କେନ୍ଦୁଝର ୧୭।୫: କେନ୍ଦୁଝରରେ ପୋଲିସ ଏବଂ ବିଚାର ବିଭାଗର ଛକାପଞ୍ଝାକୁ ନେଇ ଏକ ଆଇନଗତ ସମସ୍ୟା ଉପୁଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆସାମୀଙ୍କ ଓକିଲଙ୍କ ଆଭିଯୋଗ ଅନୁଯାୟୀ ୨୦୧୨ ମସିହାର ଏକ ମାମଲାର ୱାରେଣ୍ଟ ବଳରେ ତେଲକୋଇ ପୋଲିସ ଚନ୍ଦ୍ରମଣି ନାୟକ ନାମକ ଜଣେ ଆସାମୀଙ୍କୁ ଗିରଫ କରି ତାକୁ ଶନିବାରଠୁ କୋର୍ଟରେ ହାଜର କରିବାକୁ ଆସିଥିଲେ । ଦିନ ତମାମ ବିଚାର ବିଭାଗୀୟ ଜଜ୍ ସମୟ ଦେଇ ନପାରିବାରୁ ପୋଲିସ ଦିନ ସାରା କୋର୍ଟରେ ଚକର କାଟି ନିରାଶ ହୋଇଥିଲା । ରବିବାର ମଧ୍ୟ କୋର୍ଟରେ ହାଜର କରିବାକୁ ଉଦ୍ୟମ କରି ପୋଲିସ ନିରାଶ ହୋଇଥିଲା । ଏନେଇ ଆଇନଗତ ସମସ୍ୟା ଉପୁଜିବାରୁ ପୋଲିସ ଆସାମୀକୁ କୋର୍ଟରେ ହାଜର କରି ନପାରି ଶେଷରେ ବାଧ୍ୟ ହୋଇ ଥାନାରୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ବାଧ୍ୟ ହୋଇଥିଲା ।

Also Read:- ବ୍ଲକ୍‌ରେ ଏବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହେଲେ ବ୍ଲକ୍ ଚେୟାରମ୍ୟାନ୍

ତେବେ ଏହି ଘଟଣା ପୋଲିସ ଏବଂ ବିଚାର ବିଭାଗରେ ଥିବା ସମନ୍ୱୟ ଅଭାବ ପାଇଁ ହୋଇଥିବା ବେଳେ ଗୁରୁତର ଦଫାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଭଲ ସୁହାଇଥିଲା । ବିଚାର ବିଭାଗୀୟ ଅଧିକାରୀଙ୍କ ଏପରି ବ୍ୟବହାରକୁ ଅଭିଯୁକ୍ତଙ୍କ ଓକିଲ ନାପସନ୍ଦ କରିବା ସହ ଏହା କନଷ୍ଟିଚ୍ୟୁସନାଲ ଭାଓଲେସନ ବୋଲି କହିଛନ୍ତି ଓ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଏନେଇ ସଦର ଏସଡିପିଓ ଫୋନ୍ ଯୋଗେ ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ଆସାମୀକୁ ହାଜର କରି ନହେବାରୁ ତାଙ୍କୁ ଥାନାରୁ ବେଲ୍‌ରେ ଛଡାଯାଇଛି ।