ନୂଆଦିଲ୍ଲୀ: ବିହାର ବୈଶାଳୀ ଜିଲ୍ଲାରେ ମଙ୍ଗଳବାର ବଡ଼ ଦୁର୍ଘଟଣା ଘଟିଛି । ରାଘୋପୁର ଥାନା ଅଧିନ ଅନ୍ତର୍ଗତ ଗଙ୍ଗା ନଦୀରେ ଡଙ୍ଗା ଓଲଟି ପଡ଼ିଛି । ନଦୀରେ ଡଙ୍ଗା ଓଲଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଅଛନ୍ତି । ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଭୋଜି ଖାଇବା ପାଇଁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୃତକଙ୍କ ପରିଜନଙ୍କ ପାଇଁ ଚାରି ଚାରି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

ବୈଶାଳୀ ଜିଲ୍ଲାର ରାଘୋପୁର ଥାନା ଅଞ୍ଚଳରେ ଅବସ୍ଥିତ ରାମପୁର ଶ୍ୟାମଚାନ୍ଦ ଗାଁରେ ଡଙ୍ଗା ବୁଡ଼ି ଘଟଣା ଘଟିଛି । ଦୁର୍ଘଟଣା ଯୋଗୁଁ ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳି ଯାଇଛି । ପରିଜନଙ୍କ କାନ୍ଦ ବୋବାଳିରେ ଅଞ୍ଚଳ ଫାଟି ପଡ଼ୁଛି । ରିପୋର୍ଟ ଅନୁଯାୟୀ, ସୋମବାର ପ୍ରାୟ ୨୦ ଜଣ ଯୁବକ ଏବଂ ପିଲା ଗୋଟିଏ ଡଙ୍ଗାରେ ଏକ ଭୋଜି ପାଇଁ ଯାଉଥିଲେ । ଡଙ୍ଗାଟି ନିୟନ୍ତ୍ରଣ ହରାଇ ସ୍ରୋତ ମଝିରେ ଓଲଟି ପଡ଼ିଥିଲା । ଡଙ୍ଗାଟି ଓଲଟିବା ମାତ୍ରେ ସେଥିରେ ଥିବା ଲୋକମାନେ ଗଭୀର ପାଣିରେ ବୁଡ଼ିବାକୁ ଲାଗିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ରାଘୋପୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲା ବରିଷ୍ଠ ଅଧିକାରୀମାନଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ଏସଡିଆରଏଫ୍ ଦଳକୁ ଘଟଣାସ୍ଥଳକୁ ପଠାଇଥିଲା ।

 

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିହାର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିଜନଙ୍କୁ ଚାରି ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ କରିବା ଏବଂ ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେପଟେ ରାଘୋପୁରର ଆରଜେଡି ବିଧାୟକ ତଥା ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହି ଦୁର୍ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ଅଘଟଣ ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ପୀଡ଼ିତଙ୍କ ମଧ୍ୟରେ ଅଧିକାଂଶ ପିଲା ଅଛନ୍ତି, ଭଗବାନ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ।