ଭୁବନେଶ୍ୱର : ଓଲିଉଡ଼ର ଚର୍ଚ୍ଚା ଏବେ ଟଲିଉଡ଼ରେ । ନିଜ ଆଞ୍ଚଳିକ ସୀମା ଡେଇଁ ଏବେ ବାହାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରିବ ଓଡ଼ିଆ ଫିଲ୍ମ । ଓଡ଼ିଆ ସିନେମାକୁ ନେଇ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର । ଦିନକୁ ଦିନ ନିଜର ଦମଦାର କାହାଣୀ, ଅଭିନୟ ଓ ନିର୍ମାଣ ଶୈଳୀରେ ନୂଆ ପରିଚୟ ସୃଷ୍ଟି କରୁଛି ଓଡ଼ିଆ ସିନେମା। ଦିନେ ଯେଉଁ ଓଡ଼ିଆ ଫିଲ୍ମକୁ ଦେଖିବାକୁ ମୁହଁ ବୁଲାଉଥିଲେ ଓଡ଼ିଆ ଆଞ୍ଚଳିକ ଲୋକେ , ଆଜି ସେହି ଓଡ଼ିଆ ସିନେମାକୁ ଦେଖିବେ ଅନ୍ୟ ଭାଷାର ଦର୍ଶକ । ଓଡ଼ିଆ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ଦହନ’କୁ ଦକ୍ଷିଣ ଭାରତର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ 'ଆହା' (Aha) ଆନୁଷ୍ଠାନିକ ଭାବେ କିଣିନେଇଥିବା ନେଇ ଚର୍ଚ୍ଚା ହେଉଛି । ଅର୍ଥାତ ଏହି ଓଡ଼ିଆ ଫିଲ୍ମ ଏବେ ଦକ୍ଷିଣ ଭାରତର ଓଟିଟି ପ୍ଲାଟଫର୍ମରେ ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ | ଯାହା କେବଳ ଓଲିଉଡ୍ ପାଇଁ ନୁହେଁ, ବରଂ ସାରା ଓଡ଼ିଶାର ସିନେମାପ୍ରେମୀଙ୍କ ପାଇଁ ଏକ ଉତ୍ସାହଜନକ ଖବର। ଓଡ଼ିଆ ସିନେମା ଜଗତ ପାଇଁ ଏହା ଏକ ମାଇଲଖୁଣ୍ଟ ସାଜିବ ।

ଓଡ଼ିଆ ସିନେମା ପାଇଁ ଏହା ଏକ ବଡ ସଫଳତା । ଆଞ୍ଚଳିକ ଭାଷାର ସିନେମା ନିଜ ରାଜ୍ୟର ସୀମା ଅତିକ୍ରମ କରି ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବାର ସୁଯୋଗ ପାଉଥିବା ବେଳେ, ‘ଦହନ’କୁ ନେଇ ଏହି ଚର୍ଚ୍ଚା ଓଲିଉଡ୍ର ଡିଜିଟାଲ୍ ଯାତ୍ରାକୁ ନୂଆ ଦିଗରେ ପହଞ୍ଚାଇଛି । ସୂଚନା ଥାଉ କି ନିକଟରେ ରିଲିଜ ହୋଇଥିବା ଓଡ଼ିଆ ହରର ଫିଲ୍ମ ‘ଦହନ’କୁ ଆନୁଷ୍ଠାନିକ ଭାବେ ଅଧିକାର କରିନେଇଛି ସାଉଥ ଓଟିଟି ପ୍ଲାଟଫର୍ମ 'ଆହା' । ଆହା ହେଉଛି ଏକ ଲୋକପ୍ରିୟ ଭାରତୀୟ ଓଟିଟି ପ୍ଲାଟଫର୍ମ, ଯାହା ମୁଖ୍ୟତଃ ତେଲୁଗୁ ଓ ତାମିଲ୍ ଭାଷାର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପାଇଁ ପରିଚିତ। ଏହି ପ୍ଲାଟଫର୍ମ ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ପିତା ତଥା ନିର୍ମାତା ଆଲ୍ଲୁ ଅରବିନ୍ଦଙ୍କ ନାମ ସହ ଜଡ଼ିତ। ଏଭଳି ଏକ ବାହାର ରାଜ୍ୟର ପ୍ଲାଟଫର୍ମରେ ଓଡ଼ିଆ ସିନେମା ପାଇଁ ସୁଯୋଗ ସୃଷ୍ଟି ହେବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପଜଗତ ପାଇଁ ବ୍ୟାପକ ବଜାର ଓ ଦର୍ଶକ ସମ୍ଭାବନାକୁ ନେଇ ନୂଆ ଆଲୋଚନା ସୃଷ୍ଟି କରିଛି।

ଗତ କିଛି ବର୍ଷ ଧରି ଓଡ଼ିଆ ସିନେମାରେ ବିଷୟବସ୍ତୁ, ନିର୍ମାଣଶୈଳୀ ଓ ମାର୍କେଟିଂକୁ ନେଇ ନୂଆ ପରୀକ୍ଷାନିରୀକ୍ଷା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଫିଲ୍ମର ପ୍ରବେଶ ନିର୍ମାତାଙ୍କ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ଖୋଲିପାରେ। ଯଦି ଆହା ମାଧ୍ୟମରେ ‘ଦହନ’ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚେ, ତାହା ହେଲେ ଓଡ଼ିଆ ସିନେମାକୁ ରାଜ୍ୟ ବାହାରର ଦର୍ଶକଙ୍କ ନିକଟରେ ପରିଚିତ କରାଇବାରେ ଏହା ସହାୟକ ହେବ । ତେବେ ଫିଲ୍ମର ଷ୍ଟ୍ରିମିଂ ତାରିଖ, ଭାଷା ବିକଳ୍ପ ଏବଂ ଅଧିଗ୍ରହଣ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ପାଇଁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଓଟିଟିରେ ଫିଲ୍ମ ରିଲିଜ ତାରିଖ ଉପରେ ଏବେ ଦର୍ଶକଙ୍କ ନଜର । ଓଲିଉଡ୍ର ଏହି ପଦକ୍ଷେପ ଆଗାମୀ ଦିନରେ ଓଡ଼ିଆ ସିନେମାକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେବ କି ନାହିଁ ତାକୁ ନେଇ ଏବେ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଆଲୋଚନା।