ମୁମ୍ବାଇ : ଏଆଇ ଏବେ ଅନେକ କାମକୁ ସହଜ କରିଦେଇଛି । ଶିକ୍ଷାଠାରୁ ଆରମ୍ଭ କରି ଚିକିତ୍ସା, ମନୋରଞ୍ଜନ ଓ ଯୋଗାଯୋଗ ପର୍ଯ୍ୟନ୍ତ । ସବୁ କ୍ଷେତ୍ରରେ ଏହାର ବ୍ୟବହାର ବଢ଼ିଛି । କିନ୍ତୁ ଏହାର ଅପବ୍ୟବହାର ଏବେ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ସାହାଯ୍ୟରେ ଅଭିନେତ୍ରୀଙ୍କ ଫଟୋକୁ ବିକୃତ କରିବା, ଶରୀରର ବିଭିନ୍ନ ଅଙ୍ଗର ଆକାର ବଦଳାଇବା ଏବଂ ସେମାନଙ୍କୁ ଅଶ୍ଳୀଳ ରୂପରେ ଦେଖାଇବା ଭଳି ଘଟଣା ସାମ୍ନାକୁ ଆସୁଛି । ଏହାକୁ ନେଇ ଏବେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଶ୍ରିୟା ସରନ । ତାଙ୍କ କହିବା ଅନୁସାରେ, ଅନେକ ସମୟରେ ଏଆଇ ଦ୍ୱାରା ଏପରି ଭାବେ ଫଟୋରେ ପରିବର୍ତ୍ତନ କରାଯାଉଛି ଯେ, ନିଜେ ମଧ୍ୟ ନିଜର ଫଟୋକୁ ଚିହ୍ନିବା କଷ୍ଟକର ହୋଇ ପଡ଼ୁଛି ।

ଏହି ପ୍ରସଙ୍ଗରେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ଚଳଚ୍ଚିତ୍ର ‘ଦେବରା: ପାର୍ଟ-୧’ର ଗୀତ ‘ଛୁଟ୍ଟମଲ୍ଲେ’ ର କିଛି ଫଟୋକୁ ଏଆଇ ମାଧ୍ୟମରେ ବଦଳାଇ ଅଶ୍ଳୀଳ ରୂପ ଦିଆଯାଇଥିଲା । ଏହାକୁ ନେଇ ଜାହ୍ନବୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ, ମହିଳାଙ୍କ ଫଟୋକୁ ବିକୃତ ରୂପରେ ଦେଖାଇବାକୁ ଏଆଇର ବ୍ୟବହାର କରାଯିବା ଉଚିତ ନୁହେଁ। ଏବେ ଅଭିନେତ୍ରୀ ଶ୍ରିୟା ସରନ ମଧ୍ୟ ଏହାକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି । ଏକ ସାକ୍ଷାତକାରରେ ଶ୍ରିୟା ସରନ କହିଛନ୍ତି ଯେ, ଏଆଇ ଦ୍ୱାରା ତାଙ୍କ ଫଟୋରେ ମଧ୍ୟ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରାଯାଉଛି । ଏପରି କି, ଫଟୋରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗର ଆକାର ବଦଳାଇ ଦିଆ ଯାଉଛି। ବେଳେବେଳେ ସେ ନିଜେ ନିଜ ଫଟୋକୁ ଜାଣି ପାରନ୍ତି ନାହିଁ। କିଛି ଅସାମାଜିକ ଲୋକ ଶରୀରର ପୂରା ଷ୍ଟ୍ରକଟର ବଦଳାଇ ଦିଅନ୍ତି । ତେଣୁ ଏପରି ଘଟଣାକୁ ନେଇ ଶ୍ରିୟା ଚିନ୍ତା ବ୍ୟକ୍ତ କରିବା ସହ ଏହା ଠିକ୍ ନୁହେଁ ବୋଲି କହିଛନ୍ତି । ତାଙ୍କ ମତରେ, ଏହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଏହା ଲୋକଙ୍କ ଖରାପ ମାନସନିକତା, ଏହାକୁ ନେଇ ଅତ୍ୟଧିକ ଚାପ ନ ନେବାକୁ ଶ୍ରିୟା କହିଛନ୍ତି ।

ଶ୍ରିୟା ଏଆଇର ବ୍ୟବହାରକୁ ବିରୋଧ କରନ୍ତି ନାହିଁ । ତାଙ୍କ ମତରେ, ଏଆଇ ଲୋକଙ୍କୁ ସାହାଯ୍ୟ କରିବା ଏବଂ ଅନେକ କାମକୁ ସହଜ କରିବାର ମାଧ୍ୟମ । କିନ୍ତୁ ଏହାର ଭୁଲ୍ ବ୍ୟବହାର ଅନେକ କ୍ଷେତ୍ରରେ ବିପଦ ସୃଷ୍ଟି କରିପାରେ । ସମୟ ସହିତ ଆମକୁ ହୁଏତ ଏହା ସହ ବଞ୍ଚିବାକୁ ଶିଖିବାକୁ ପଡ଼ିବ, ନଚେତ୍ ଏହାର ମୁକାବିଲା କରିବାକୁ ପଡ଼ିବ । ବାସ୍ତବିକ ଏହା ପୂରା ଠିକ୍ । ଯେଉଁ ପ୍ରଯୁକ୍ତି ମଣିଷର ଜୀବନକୁ ସହଜ କରିବା ପାଇଁ ତିଆରି ହୋଇଛି, ତାହା ଯଦି ଅନ୍ୟର ସମ୍ମାନ, ବ୍ୟକ୍ତିଗତ ସ୍ୱାଧୀନତା ଓ ମାନସିକ ଶାନ୍ତିକୁ କ୍ଷତି ପହଏ । ତେବେ ଏହାର ବ୍ୟବହାର ଉପରେ ଦାୟିତ୍ୱ ଓ ନିୟନ୍ତ୍ରଣ ରହିବା ଆବଶ୍ୟକ । ବିଶେଷକରି, କୌଣସି ବ୍ୟକ୍ତିଙ୍କ ଅନୁମତି ବିନା ତାଙ୍କ ଫଟୋକୁ ଅଶ୍ଳୀଳ ରୂପ ଦେବା କେବଳ ମନୋରଞ୍ଜନର ବିଷୟ ନୁହେଁ । ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ମର୍ଯ୍ୟାଦା ଓ ଗୋପନୀୟତା ଉପରେ ଆଘାତ ପହଞ୍ଚାଇ ପାରେ । ତେଣୁ ଏଆଇର ସୁବିଧା ଉପଭୋଗ କରିବା ସହ ଏହାର ଅପବ୍ୟବହାରକୁ ରୋକିବା ମଧ୍ୟ ଜରୁରୀ।

Also Read- ‘ଧୁରନ୍ଧର’ ପରେ ଚମକିଲା ସାରା ଅର୍ଜୁନଙ୍କ ଭାଗ୍ୟ; ରାମ ଚରଣଙ୍କ ଆଗାମୀ ଫିଲ୍ମରେ ହେବେ ନାୟିକା...

ଶ୍ରିୟାଙ୍କ ପ୍ରଫେସନାଲ୍ ଲାଇଫ୍ କଥା କହିଲେ, ସେ ଏବେ ଅଜୟ ଦେବଗନଙ୍କ ସହ ‘ଦୃଶ୍ୟମ୍-3’ ରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ବିଜୟ ସାଲଗାଓଁକରଙ୍କ ପତ୍ନୀ ନନ୍ଦିନୀ ସାଲଗାଓଁକର ଭୂମିକାରେ ଅଭିନୟ କରୁଛନ୍ତି ।