ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତର ପରିସରକୁ ବିନା ଅନୁମତିରେ ପ୍ରବେଶ କରି ପ୍ରତିବାଦ କରିବା ପଡ଼ିଲା ମହଙ୍ଗା । ସିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ।  ସିଜେପି ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ସିଜେପିର କିଛି କର୍ମୀ ପୁଲିସ୍ ବ୍ୟାରିକେଡ୍ ଡେଇଁ ଜନ୍ତର ମନ୍ତର ଅଞ୍ଚଳ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ସେମାନେ  ପ୍ରତିବାଦ କରିବା ସହ ନାରାବାଜି କରିଥିଲେ। 

ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଦର୍ଶନକାରୀମାନେ ପୁଲିସ୍ ସହ ଯୁକ୍ତିତର୍କ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍ ଆଶୁତୋଷ ରାଙ୍କା, ସୌରଭ ଦାସ ଏବଂ ଅନ୍ୟାନ୍ୟ ପ୍ରତିବାଦକାରୀଙ୍କୁ ହେପାଜତକୁ ନେଇଥିଲା। ସିଜେପିର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓରେ ପ୍ରଦର୍ଶନକାରୀ ହାତରେ ପତାକା ଧରି ଗେଟ୍ ଡେଉଁଥିବାର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। 

ନିକଟରେ SIR ଏବଂ ନିର୍ବାଚନୀ ଅନିୟମିତତାକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟ ଦ୍ୱାରା ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରା କରାଯାଇଥିଲା । ଏହା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତିବାଦ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପ୍ରତିବାଦ ଶୋଭାଯାତ୍ରା ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପୁଲିସ୍ କନଟ୍ ପ୍ଲେସ୍, ତିଲକ ମାର୍ଗ, ମନ୍ଦିର ମାର୍ଗ ଏବଂ ବାରାଖମ୍ବା ପୁଲିସ୍ ଷ୍ଟେସନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163 ଅଧୀନରେ ଚାରୋଟି ଏଫ୍.ଆଇ.ଆର୍. ମଧ୍ୟ ପଞ୍ଜୀକୃତ କରିଛି। 

ଅନ୍ୟପଟେ, ଅକ୍ଟୋବର ୧୨ରେ ଜନ୍ତର ମନ୍ତରରେ ଆନ୍ଦୋଳନକୁ ନେଇ ଦିଲ୍ଲୀ ପୁଲିସ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଭାବେ ମିଳିଥିବା ପ୍ରଦର୍ଶନ ସ୍ଥଳର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛି ଦିଲ୍ଲୀ ପୁଲିସ।  ସୋମବାର ଜାରି ଏକ ଆଦେଶରେ ଏହାର ସୂଚନା ଦିଆଯାଇଛି। ଏହା ସହିତ ରାଜଧାନୀରେ ବିରୋଧ ପ୍ରଦର୍ଶନ, ଧାରଣା ପାଇଁ ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନ ଚିହ୍ନଟ କରାଯାଇଛି ।