ନୂଆଦିଲ୍ଲୀ: ମେଟ୍ରୋରେ ଗୋଟିଏ ସିଟ୍‌ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ସିଟ୍‌କୁ କେନ୍ଦ୍ର କରି ଯୁକ୍ତିତର୍କ ଏବଂ ମାରପିଟ ପରେ ପ୍ରାଣ ହରାଇଛନ୍ତି ଜଣେ ନିରୀହ ଯାତ୍ରୀ । ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏବଂ ତାଙ୍କର ଜଣେ ଓକିଲ ପୁଅ । ବ୍ୟକ୍ତିଙ୍କ ମୃତ୍ୟୁ ପରେ ବାପ-ପୁଅଙ୍କୁ ଗିରଫ କରିଛି ପୁଲିସ ।

ଅକ୍ଟୋବର ୮ ରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା । ସେଠାରେ ପବନ ଶର୍ମାଙ୍କ ସହ ସଞ୍ଜୟ ପ୍ରତାପ ସିଂହ ଏବଂ ତାଙ୍କ ପୁଅ ସିଦ୍ଧାର୍ଥ ସିଂହଙ୍କ ମଧ୍ୟରେ ବଚସା ହୋଇଥିଲା। ବରିଷ୍ଠ ନାଗରିକଙ୍କ ସିଟ୍‌କୁ ନେଇ ଆରମ୍ଭ ହୋଇଥିଲା ଏହି ବିବାଦ । ଯୁକ୍ତିତର୍କ ସମୟରେ ପବନ ଶର୍ମାଙ୍କୁ ଚାପୁଡ଼ା ମରାଯାଇଥିଲା ଏବଂ ଠେଲାପେଲା କରାଯାଇଥିଲା । ଫଳରେ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମେଟ୍ରୋ କର୍ମଚାରୀମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ପବନ ଶର୍ମାଙ୍କ ମା’ ଦୁର୍ଗା ଶର୍ମାଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୯ ରେ BNSର ଧାରା ୧୦୫ ଏବଂ 3(5) ଅଧୀନରେ ମାମଲା ରୁଜୁ କରାଯାଇଛି। ପୁଲିସ ଅନୁଯାୟୀ, ଅଭିଯୁକ୍ତ ସଞ୍ଜୟ ପ୍ରତାପ ସିଂହ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ । ତାଙ୍କୁ ପୂର୍ବରୁ ଲାଞ୍ଚ ମାମଲାରେ ସିବିଆଇ ଗିରଫ କରିଥିଲା। ସେହିପରି ତାଙ୍କ ପୁଅ ସିଦ୍ଧାର୍ଥ ସିଂହ ସୁପ୍ରିମକୋର୍ଟରେ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଛନ୍ତି। ବାପ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏବଂ ପୁଅ ଓକିଲ । ଏଭଳି ସ୍ଥିତିରେ ମୃତକଙ୍କୁ ନ୍ୟାୟ ମିଳିପାରିବ ତ ? ତାକୁ ନେଇ ଉଠିଛି ପ୍ରଶ୍ନ ।