ନୂଆଦିଲ୍ଲୀ ୧୮।୦୪; ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ପୁଣି ଥରେ ଆରମ୍ଭ ହୋଇଛି । ଇସଲାମାବାଦରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ବୈଠକ ପରେ ପୁଣି ଥରେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗରେ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାକୁ ଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମାଇବା ପ୍ରୟାସର ଅଂଶ ସ୍ୱରୂପ, ସୋମବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହୋଇପାରେ । ଆଲୋଚନାରେ ସାମିଲ ଇରାନୀ ଅଧିକାରୀମାନେ ସିଏନଏନକୁ କହିଛନ୍ତି ।

ସୂତ୍ର ଅନୁଯାୟୀ ଉଭୟ ପ୍ରତିନିଧିମଣ୍ଡଳ ରବିବାର ଇସଲାମାବାଦରେ ପହଞ୍ଚିପାରନ୍ତି । ହେଲେ ଆମେରିକା ପ୍ରଶାସନ ଏପର୍ଯ୍ୟନ୍ତ ଏହି ଆଲୋଚନାଗୁଡ଼ିକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ, ତଥାପି କୂଟନୀତି ତୀବ୍ର ହେଉଥିବାର ସଙ୍କେତ ମିଳିଛି । ଆମେରିକା ରାଷ୍ଟ୍ରପତି ଗତ ଶୁକ୍ରବାର କହିଥିଲେ ଯେ,ଏକ ଚୁକ୍ତି ଦିଗରେ ଅଗ୍ରଗତି ହେଉଛି, କିନ୍ତୁ ଜଣେ ବରିଷ୍ଠ ଇରାନୀ ଅଧିକାରୀ ତେହେରାନ ଦ୍ୱାରା କୌଣସି ବଡ଼ ଆପୋଷ କିମ୍ବା ରିହାତିକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଥିଲେ ଯେ ଆଲୋଚନାର ଅନେକ ପ୍ରମୁଖ ପ୍ରସଙ୍ଗରେ ମତଭେଦ ରହିଛି ।

ପାକିସ୍ତାନର ରାଜଧାନୀ ଇସଲାମାବାଦ ଏହି ଆଲୋଚନାର ଆୟୋଜନ କରିବାର ସମ୍ଭାବନା ରହିଛି। ଆମେରିକା କିମ୍ବା ଇରାନ ଉଭୟ ଆନୁଷ୍ଠାନିକ ଭାବରେ ବୈଠକକୁ ନିଶ୍ଚିତ କରିନାହାନ୍ତି। ତଥାପି ସୂଚନା ମିଳୁଛି ଯେ, ପରଦା ପଛରେ ପ୍ରସ୍ତୁତି ଜୋରସୋର୍ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହି ସାରିଛନ୍ତି, ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ।

Also Read-ଇରାନକୁ ଟ୍ରମ୍ପ ପୁଣି ଦେଲେ ଚେତାବନୀ, ଯଦି ଡିଲ୍ ନହୁଏ ବର୍ଷିବ ବୋମା