ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି ହୃଦୟବିଦାରକ ଘଟଣା । ପ୍ରେମିକା ବିବାହ କରିବାକୁ ମନା କରିବାରୁ ଜଣେ ଯୁବକ ଏକ ସପିଂ ମଲ୍ର ଦ୍ୱିତୀୟ ମହଲାରୁ ଡେଇଁ ଜୀବନ ହାରିଛନ୍ତି । ମୃତକ ଜଣକ ସାଉଦି ଆରବରେ ଚାକିରି କରୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରାୟ ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କାନପୁରର ଚମନଗଞ୍ଜ ନାଲା ରୋଡ୍ ବାସିନ୍ଦା ୩୦ ବର୍ଷୀୟ ସିକନ୍ଦର ସାଉଦି ଆରବରେ ଏକ କମ୍ପାନୀରେ କାମ କରୁଥିଲେ। ତେବେ ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ପ୍ରେମ ସମ୍ପର୍କ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ସିକନ୍ଦର ଚାକିରି ପାଇଁ ବିଦେଶ ଚାଲିଯିବା ପରେ, ଯୁବତୀ ଜଣକ ଅନ୍ୟ ଜଣଙ୍କ ପ୍ରେମରେ ପଡ଼ିଯାଇଥିଲେ ବୋଲି ଅଭିଯୋଗ ହୋଇଛି।

ଆଉ ଏସବୁ ଜାଣିବା ପରେ ସିକନ୍ଦର ବୁଧବାର ନିଜର ଦୁଇ ସାଥୀଙ୍କ ସହ କାନପୁରର ରାବତପୁର କ୍ରସିଂ ନିକଟରେ ଥିବା ଏକ ମଲ୍ରେ ପହଞ୍ଚିଥିଲେ ଏବଂ ପ୍ରେମିକାଙ୍କୁ ମଧ୍ୟ ସେଠାକୁ କଥା ହେବା ପାଇଁ ଡାକିଥିଲେ।

ତେବେ ମଲ୍‌ରେ ପହଞ୍ଚିବା ପରେ ସିକନ୍ଦର ଯୁବତୀଙ୍କୁ "ମତେ ବିବାହ କରିବ କି ନାହିଁ ?" ବୋଲି ପଚାରିଥିଲେ । ହେଲେ ଯୁବତୀ ଜଣକ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଯୁବକ ଜଣକ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ସେ କେବଳ ତାଙ୍କ ପାଇଁ ହିଁ ବିଦେଶରୁ ଫେରିଛନ୍ତି। ମାତ୍ର ଯୁବତୀ ଆଦୌ ମାନିନଥିଲେ। ଶେଷରେ ନିରାଶ ହୋଇ ଯୁବକ ଜଣକ ହଠାତ୍ ମଲ୍ର ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଏହି ଭୟଙ୍କର ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଗୁରୁତର ଅବସ୍ଥାରେ ସିକନ୍ଦରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ପରିବାରବର୍ଗ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ସେପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନା ପ୍ରଭାରୀ କହିଛନ୍ତି ଯେ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।