ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ ନିର୍ବାଚନ କମିଶନଙ୍କୁ ସରକାରୀ କାର୍ଯ୍ୟ କରିବା ପାଇଁ ମିଳିଥିବା ବ୍ୟାପକ ଆଇନଗତ କାର୍ଯ୍ୟାନୁଷ୍ଠାନର ସୁରକ୍ଷା ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ ଏହି ଆବେଦନ କରିଛି। ଏନେଇ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ କରି ଉତ୍ତର ମାଗିଛନ୍ତି।

ଅଦାଲତଙ୍କ ଏହି ନୋଟିସ୍ ପରେ ନିର୍ବାଚନ କମିଶନଙ୍କୁ ମିଳିଥିବା ଆଇନଗତ ସୁରକ୍ଷା ଓ ସେମାନଙ୍କର ଉତ୍ତରଦାୟିତ୍ୱକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଆବେଦନରେ କୁହାଯାଇଛି ଯେ ଏଭଳି ବ୍ୟାପକ ଆଇନଗତ ସୁରକ୍ଷା ସାମ୍ବାଧାନିକ ପଦରେ ବସିଥିବା ଅଧିକାରୀମାନଙ୍କୁ ସାମାନ୍ୟ ଆଇନ ପ୍ରକ୍ରିୟାରୁ ବାହାର ରଖିପାରେ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି.ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲା ବିଚାର କରୁଛନ୍ତି। ଏହି ଆବେଦନରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ ସମ୍ପର୍କିତ ୨୦୨୩ ଆଇନର ଧାରା ୧୬କୁ ଚ୍ୟାଲେଞ୍ଜ କରାଯାଇଛି। ଏହାର ଜବାବ ରଖିବାକୁ କୋର୍ଟ ପକ୍ଷଭୁକ୍ତଙ୍କୁ ନୋଟିସ କରିଛନ୍ତି। ନଭେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବେ।

Also read- SIRକୁ ବଦନାମ୍ କରିବା ବନ୍ଦ କର, ୨୦୨୯ରେ ପୁଣି ହାରିବ କଂଗ୍ରେସ... ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ

ତେବେ ଏହି ବିବାଦର ମୂଳରେ କାରଣ ହେଉଛି ସେହି ବ୍ୟବସ୍ଥା ଯାହା ପୂର୍ବତନ କିମ୍ବା ବର୍ତ୍ତମାନ କାର୍ଯ୍ୟରତ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରମାନଙ୍କୁ ଦିଆଯାଇଥିବା ଅତିରିକ୍ତ ଆଇନଗତ ସୁରକ୍ଷା। ସେମାନଙ୍କର ସରକାରୀ କର୍ତ୍ତବ୍ୟ ପାଳନ ବେଳେ କରାଯାଇଥିବା କାମ, କାର୍ଯ୍ୟାନୁଷ୍ଠାନ କିମ୍ବା କଥା ପାଇଁ ଦେୱାନୀ ଏବଂ ଫୌଜଦାରୀ ମାମଲାରୁ ସୁରକ୍ଷା ମିଳିଛି। ଯାହା ସେମାନଙ୍କୁ ସାମାନ୍ୟ ଆଇନ ପ୍ରକ୍ରିୟାରୁ ବାହାରେ ରଖୁଛି।

ଧାର ୧୬ରେ କଣ କୁହାଯାଇଛି ?

ଏହି ଧାରା ଅନୁସାରେ ଦେଶର କୌଣସି ଅଦାଲତ ପୂର୍ବତନ ଅଥବା ବର୍ତ୍ତମାନର ମୁଖ୍ୟ ନିର୍ବଚାନ କମିଶନଙ୍କ ବିରୁଦ୍ଧରେ ଦିୱାନୀ ଓ ଫୌଜଦାରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ ନାହିଁ କି ଜାରି କରିପାରିବେ ନାହିଁ। ସରକାରୀ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ, କଥା ପାଇଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଏଡିଆର ଅଭିଯୋଗ ଅନୁସାରେ ଏହି ସୁରକ୍ଷା ସମ୍ବିଧାନ ଅଧିକାରର ଉଲ୍ଲଂଘନ କରୁଛି। ସମ୍ବିଧାନର ଅନୁଚ୍ଛେଧ ୧୪ ଓ ୧୯ର ଉଲ୍ଲଂଘନ କରୁଛି ବୋଲି ଏଡିଆର ଆବେଦନରେ ଦର୍ଶାଇଛି। ଏତେମାତ୍ରାରେ ସୁରକ୍ଷା ମିଳିଥିବା ଦ୍ୱାରା ନିର୍ବଚାନ କମିଶନଙ୍କର ଉତ୍ତରଦାୟୀତ୍ୱ ପ୍ରଭାବିତ ହୋଇପାରେ ବୋଲି ଏଡିଆର୍ ଆବେଦନରେ ଦର୍ଶାଇଛି।