କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଛୁରାମାଡ଼ ଉଦ୍ୟମ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏଭଳି ଘଟଣା ଘଟିଛି। ମମତା ତାଙ୍କର କାଳିଘାଟି ସ୍ଥିତ ଘର ନିକଟରେ ଥିବା ଏକ ଦୁର୍ଗାମଣ୍ଡପର ଉଦ୍‌ଘାଟନ କରିବାକୁ ଯାଇଥିଲେ। ଏହି ସମୟରେ ଜଣେ ମହିଳା ହଠାତ୍ ତାଙ୍କ ଉପରେ ଛୁରାମାଡ଼ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଘଟଣାରେ ଟିଏମ୍ସିର ପୂର୍ବତନ ରାଜ୍ୟସଭା ସାଂସଦ ଡୋଲା ସେନ କାଳିଘାଟ ଥାନାରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ଏଫ୍ଆଇଆର୍ ହୋଇଥିବା ଅଭିଯୋଗ ଅନୁସାରେ ଅକ୍ରମଣକାରୀ ହେଲେ ତନିଷ୍ଠା ସାହା। ସେ ଉକ୍ତ ଅଞ୍ଚଳରେ ସିଭିକ ଭଲ୍ୟୁଣ୍ଟର ଭାବରେ କରୁଥିବା ବେଳେ ଜଣେ ନିଶାସକ୍ତ ମହିଳା। ଡୋଲା ସେନଙ୍କ ଅଭିଯୋଗ ଅନୁସାରେ ମହିଳା ନିଶାରେ ଥାଇ ଗାଳିଗୁଲଜ କରୁଥିଲେ। ନିଶାସକ୍ତ ଅବସ୍ଥାରେ ଛୁରି ଧରି ମମତାଙ୍କ ଆଡ଼କୁ ମାଡ଼ିଥିଲେ। 

ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ପ୍ରଥମେ ନିଜକୁ ମମତା ବାନାର୍ଜୀଙ୍କ ଝିଆରୀ ବୋଲି ପରିଚୟ ଦେଇଥିଲେ। ଏବଂ ତାଙ୍କୁ ଦେଖା କରିବାକୁ ଜିଦ୍ ଧରି ରାସ୍ତାରେ ଗଡ଼ିବା ସହ ଖୁବ୍ ହଙ୍ଗାମା କରିଥିଲେ। ଏହାପରେ ଛୁରି ଧରି ତାଙ୍କ ପାଖକୁ ମାଡ଼ି ଆସିଥିଲେ। ମମତାଙ୍କ ଶାଡି ଟଣାଓଟରା କରାଯାଇଥିଲା ବୋଲି ଟିଏମ୍‌ସି ଅଭିଯୋଗ କରିଛି। ମହିଳା ଜଣଙ୍କ କପଡାରେ ଛୁରି ଲୁଚାଇ ଆଣିଥିଲେ। ଆକ୍ରମଣ କରିବାକୁ ଆସିବା ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ରାସ୍ତାରେ ମାଡିବସି ଧରିବା ସହ ନାନା କଥା ପଚରାଉଚରା କରିଥିଲେ। ଏହାପରେ ଅଭିଯୁକ୍ତ ମହିଳାଙ୍କୁ କାଳିକାଟି ପୁଲିସକୁ  ହସ୍ତାନ୍ତର କରାଯାଇଥିଲା।

ମମତାଙ୍କୁ Z+ ଶ୍ରେଣୀର ସୁରକ୍ଷା ମିଳିଛି। ଏତେ ସୁରକ୍ଷା ଭିତରେ ତାଙ୍କ ଘରେ ପାଖରେ କୌଣସି ବ୍ୟକ୍ତିର ହତିଆର ଧରି ପହଞ୍ଚିବା ଚିନ୍ତାର ବିଷୟ ବୋଲି ଡୋଲା ସେନା କହିଛନ୍ତି। ସେ ଏହି ମାମଲାରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୭୩ ଅନୁଯାୟୀ ମହିଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଏଫ୍ଆଇଆରରେ ଦାବି କରିଛନ୍ତି।

Also Read- ଡ୍ରଗ୍ସ କାରବାର ବିରୁଦ୍ଧରେ ଲଢୁଥିଲେ, ଝୋଟାଙ୍କୁ କ୍ୟାମେରା ସାମନାରେ ଗୁଳି କରି ମାରିଦେଲା ମେଡିସିନ୍ ଦୋକାନୀ

କ’ଣ କହିଲା ପୁଲିସ ?

ଏହି ଘଟଣାରେ ପୁଲିସ କହିଛି ଯେ ମହିଳାଙ୍କୁ କଷ୍ଟୁଡିରେ ନିଆଯାଇ ପଚରାଉଚରା କରାଯାଉଛି। ଘଟଣାର ଭିଡିଓ ଫୁଟେଜ୍ ମଧ୍ୟ ଯାଞ୍ଚ କରିବା ସହ ଘଟଣା ସ୍ଥଳରେ ଉସ୍ଥିତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି।

ଟିଏମ୍‌ସି କହିଲା ଷଡ଼ଯନ୍ତ୍ର

ଏହି ଛୁରାମାଡ଼ ଘଟଣାକୁ ଟିଏମ୍‌ସି ଷଡ଼ଯନ୍ତ୍ର ବୋଲି କହିଛି। ଏଥିପାଇଁ ବିଜେପି ମୁଣ୍ଡରେ ଅଠା ବୋଳଛି। ଟିଏମ୍‌ସି ସାଂସଦ ସାକେତ ଗୋଖ୍‌ଲେ କହିଛନ୍ତି ଯେ ସେହି ନିଶାସକ୍ତ ମହିଳା ଜଣଙ୍କ ଛୁରୀ ଧରି ମମତାଙ୍କ ଘର ନିକଟରେ ପହଞ୍ଚିଯାଇଥିଲା ଓ ଆଟାକ୍ କରିବାକୁ ଚେଷ୍ଟା କରିଥିଲା। ତେବେ ମମତାଙ୍କ ସୁରକ୍ଷାରେ କେମିତି ଏତେ ତ୍ରୁଟି ହେଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜଣେ ବ୍ୟକ୍ତି, ଯାହାଙ୍କୁ Z+ ଶ୍ରେଣୀର ସୁରକ୍ଷା ମିଳିଛି, ସେ ବି ସୁରକ୍ଷିତ ନୁହଁନ୍ତି ବୋଲି ଏକ୍ସରେ ପୋଷ୍ଟ କରି ଲେକିଛନ୍ତି ଗୋଖ୍‌ଲେ। ତେବେ ଦିଦି ଦିଲ୍ଲୀରେ ବିଜେପିକୁ ଶେଷ କରିବାକୁ ବଦ୍ଧପରିକର ଅଛନ୍ତି ବୋଲି ଏହା କଣ ବିଜେପିର ଷଡଯନ୍ତ୍ର ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ ଏକ ମାମଲା ହୋଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ କରିବ କି ଅମିତ ଶାହଙ୍କ ଅନୁମତି ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି।