ନୂଆଦିଲ୍ଲୀ: ଏଟିଏମ ଲୁଟ୍‌ର ନୂଆ ତରିକା ସାମ୍ନାକୁ ଆସିଛି। ନାଇଟି ପିନ୍ଧି ଏଟିଏମ୍‌ ଲୁଟ୍‌ କରିବା ଘଟଣା ବୋଧହୁଏ ପ୍ରଥମ । ଏହି ଲୁଟ୍‌ ଘଟଣା ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ଘଟିଛି । ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନାଇଟି ଏବଂ ମାସ୍କ ପିନ୍ଧି ଏକ ଆମ୍ବୁଲାନ୍ସରେ ଆସିଥିଲେ ଏବଂ SBI ଏଟିଏମ୍ ଭାଙ୍ଗି ଲୁଟ୍ କରିଥିଲେ। ସେମାନଙ୍କ ସବୁ ହରକତ୍‌ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। 

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଲୁଟେରା ଆମ୍ବୁଲାନ୍ସରେ ଆସିଥିଲେ । ସେମାନେ ପିନ୍ଧିଥିଲେ ନାଇଟି ଏବଂ ମୁହଁରେ ମାସ୍କ । ସାଥିରେ ଆଣିଥିବା କଟର ସାହାଯ୍ୟରେ ଏଟିଏମ୍ ମେସିନକୁ କାଟି ଟଙ୍କା ଭର୍ତ୍ତି ବାକ୍ସଗୁଡ଼ିକୁ ବୋହି ନେଇଥିଲେ । ରାତି ପ୍ରାୟ ୧ଟାରୁ ୧:୩୦ ମଧ୍ୟରେ ଲୁଟେରାମାନେ ଟଙ୍କା ଧରି ସେଠାରୁ ଫେରାର ହୋଇଯାଇଥିଲେ।

ପୁଲିସକୁ ସୂଚନା ଦେଲେ ସ୍ଥାନୀୟ ଲୋକେ

ଚୋରି ସମୟରେ ସେମାନେ କଟର ସାହାଯ୍ୟରେ ଏଟିଏମ କାଟି ଟଙ୍କା ଧରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକମାନେ ଭଙ୍ଗାଯାଇଥିବା ଏଟିଏମ୍‌ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଲୋକଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଥିଲା । ତଦନ୍ତକାରୀ ଦଳର ସହାୟତାରେ ପ୍ରମାଣ ସଂଗ୍ରହ କରିଥିଲା।

ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୁଲିସ

ଲୁଟେରାଙ୍କ ଗତିବିଧିକୁ ଯାଞ୍ଚ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍‌କୁ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି। କେତେ ପରିମାଣର ଟଙ୍କା ଚୋରି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଅପରାଧରେ ବ୍ୟବହୃତ ଆମ୍ବୁଲାନ୍ସଟି ପ୍ରକୃତରେ ଏକ ଜରୁରୀକାଳୀନ ଯାନ ଥିଲା ନା କେବଳ ଲୁଟ୍‌ ପାଇଁ ଏହାକୁ ଆମ୍ବୁଲାନ୍ସର ରୂପ ଦିଆଯାଇଥିଲା ସେନେଇ ମଧ୍ୟ ପୁଲିସ ଛାନଭିନ୍‌ କରୁଛି । 

ଏହା ପୂର୍ବରୁ ସେପ୍ଟେମ୍ବର ୧୯ରେ କରିମନଗର ବାହାରୁଆ ଅଞ୍ଚଳର ଦୁଇଟି ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା। ସେତେବେଳେ ଲୁଟେରା ମଧ୍ୟ ସାମନ ଷ୍ଟାଇଲ୍‌ରେ ଲୁଟ୍ କରିଥିଲେ । ମହିଳା ପୋଷାକ ପିନ୍ଧି ଏଟିଏମରେ ପଶିଥିଲେ ଏବଂ କଟର ସାହାଯ୍ୟରେ ମେସିନ୍‌ କାଟି ଟଙ୍କା ନେଇଯାଇଥିଲେ ।