ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମରେ ତିନୋଟି ବାଇକ୍‌ ଜାଳିଦେବା ଘଟଣାକୁ ନେଇ ଚାଞ୍ଚଲ୍ୟ। ଜନୈକ ବ୍ୟକ୍ତିଙ୍କ ଘର ସାମ୍ନାରେ ରଖାଯାଇଥିବା ଦୁଇ ବାଇକ୍ ଏବଂ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ନେଇ ଅଭିଯୋଗ ହୋଇଛି । ନିଆଁରେ ତିନିଟି ଯାକ ଜଳି ଗାଡ଼ି ନଷ୍ଟ ହୋଇଯାଇଥିବା ବେଳେ, ଗ୍ରାମର ବାପିନ ଅଧିକାରୀ ଓ ଅନ୍ୟ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ଦେଖିଥିବା ଅଭିଯୋଗ କରିଛନ୍ତି ଘରଲୋକ।

ଘଟଣାରେ ଶୁଭାଶିଷ ଦାସ ଅଧିକାରୀ ଓରଫ ବାପିନଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ, ପୂର୍ବରୁ ଦେବେନ୍ଦ୍ରପୁର ହନୁମାନ ମନ୍ଦିର ଚୋରି ଘଟଣାରେ ମଧ୍ୟ ତାଙ୍କ ନାମ ଉଠିଥିବା କୁହାଯାଉଛି। ତେବେ କଥା ଏତିକିରେ ସରିନଥିଲା । ଏହି ସମୟରେ ବାପିନଙ୍କୁ ଏକ ନିଶା ନିବାରଣ ସଂସ୍ଥାର ଗାଡ଼ି ନେବାକୁ ଆସିଥିଲା । ଯାହାକୁ ଗ୍ରାମବାସୀ ବିରୋଧ କରିବା ସହ ପ୍ରଶ୍ନ ଉଠାଇଥିଲେ ।

Also Read: ଦୁଇ ମାସ ତଳେ ଜେଲ ଯାଇଥଲା, ବେଲ୍‌ରେ ଆସି ପୁଣି ରଚିଲା ମୃତ୍ୟୁ ତାଣ୍ଡବ​​​​​​​

ଏମିତିରେ ଗ୍ରାମବାସୀଙ୍କ ବିରୋଧ ପରେ ବାପିନଙ୍କୁ ପୁଣି ଘରେ ଛାଡ଼ି ଦିଆଯାଇଥିଲା। ଅନ୍ୟପଟେ ସେ ଘର ଭିତରୁ କବାଟ ବନ୍ଦ କରିଦେବାରୁ ତାଙ୍କୁ କାବୁ କରିବା ପାଇଁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ଅଗ୍ନିଶମ ବିଭାଗର ସହାୟତାରେ କବାଟ ଖୋଲାଯାଇ ବାପିନଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି ।

ତିନୋଟି ଗାଡ଼ି ପୋଡ଼ିବା ଘଟଣା, ମନ୍ଦିର ଚୋରି ଅଭିଯୋଗ ଏବଂ ନିଶା ନିବାରଣ ସଂସ୍ଥାର ଗାଡ଼ି ପହଞ୍ଚିବାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ।