ନୂଆଦିଲ୍ଲୀ ୫।୧୨: ଆମେରିକା ୨୦୨୬ରେ ମିଆମିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରୁ ଦକ୍ଷିଣ ଆଫ୍ରିକାକୁ ବାହାର କରିଦେଇଛି। ଚଳିତ ସପ୍ତାହରେ ଆମେରିକା ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଛି ଓ ଆଗାମୀ ବୈଠକରୁ ଦକ୍ଷିଣ ଆଫ୍ରିକାକୁ ବାହାରେ ରଖିବାକୁ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫ୍ରିକା ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ଏହା ଆମେରିକାର ବିରୋଧ କରୁଛି ଓ ଜି-୨୦ର ଆର୍ଥିକ ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି।

ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି ଯେ ଆମେରିକା ଜି-୨୦ର ମୂଳ ଆର୍ଥିକ ବିକାଶ ପ୍ରସଙ୍ଗ ଉପରେ କେନ୍ଦ୍ରିତ ରହିବ। ସେ କହିଛନ୍ତି ଯେ ଆମେରିକା କେବଳ ସେହି ଦେଶଙ୍କୁ ଆମନ୍ତ୍ରିତ କରିବ ଯେଉଁମାନଙ୍କୁ ମିତ୍ର, ପଡୋଶୀ ଓ ସହଭାଗୀ ବୋଲି ଭାବୁଛି। ଏଥିରେ ପୋଲାଣ୍ଡକୁ ମଧ୍ୟ ସାମିଲ କରାଯିବ। ରୁବିୟୋ ପୋଲାଣ୍ଡକୁ ଏକ ଏପରି ଦେଶ କହିଛନ୍ତି ଯିଏ ସଂସ୍କାର ଆପଣେଇବା ଓ ଭବିଷ୍ୟତ ଉପରେ ଧ୍ୟାନ ଦେବାରେ ସଫଳ ହୋଇଛି।

ରୁବିୟୋ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ମାଣ୍ଡେଲା ଯୁଗ ପରେ ସେଠାକାର ସରକାର ସାମଞ୍ଜସ୍ୟ ବଦଳେ ପୁନର୍ବିତରଣ ନୀତିକୁ ଆପଣେଇଛନ୍ତି। ଏଣୁ ଦେଶକୁ ନିବେଶ ହ୍ରାସ ହୋଇଥିବା ବେଳେ ସବୁଠୁ ପ୍ରତିଭାଶାଳୀ ଲୋକେ ବିଦେଶ ପଳାୟନ କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ କୋଟା ଘରୋଇ କ୍ଷେତ୍ରକୁ ଦୁର୍ବଳ କରିଦେଇଛି ଓ ଭ୍ରଷ୍ଟାଚାର ଦେଶକୁ ଦେବାଳିଆ କରୁଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକା ବିଶ୍ୱର ୨୦ ସବୁଠୁ ବଡ଼ ଔଦ୍ୟୋଗିକ ଅର୍ଥ ବ୍ୟବସ୍ଥାରେ ଆଉ ସାମିଲ ନାହିଁ।