ସିପ୍ ବାଲିଷ୍ଟିକ୍ ମିସାଇଲ୍, ହରମୋଜ୍-୨ ମିସାଇଲ୍ ଆଦି ଇରାନର ଶକ୍ତି ବଢାଉଛନ୍ତି ।